ଜୋରଦାର ପ୍ରତିବାଦ ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଚିଠି ପ୍ରତ୍ୟାହାର କଲେ କଙ୍କଡାହାଡ଼ ବିଇଓ

ଢେଙ୍କାନାଳ: ଶେଷରେ ଜୋରଦାର ପ୍ରତିବାଦ ପରେ ପ୍ରତ୍ୟାହାର ହେଲା ବିବାଦୀୟ ନିର୍ଦ୍ଦେଶନାମା | ସ୍କୁଲ ପରିସରକୁ କୌଣସି ସାମ୍ବାଦିକ ପ୍ରବେଶ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି କରିଥିବା ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବିଇଓ ଶେଷରେ ଏହାକୁ ପ୍ରତ୍ୟାହାର କରିଛନ୍ତି | ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଜି କଙ୍କଡ଼ାହାଡ଼ ବିଇଓ ସମସ୍ତ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଚିଠି ଲେଖି ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରାଯାଇଛି ବୋଲି ଉଲ୍ଲେଖ କରିଛନ୍ତି | ସୂଚନା ଥାଉ କି ଗଣମାଧ୍ୟମ ପ୍ରତିନିଧିମାନଙ୍କ ସ୍କୁଲ୍‌ ପ୍ରବେଶ ମନା ସଂପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଚିଠି ଅନୁଯାୟୀ କଙ୍କଡ଼ାହାଡ଼ ବିଇଓ ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକମାନଙ୍କୁ ଚିଠି ଲେଖିଥିଲେ।

 

କୌଣସି ଗଣମାଧ୍ୟମ ପ୍ରତିନିଧି କ୍ୟାମେରା ନେଇ ବିଦ୍ୟାଳୟ ଭିତରକୁ ପ୍ରବେଶ କରିପାରିବେନି। ଯଦି କେହି ଅନଧିକୃତ ଭାବେ ସ୍କୁଲକୁ କ୍ୟାମେରା ନେଇ ପ୍ରବେଶ କରନ୍ତି ଏବଂ ଶିକ୍ଷକ/ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନ କରନ୍ତି ତେବେ ସ୍କୁଲର ପ୍ରଧାନ ଶିକ୍ଷକ ସ୍କୁଲ ପରିଚାଳନା କମିଟି ସଭାପତିଙ୍କୁ ଡାକି ସ୍ଥାନୀୟ ଥାନାରେ ମାନବାଧିକାର ଉଲ୍ଲଂଘନ ନେଇ ଅଭିଯୋଗ କରିବେ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀମାନେ ଚିଠି କରିବା ପରେ ଏହାକୁ ଚାରିଆଡ଼ୁ ପ୍ରତିବାଦ କରାଯାଇଥିଲା | କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଅନେକ ସାମ୍ବାଦିକ ଏହାକୁ ଜୋରଦାର ପ୍ରତିବାଦ କରିଥିଲେ | ଆଉ ଚାପ ପଡିବା ପରେ ଏବେ ଏହି ନିର୍ଦ୍ଦେଶନାମା ପ୍ରତ୍ୟାହାର ହୋଇଛି |

ସମ୍ବନ୍ଧିତ ଖବର