ହାଇକୋର୍ଟରେ ବୋହୂର ନିର୍ଯାତନା ମାମଲା: ଶାଶୂଙ୍କ ସୁରକ୍ଷା ପାଇଁ ପୁଲିସକୁ ନିର୍ଦ୍ଦେଶ

କଟକ : ନିଜ ଘରେ ଜଣେ ବରିଷ୍ଠ ମହିଳା ବୋହୂ ଦ୍ୱାରା ନିର୍ଯାତନାର ଶିକାର ହେବା ମାମଲାକୁ ହାଇକୋର୍ଟ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବରିଷ୍ଠ ନାଗରିକଙ୍କ ଘରକୁ ଥାନା ଅଧିକାରୀ ବ୍ୟକ୍ତିଗତ ଭାବେ ଯାଇ ତାଙ୍କ ସୁରକ୍ଷା ପାଇଁ ଅାବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବରିଷ୍ଠ ନାଗରିକ ତଥା ଶାଶୂ ଜଣକ ନିଜ ବୋହୂ ଦ୍ୱାରା ଯେପରି ନିର୍ଯାତନାର ଶିକାର ନ ହୁଅନ୍ତି, ତାହାକୁ ସୁନିଶ୍ଚିତ କରିବା ପାଇଁ ବୈଦ୍ୟନାଥପୁର ଥାନା ଆଇଆଇସିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ବରିଷ୍ଠ ନାଗରିକଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ଥାନା ଅଞ୍ଚଳର ବରିଷ୍ଠ ନାଗରିକ ଦମ୍ପତିଙ୍କ ପୁଅ ଓ ବୋହୂଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା। ପୁଅ ବାହାରେ ଚାକରି କରିଥିବାରୁ ଘରେ ମା’ ଏକା ରହୁଥିଲେ। ଏହାର ସୁଯୋଗ ନେଇ ଶାଶୂଙ୍କୁ ମାନସିକ, ଶାରୀରିକ ନିର୍ଯାତନା ଦେଇଥିଲେ ବୋହୂ। ଶାଶୂ ଏ ନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା। ପୁଲିସ ନିଷ୍କ୍ରିୟତାକୁ ଚାଲେଞ୍ଜ କରି ବରିଷ୍ଠ ନାଗରିକ ତଥା ଶାଶୂ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର