ଭୁବନେଶ୍ବର : ଚଳିତ ବନ୍ୟାରେ ଖରିଫ ଫସଲର ସ୍ଥିତି ଏବଂ ମତ୍ସ୍ୟ ଓ ପ୍ରାଣୀଧନଳ ସୁରକ୍ଷା ନିମନ୍ତେ ନିଆଯାଉଥିବା ପଦକ୍ଷେପ ଓ ବିଭିନ୍ନ ଜିଲ୍ଲାରେ ବନ୍ୟାର ସଦ୍ୟତମ ସ୍ଥିତି ସମ୍ପର୍କରେ କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସମୀକ୍ଷା କରିଛନ୍ତି। ଏହାପରେ ମନ୍ତ୍ରୀ ଶ୍ରୀ ସ୍ବାଇଁ ବିଭାଗର କ୍ଷେତ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ସ୍ବତନ୍ତ୍ର ରିଲିଫ କମିସନରଙ୍କ ଦ୍ବାରା ଜାରି କରାଯାଇଥିବା ଏନ୍ଡିଆରଏଫ୍/ଏସ୍ଡିଆର୍ଏଫ୍ର ମାର୍ଗଦର୍ଶିକା ଅନୁଯାୟୀ ବନ୍ୟା ପ୍ରଭାବିତ ଅଞ୍ଚଳରେ ଯୁଗ୍ମ ଫସଲ କ୍ଷୟକ୍ଷତିର ତୁରନ୍ତ ଆକଳନ ଆରମ୍ଭ କରି ଅଗଷ୍ଟ ୨୭ ତାରିଖ ସୁଦ୍ଧା ରିପୋର୍ଟ ପ୍ରଦାନ କରିବେ। ବିଶେଷ ପରିସ୍ଥିତିରେ ଯେଉଁଠାରେ ବନ୍ୟାଜଳ ଛାଡ଼ିନଥିବ ଏବଂ କ୍ଷୟକ୍ଷତିର ଆକଳନ ସମ୍ଭବ ହେଉନଥିବ ସେ କ୍ଷେତ୍ରରେ ଅଗଷ୍ଟ ୩୦ତାରିଖ ସୁଦ୍ଧା ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ କ୍ଷତିଗ୍ରସ୍ତ ଉଠା ଜଳସେଚନ ପଏଣ୍ଟଗୁଡ଼ିକର ରିପୋର୍ଟ ମଧ୍ୟ ଦେବାକୁ କୁହାଯାଇଛି।
ବନ୍ୟା ପ୍ରଭାବିତ ଅଞ୍ଚଳରେ ସଅଳ କିସମର ଧାନ ବିହନର ଆବଶ୍ୟକତା ଏବଂ ଅଣଧାନ ଫସଲ ଯଥା ଡାଲି, ତୈଳବୀଜ, ପନିପରିବା ବିହନର ଆବଶ୍ୟକତା ଆକଳନ କରି ସଂପୃକ୍ତ ନିର୍ଦ୍ଦେଶାଳୟଗୁଡ଼ିକୁ ଜଣାଇବା ପାଇଁ କୁହାଯାଇଛି। ବନ୍ୟା ଯୋଗୁଁ କୃଷି ସାମଗ୍ରୀ ବିହନ, ସାର ଓ କୀଟନାଶକ ଔଷଧ ଗଚ୍ଛିତ ରଖିବାରେ କୌଣସି ଅସୁବିଧା ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ କ୍ଷେତ୍ର ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟା ପରିସ୍ଥିତିରେ ଫସଲରେ ରୋଗପୋକ ଲାଗିବାର ଆଶଙ୍କା ଥିବାରୁ ରୋଗପୋକ ନିରୀକ୍ଷଣ ଓ ନିୟନ୍ତ୍ରଣ ବ୍ୟବସ୍ଥାକୁ ତ୍ବରାନ୍ବିତ କରିବାକୁ ବୈଠକରେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ସେହିପରି ମତ୍ସ୍ୟ ସମ୍ପଦର ସ୍ଥିତି ସମ୍ପର୍କରେ ସମୀକ୍ଷା କରି ମଧୁର ଜଳ ଓ କ୍ଷାରି ପାଣିର ଜଳାଶୟର ଜଳସ୍ତରକୁ କମ୍ କରିବା ଓ ଜଳାଶୟ ଚାରିପଟେ ନେଟ୍ ଲଗାଇବା ନିମନ୍ତେ ପଦକ୍ଷେପ ନିଆଯାଇଥିବାବେଳେ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କୁ ପ୍ରଭାବିତ ଜିଲ୍ଲାଗୁଡ଼ିକୁ ପଠାଯାଇଛି। ସମସ୍ତ ମାଛ ଧରା ଡଙ୍ଗାଗୁଡ଼ିକୁ ନିରାପଦ ସ୍ଥାନକୁ ଫେରାଇ ଆଣିବା ପାଇଁ ପଦକ୍ଷେପ ନିଆଯାଇଛି। କଟକ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ ପୁରୀ ଜିଲ୍ଲାର ଉଭୟ ସରକାରୀ ଓ ବେସରକାରୀ ମତ୍ସ୍ୟ ଫାର୍ମଗୁଡ଼ିକର କ୍ଷୟକ୍ଷତିର ଠିକ୍ ଆକଳନ କରିବା ପାଇଁ କ୍ଷେତ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ କ୍ଷୟକ୍ଷତିର ରିପୋର୍ଟ ଅଗଷ୍ଟ ୨୭ତାରିଖ ସୁଦ୍ଧା ପଠାଇବାକୁ କୁହାଯାଇଛି।
ଏହି ବୈଠକରେ ବିଭାଗୀୟ ପ୍ରମୁଖ ସଚିବ ଅରବିନ୍ଦ କୁମାର ପାଢ଼ୀଙ୍କ ସମେତ ସମସ୍ତ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ବୃନ୍ଦ ଓ ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ। ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଓ ଜିଲ୍ଲା ମତ୍ସ୍ୟ ଅଧିକାରୀମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ବୈଠକରେ ଯୋଗଦେଇଥିଲେ।