୨୪ ଘଣ୍ଟାରେ କ୍ଷତିଗ୍ରସ୍ତ ଚାଷୀଙ୍କ ତାଲିକା ଦେବାକୁ ନିର୍ଦ୍ଦେଶ, ଅବହେଳା କଲେ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

କିଣା ହେବ ଆଉ ୧୧କୋଟି ଟଙ୍କାର ଧାନ

ବାଲେଶ୍ବର : ବାତ୍ୟା କ୍ଷତିଗ୍ରସ୍ତଙ୍କୁ ତ୍ବରିତ ସେବା ଦ୍ବାରା ସମସ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି। ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ଚାଉଳ, ଗହମ, ଚୁଡ଼ା, କିରାସିନି ଗଚ୍ଛିତ ରହିଛି। ବିପନ୍ନ ଯେଭଳି କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ଆମେ ସଜାଗ ରହିଛୁ ବୋଲି ଖାଉଟି କଲ୍ୟାଣ ଓ ଖାଦ୍ୟଯୋଗାଣ ତଥା ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି।

ତେବ‌େ ବାତ୍ୟା ଯୋଗୁଁ କ୍ଷତିଗ୍ରସ୍ତ ୮୬ଟି ଗାଁର ଚାଷୀଙ୍କୁ ପ୍ରାଥମିକତା ଭିତ୍ତିରେ ଚିହ୍ନଟ କରିବା ପାଇଁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁମାନେ ଟୋକନ ପାଇଛନ୍ତି ଅଥଚ ଧାନ ଦେଇପାରି ନାହାନ୍ତି ସେମାନଙ୍କର ସାନି ତାଲିକା ପ୍ରସ୍ତୁତ କରିବା ପାଇଁ ସେ କହିଛନ୍ତି। ଯେଉଁମାନେ ଧାନ‌ ଦେଇଛନ୍ତି କିନ୍ତୁ ବ୍ୟାଙ୍କରୁ ଟଙ୍କା ପାଇନାହାନ୍ତି ସେମାନଙ୍କ ତାଲିକା ପ୍ରସ୍ତୁତ କରି ୨୪ ଘଣ୍ଟା ମଧ୍ୟରେ ଚାଷୀଙ୍କୁ ଟଙ୍କା ଦେବାବ୍ୟବସ୍ଥା କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଯଦି କୌଣସି କର୍ମଚାରୀ ଚାଷୀଙ୍କୁ ହଇରାଣ କରନ୍ତି ତାହାହେଲେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ ଖୋଲାଖୋଲି ଅଧିକାରୀମାନଙ୍କୁ ଶୁଣାଇ ଦେଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଚାଷୀମାନଙ୍କଠାରୁ ୧୧କୋଟି ଟଙ୍କାର ଧାନ କିଣା ସରିଛି। ଆଉ ୧୧କୋଟି ଟଙ୍କାର ଧାନ କିଣାଯିବ ବାଲି ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଛନ୍ତି। ସେହିପରି ବର୍ତ୍ତମାନ ଲୋକଙ୍କୁ ଚୁଡ଼ା, ଚାଉଳ, ଗହମ, ଗୁଡ଼ ଦିଆ ସରିଛି।‌ ସେହିପରି ପର୍ଯ୍ୟାପ୍ତ ପରିମାଣର ଚାଉଳ, ଗହମ, ଚୁଡ଼ା, କିରାସିନ୍‌ ମହଜୁଦ୍‌ ରହିଛି। ଏହାଛଡ଼ା ଲୁଣାପାଣି ମାଡ଼ି ଆସିଥିବା ଜମିଗୁଡ଼ିକର ତୁରନ୍ତ ହିସାବ କରି ତଥ୍ୟ ପ୍ରଦାନ କରିବାରକୁ ନିର୍ଦ୍ଦେଶ ଦିଆଯାଇଛି। ତଥ୍ୟ ମିଳିବା ମା‌ତ୍ରେ ଆବଶ୍ୟକ ପଦକ୍ଷେପ ନିଆଯିବ। ସେହିପରି ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତାଘାଟ ସଫା କରାଯାଉଛି, ଲୋକଙ୍କୁ ବିଦ୍ୟୁତ ସଂଯୋଗ ଏବଂ ପାଣି ଯୋଗାଇବା ପାଇଁ ସମସ୍ତେ ଦିନରାତି କାମ କରୁଛନ୍ତି। ସ୍ଥିତି ସୁଧୁରିବା ଯାଏଁ ବିପନ୍ନଙ୍କୁ ରିଲିଫ୍ ଯୋଗାଯିବା ସହ ସପ୍ତାହକ ମଧ୍ୟରେ ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସଦ୍‌ଭାବନା ସଭାଗୃହରେ ମନ୍ତ୍ରୀଙ୍କ ସହ ବିଧାୟକ ଅନନ୍ତ ଦାସ, ସ୍ବରୂପ ଦାସ, ସିଏସ୍‌ଓ ପ୍ରଦ୍ୟୁମ୍ନ ରାଉତରାୟ ପ୍ରମୁଖଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର