ଏମ୍‌ଡିଏମ୍‌ ଆକାଉଣ୍ଟ୍‌ ପିଏନ୍‌ବିରେ ଖୋଲିବାକୁ ନିର୍ଦ୍ଦେଶ

ଶାଖା ନଥିବାରୁ ବେଲଗୁଣ୍ଠା ବ୍ଲକ୍‌ରେ ଶିକ୍ଷକ ହଟହଟା

ବେଲଗୁଣ୍ଠା : ସ୍କୁଲରେ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ(ଏମ୍‌ଡିଏମ୍‌) ପାଇଁ ଆସୁଥିବା ସରକାରୀ ଅନୁଦାନର ଆକାଉଣ୍ଟ ପଞ୍ଜାବ୍ ନ୍ୟାସନାଲ୍ ବ୍ୟାଙ୍କ୍‌ରେ ଖୋଲିବା ପାଇଁ ଚଳିତ ବର୍ଷ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଯାହା ବର୍ତ୍ତମାନ ଶିକ୍ଷକଙ୍କ ମୁଣ୍ଡବ୍ୟଥା ବଢାଇ ଦେଇଛି। ବିଶେଷ କରି ସରକାରଙ୍କର ଏହି ପଦକ୍ଷେପ ବେଲଗୁଣ୍ଠା ବ୍ଲକ୍‌ର ଶିକ୍ଷକଙ୍କୁ ଅଧିକ ସମସ୍ୟାରେ ଛନ୍ଦି ଦେଇଛି। ବ୍ଲକ୍‌ର କୌଣସି ସ୍ଥାନରେ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ୍ ଶାଖା ନଥିବାରୁ ଏହି ବ୍ଲକ୍‌ର ଶିକ୍ଷକମାନେ ଆସିକା, ଭଞ୍ଜନଗର ବ୍ଲକ୍‌ର ବଡ଼କୋଦଣ୍ଡା ଏବଂ ଜଗନ୍ନାଥପ୍ରସାଦ ବ୍ଲକ୍‌ର ବିଡ଼ିପୁର ଶାଖାକୁ ଦୌଡୁଛନ୍ତି। ଏହି ବ୍ୟାଙ୍କ୍ ଶାଖା ଗୁଡ଼ିକ ବେଲଗୁଣ୍ଠା ବ୍ଲକ୍‌ର ଗୋଟିଏ ଗୋଟିଏ ବିଦ୍ୟାଳୟ ଠାରୁ ୩୦ରୁ ୪୫ କିଲୋମିଟର୍ ଦୂରରେ ଥିବାରୁ ଏହା ଆଗାମୀ ଦିନରେ ଅନେକ ସମସ୍ୟା ସୃଷ୍ଟି କରିବ ବୋଲି ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନେ କ୍ଷୋଭର ସହ ପ୍ରକାଶ କରିଛନ୍ତି।

ବିଶେଷ କରି ବ୍ଳକ୍‌ରେ ବହୁ ବୟୋଜ୍ୟେଷ୍ଠ ଶିକ୍ଷକ ରହିଥିବା ବେଳେ ସେମାନେ ୩୦ କିଲୋମିଟର୍ ଦୂରରେ ଥିବା ବ୍ୟାଙ୍କ୍‌କୁ ଯାଇ ଫେରିବା ବେଳକୁ କ୍ଳାନ୍ତ ହୋଇ ପଡ଼ୁଛନ୍ତି। ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ବାବଦ ଆସୁଥିବା ଅର୍ଥ ଉଠାଣ ପାଇଁ ଏଟିଏମ୍ ର ସୁବିଧା ନାହିଁ। ଫଳରେ ପ୍ରଧାନଶିକ୍ଷକ ନିଜେ ବ୍ୟାଙ୍କ୍କୁ ଯାଇ ଏହି ବାବଦରେ ଆସୁଥିବା ଲକ୍ଷାଧିକ ଟଙ୍କା ଉଠାଣ କରିଥାନ୍ତି। କିନ୍ତୁ ଏତେ ଦୂରରୁ ନଗଦ ଟଙ୍କା ଧରି ଆସିବା ଶିକ୍ଷକଙ୍କ ନିରାପତ୍ତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହିପରି ଏତେ ଦୂରରେ ଥିବା ବ୍ୟାଙ୍କ୍‌କୁ ଯାଇ ଆସିବା ପାଇଁ ଶିକ୍ଷକମାନଙ୍କୁ ଅତି କମ୍‌ରେ ତିନି ଘଣ୍ଟା ସମୟ ଲାଗୁଛି।

ବେଳେ ବେଳେ ବ୍ୟାଙ୍କ୍ ଗହଳି ଥିଲେ ସେଠାରେ ସାରା ଦିନ ବି ଚାଲି ଯାଉଛି। ଯାହାକି ଆଗାମୀ ଦିନରେ ଶ୍ରେଣୀ ଶିକ୍ଷାଦାନକୁ ବେଶ୍ ପ୍ରଭାବିତ କରିବ ବୋଲି ବହୁ ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ବିନିତା ସେନାପତିଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ମଧ୍ୟାହ୍ନ ଭୋଜନ ପାଇଁ ସ୍କୁଲର ବ୍ୟାଙ୍କ ଆକାଉଣ୍ଟ୍‌ ପଞ୍ଜାବ୍‌ ନ୍ୟାସନାଲ୍‌ ବ୍ୟାଙ୍କରେ ଖୋଲିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସାରା ଓଡ଼ିଶା ପାଇଁ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଇଛି। ଯେଉଁ ଅଞ୍ଚଳରେ ପିଏନ୍‌ବି ଶାଖା ନାହିଁ, ସେ ସମ୍ପର୍କରେ ଶିକ୍ଷକମାନେ ଅଭିଯୋଗ କଲେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର