କଟକ: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ ପ୍ରସଂଗକୁ ନେଇ ବିଚାରାଧୀନ ମାମଲାର ହାଇକୋର୍ଟ ଶୁଣାଣି କରି ଏହି ଯୋଜନା ଅନ୍ତର୍ଗତ ସମସ୍ତ କାର୍ଯ୍ୟକ୍ରମର ଭିଡିଓଗ୍ରାଫି ସହିତ ସୋସିଆଲ୍ ଅଡିଟ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୧ଅଗଷ୍ଟ ୨୩ରେ ହାଇକୋର୍ଟ ପ୍ରଦାନ କରିଥିବା ନିର୍ଦ୍ଦେଶ ସହ ଖାଦ୍ୟ ସୁରକ୍ଷା ଆଇନରେ ରହିଥିବା ବ୍ୟବସ୍ଥା କାର୍ଯ୍ୟକାରୀ କରି ସତ୍ୟପାଠ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସଚିବ ପରବର୍ତ୍ତୀ ଶୁଣାଣିର ଏକ ସପ୍ତାହ ପୂର୍ବରୁ ସତ୍ୟପାଠ ଦାଖଲ କରିବେ।
ମୁଖ୍ୟ ବିଚାରପତି ଡକ୍ଟର୍ ଜଷ୍ଟିସ୍ ଏସ୍. ମୁରଲୀଧର ଓ ଜଷ୍ଟିସ୍ ଏମ୍.ଏସ୍. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ୨୦୨୩, ମାର୍ଚ୍ଚ ୨କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ପିଡିଏସ୍ ବ୍ୟବସ୍ଥାକୁ କେବଳ ସୋସିଆଲ୍ ଅଡିଟ୍ କରାଯାଉଛି। ଏହି ଯୋଜନା ଅନ୍ତର୍ଗତ ଅନ୍ୟ ଯୋଜନା ଯଥା ମମତା, ମଧ୍ୟାହ୍ନଭୋଜନ, ଆଇସିଡିଏସ୍ ଓ ଏମ୍ବିପି କାର୍ଯ୍ୟକ୍ରମର ସୋସିଆଲ୍ ଅଡିଟ୍ କରିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି।