ଗଣତି ଶେଷ ହେବା ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ

ଭୁବନେଶ୍ବର : ଆସନ୍ତା ୨୬ରୁ ୨୮ତାରିଖ ପର୍ଯ୍ୟନ୍ତ ସମସ୍ତ ବ୍ଲକ୍ ମୁଖ୍ୟାଳୟରେ ଭୋଟ୍‌ ଗଣତି ହେବ। ଭୋଟ୍‌ ଗଣନା ଶେଷ ହେବା ପର୍ଯ୍ୟନ୍ତ ସମ୍ଭାବ୍ୟ ଆଇନ ଶୃଙ୍ଖଳା ପରିସ୍ଥିତିର ନିୟନ୍ତ୍ରଣ ଏବଂ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢ଼ୀ ଆଜି ପୁଲିସ ଡିଜି ସୁନିଲ ବଂଶଲ ଏବଂ ଅତିରିକ୍ତ ପୁଲିସ ଡିଜି ଆର୍‌.କେ ଶର୍ମାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଭୋଟ୍‌ ଗଣତି ସମୟରେ ସୁରକ୍ଷା ବ୍ୟବସ୍ଥା ନେଇ ଆଜି ନିର୍ବାଚନ କମିସନ ଏକ ସମୀକ୍ଷା ‌ବୈଠକ ଡାକିଥିଲେ। ଭୋଟ୍‌ ଗଣତି କେନ୍ଦ୍ର ବାହାରେ, ବିଶେଷ କରି ଭୋଟ୍‌ ଗଣତି ସମୟରେ ହେବାକୁ ଥିବା ଭିଡ଼କୁ କିପରି ନିୟନ୍ତ୍ରଣ କରାଯିବ ଓ ଭୋଟ୍‌ ଗଣତି କାର୍ଯ୍ୟ ରାତି ପର୍ଯ୍ୟନ୍ତ ଚାଲିଲେ ସେ ସମୟରେ ସମ୍ଭାବ୍ୟ ଆଇନ ଶୃଙ୍ଖଳା ରକ୍ଷା ସମ୍ପର୍କରେ ନିର୍ବାଚନ କମିସନର ପୁଲିସ ଡିଜି ଓ ଅତିରିକ୍ତ ଡିଜିଙ୍କ ସହ ଆଲୋଚନା କରିଛନ୍ତି। କୌଣସି ପରିସ୍ଥିତିରେ କୌଣସି ଠାରେ ଯେପରି ବିଶୃଙ୍ଖଳା ନଉପୁଜିବ ସେ ଦିଗରେ ତୀକ୍ଷ୍‌ଣ ଦୃଷ୍ଟି ଦେବାକୁ ସଂପୃକ୍ତ ଜିଲ୍ଲାର ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ‌ଦେବା ଓ ପର୍ଯ୍ୟାପ୍ତ ସୁରକ୍ଷା ସୁରକ୍ଷା ବ୍ୟବସ୍ଥା କରିବାକୁ ନିର୍ବାଚନ କମିସନ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସମୀକ୍ଷା ବୈଠକରେ ନିର୍ବାଚନ ଆୟୋଗଙ୍କ ସଚିବ ରବୀନ୍ଦ୍ରନାଥ ସାହୁ, ସ୍ବତନ୍ତ୍ର ସଚିବ ରଘୁରାମ ଆୟାର ପ୍ରମୁଖ ଉପସ୍ଥିତ ଥିଲେ।

