ସମ୍ବଲପୁର : ଏସ୍‌ଏସ୍‌ଇପିଡି ବିଭାଗ ସହଯୋଗରେ ଭିନ୍ନକ୍ଷମ, ବରିଷ୍ଠ ନାଗରିକ, ତୃତୀୟଲିଂଗୀ, ଭିକ୍ଷୁକ ପ୍ରମୁଖଙ୍କ ପାଇଁ ବିଭିନ୍ନ କଲ୍ୟାଣକାରୀ ଯୋଜନା ସରକାର ହାତକୁ ନେଇଛନ୍ତି। ବେଗର୍‌ ହୋମ୍‌ (ଭିକ୍ଷୁକ ଗୃହ) ବି କାର୍ଯ୍ୟ କରୁଛି। ଏହା ସତ୍ତ୍ବେ ମାଁ ସମଲେଶ୍ବରୀଙ୍କ ମନ୍ଦିର ଦ୍ୱାରରେ ଭିକ୍ଷୁକ ମାନଙ୍କ ଉପସ୍ଥିତି ଦୁଃଖଦାୟକ।

Advertisment

ବର୍ତ୍ତମାନ ସମଲେଇ ଯୋଜନା ଅଧୀନରେ ମାଆଙ୍କ କ୍ଷେତ୍ରର ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଛି। ମନ୍ଦିର ପରିସରକୁ ଭିକାରି ମୁକ୍ତ କରିବା ସମଲେଇ ଯୋଜନାର ଗୋଟେ ଅଂଶ ବିଶେଷ। ତେଣୁ ମାଆଙ୍କ ମନ୍ଦିର ପରିସରରେ ଭିକ୍ଷାବୃତ୍ତି ତୁରନ୍ତ ବନ୍ଦ କରିବାକୁ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ନିର୍ଦ୍ଦେଶ ଦେଇଛନ୍ତି। ସେ ଏନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏବଂ ସମ୍ବଲପୁର ମହାନଗର ନିଗମ ଆଯୁକ୍ତଙ୍କ ଦୃଷ୍ଟି ଆକର୍ଷଣ କରି ମାଆ ସମଲେଶ୍ବରୀଙ୍କ ମନ୍ଦିର ପରିସରରେ ଭିକ୍ଷାବୃତ୍ତି ବନ୍ଦ କରିବା ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରିଥିବା ଜିଲ୍ଲା ସୂଚନା ଓ଼ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।