ସେହିପରି ନିର୍ବାଚନ କମିସନଙ୍କ ନିଷ୍ପତ୍ତି ଅନୁଯାୟୀ ଜିଲ୍ଲା ପରିଷଦ ଜୋନ୍ ଅନୁଯାୟୀ ଭୋଟ ଗଣତି ହେବ। ପ୍ରତି ଜୋନ୍‌ରେ ଯେତିକି ଗ୍ରାମ ପଞ୍ଚାୟତ ରହିଛି ସେତିକି ଟେବୁଲ ରହିବ ଏବଂ ବିନା ବିରତିରେ ଗଣନା ହେବ। ଓଡ଼ିଆ ବର୍ଣ୍ଣମାଳା ଅନୁଯାୟୀ ପଞ୍ଚାୟତଗୁଡିକୁ ଟେବୁଲ ଦିଆଯିବ। ଗୋଟିଏ ଟେବୁଲରେ ଜଣେ କାଉଣ୍ଟିଂ ସୁପରଭାଇଜର, ଦୁଇ ଜଣ ଆସିଷ୍ଟାଣ୍ଟ କାଉଣ୍ଟିଂ ଅଫିସର ଏବଂ ଜଣେ ଗ୍ରୁପ ଡି କର୍ମଚାରୀ ରହିବେ। କେଉଁ ଟିମ୍‌ କେଉଁ ଟେବୁଲରେ ବସିବେ ସେ ନେଇ ଗୁଳା ପଡ଼ିବ। ଜଣେ ପ୍ରାର୍ଥୀଙ୍କର ଜଣେ ଏଜେଣ୍ଟ ରହିବେ। ଯେତେଜଣ ପ୍ରାର୍ଥୀ ସେତିକି ଟ୍ରେ ଟେବୁଲରେ ରଖାଯିବା ସହ ଆଉ ଗୋଟିଏ ଟ୍ରେ ନାକଚ ଭୋଟ୍ ପାଇଁ ରହିବ। ବାଲଟ ପେପରକୁ ପ୍ରଥମେ ରଙ୍ଗ ଅନୁସାରେ ଅଲଗା କରାଯାଇ ପ୍ରଥମେ ୱାର୍ଡ ମେମ୍ବର ପରେ ସରପଞ୍ଚ ଓ ତା’ପରେ ସମିତି ସଭ୍ୟ ଏବଂ ଶେଷରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭୋଟ ଗଣନା ହେବ। ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କର ଯେଉଁଠି ଭୋଟ୍‌ ଗଣତି ହେବ ସେଠାରେ ନୋଟା ଭୋଟ୍‌ ପାଇଁ ଏକ ଟ୍ରେ ରହିବ। ଏହାପରେ ପର୍ଯ୍ୟାୟକ୍ରମେ ବ୍ଲକ କାର୍ଯ୍ୟାଳୟରେ ଫଳାଫଳ ଘୋଷଣା କରାଯିବ।
କୋଭିଡ କଟକଣା କୋହଳ ହୋଇଥିବାରୁ ଦୁଇ ଡୋଜ୍ ଟିକା ନେଇଥିବା ଲୋକଙ୍କୁ ଭିତରକୁ ଛଡ଼ାଯିବ। କେବଳ ଥର୍ମାଲ୍ ସ୍କ୍ରିନିଂ କରାଯିବ। କେହି ମୋବାଇଲ୍‌ ନେଇ ଗଣତି କେନ୍ଦ୍ରକୁ ଯାଇପାରିବେନି।

ଚତୁର୍ଥ ପର୍ଯ୍ୟାୟରେ ୭୯% ମତଦାନ

ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟ୍ ମଙ୍ଗଳବାର ଶେଷ ହୋଇଥିବାବେଳେ ଏଥିରେ ୭୯% ମତଦାନ ହୋଇଛି। ଯାହା ବର୍ତ୍ତମାନ ସୁଦ୍ଧା ସର୍ବାଧିକ। ୨୦୧୭ରେ ଚତୁର୍ଥ ପର୍ଯ୍ୟାୟରେ ୭୮.୮୫% ମତଦାନ ହୋଇଥିବାବେଳେ ଏଥର ୦.୧୫% ଅଧିକ ମତଦାନ ହୋଇଛି। ଗତ ଦୁଇ ପର୍ଯ୍ୟାୟ ଭଳି ଏଥର ବି ସୋନପୁରରେ ସର୍ବାଧିକ ୮୬.୫୧% ମତଦାନ ହୋଇଥିବାବେଳେ ଗଞ୍ଜାମରେ ସର୍ବନିମ୍ନ ୬୫.୨% ମତଦାନ ହୋଇଛି।

ଚତୁର୍ଥ ପର୍ଯ୍ୟାୟରେ ଅନୁଗୁଳରେ ୭୭.୭୫%, ବାଲେଶ୍ବରରେ ୭୮.୦୮%, ବଲାଙ୍ଗୀରରେ ୮୨.୨%, ବରଗଡ଼ରେ ୮୪.୮୭%, ଭଦ୍ରକରେ ୭୭%, କଟକରେ୮୦.୬୪%, ‌ଢେଙ୍କାନାଳରେ ୮୦.୫୯%, ଗଜପତିରେ ୮୨.୧୭%, ଜଗତସିଂହପୁରରେ ୮୧%, ଯାଜପୁରରେ ୭୩%, କଳାହାଣ୍ଡିରେ ୮୦.୫୩%, କନ୍ଧମାଳରେ ୭୪.୫୯%, କେନ୍ଦ୍ରାପଡ଼ାରେ ୭୭.୩୮%, କେନ୍ଦୁଝରରେ ୭୭.୯୩%, ଖୋର୍ଦ୍ଧାରେ ୭୪.୫୪%, କୋରାପୁଟରେ ୮୨.୮%, ମାଲକାନଗିରିରେ ୭୪.୧୫%, ମୟୂରଭଞ୍ଜରେ ୭୫.୪୧%, ନବରଙ୍ଗପୁରରେ ୮୩.୩%, ନୟାଗଡ଼ରେ ୭୯%, ନୂଆପଡ଼ାରେ ୮୦.୩୪%, ପୁରୀରେ ୭୮.୭୯%, ରାୟଗଡ଼ାରେ ୮୨.୩୫%, ସମ୍ବଲପୁରରେ ୭୮.୪୬%, ସୁନ୍ଦରଗଡ଼ରେ ୭୬.୦୯% ମତଦାନ ହୋଇଛି।

ସମ୍ବନ୍ଧିତ ଖବର