ଅତ୍ୟାଧୁନିକ ଚାଉଳ ମିଲ୍‌ ପାଇଁ ନିର୍ଦେଶ, ବଢିବ ଉତ୍ପାଦନ: ରିପୋର୍ଟ ପ୍ରଦାନରେ ରାଜ୍ୟ ସରକାରଙ୍କ ବିଳମ୍ବ

ଭୁବନେଶ୍ବର: ରାଜ୍ୟରେ ଅତ୍ୟାଧୁନିକ ଚାଉଳ ମିଲ୍‌ ନେଇ ରିପୋର୍ଟ ପ୍ରଦାନ ପାଇଁ ନିର୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ମାତ୍ର ୫ ମାସ ଅତିକ୍ରାନ୍ତ ହୋଇ ସାରିଥିଲେ ମଧ୍ୟ ଏ ସଂକ୍ରାନ୍ତରେ କୌଣସି ଉତ୍ତର ଦିଆଯାଇନାହିଁ। ବର୍ତ୍ତମାନ ଏଫ୍‌ସିଆଇର ବାରମ୍ବାର ତାଗିଦ୍‌ ପରେ ରାଜ୍ୟ ଯୋଗାଣ ବିଭାଗ ପକ୍ଷରୁ ସିଏସ୍‌ଓଙ୍କୁ ଜିଲ୍ଲାସ୍ତରର ଚାଉଳ ମିଲ୍‌ର ସ୍ଥିତି ସମ୍ପର୍କରେ ରିପୋର୍ଟ ଦେବା ପାଇଁ ନିର୍ଦେଶ ଜାରି ହୋଇଛି।

ସୂଚନା ଅନୁସାରେ, ୧୦୦ କେଜି ଧାନରୁ ୬୭ କେଜି ଚାଉଳ ଉତ୍ପାଦିତ ହୁଏ। ଏଥିରେ ପୁଣି ଅନେକ ଖୁଦ ଥାଏ। ମିଲ୍‌ଗୁଡ଼ିକ ଅତ୍ୟାଧୁନିକ ହୋଇ ପାରିଲେ ସମାନ ପରିମାଣର ଧାନରୁ କମ୍‌ ଖୁଦ ଥାଇ ୭୦ କେଜି ଚାଉଳ ଉତ୍ପାଦିତ ହେବ। ବର୍ତ୍ତମାନ ଓଡ଼ିଶା ବାର୍ଷିକ ୫୨ ଲକ୍ଷ ମେଟ୍ରିକ ଟନ୍‌ର ଚାଉଳ ଉତ୍ପାଦନ କରୁଛି। ମିଲ୍‌ଗୁଡ଼ିକ ଅତ୍ୟାଧୁନିକ ହୋଇପାରିଲେ ଚାଉଳ ଉତ୍ପାଦନ ଆହୁରି ବଢିବ, ଉଭୟ ରାଜ୍ୟ ଏବଂ ଦେଶ ଲାଭାନ୍ବିତ ହେବେ। ସେଥିରେ ପୁଣି ରକ୍ତହୀନତା ଏବଂ ଅପପୁଷ୍ଟିର ମୁକାବିଲା ପାଇଁ ପ୍ରସ୍ତୁତ ଭିଟାମିନ୍‌ଯୁକ୍ତ ଚାଉଳ ମଧ୍ୟ ମିଲ୍‌ଗୁଡ଼ିକ ଯୋଗାଣ କରିପାରିବେ। ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ଧାନ ସଂଗ୍ରହ ପ୍ରକ୍ରିୟାରେ ଅତ୍ୟାଧୁନିକ ମିଲ୍‌ଗୁଡ଼ିକୁ ଟ୍ୟାଗ୍‌ ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏହାକୁ କାର୍ଯ୍ୟକାରୀ କରିବା ପୂର୍ବରୁ କେନ୍ଦ୍ର ସରକାରଙ୍କ ନିର୍ଦେଶରେ ତାମିଲନାଡ଼ୁର ଏକ ସଂସ୍ଥା ରାଜ୍ୟରେ ଥିବା ମିଲ୍‌ଗୁଡ଼ିକର ସ୍ଥିତିକୁ ନେଇ ରିପୋର୍ଟ ଦେଇଛି। ଏଥିରେ ଅନେକ ମିଲ୍‌ ପୁରୁଣାକାଳିଆ ଏବଂ ଛୋଟ ଥିବା ମଧ୍ୟ ଉଲ୍ଲେଖ ରହିଛି।

ରାଜ୍ୟରେ ସମୁଦାୟ ୧୩୫୦ଟି ଚାଉଳ ମିଲ୍‌ ରହିଛି। ଏଥିରୁ ଗଞ୍ଜାମରେ ସର୍ବାଧିକ ଛୋଟ ଏବଂ ପୁରୁଣାକାଳିଆ ଚାଉଳ ମିଲ୍‌ ରହିଛି। ଚାଉଳ ମିଲ୍‌ଗୁଡ଼ିକୁ ଅତ୍ୟାଧୁନିକ କରିବା ପାଇଁ ବିଶେଷ ଖର୍ଚ ମଧ୍ୟ କରିବାକୁ ପଡ଼ିବନାହିଁ। କେଉଁ ଉପକରଣ ଲଗାଇଲେ ଉତ୍ପାଦନ ବଢ଼ିବ, ତାକୁ ନେଇ ତାମିଲନାଡ଼ୁର ଏହି ସଂସ୍ଥା ପରାମର୍ଶ ଦେଇଛି। କେବଳ ଓଡ଼ିଶା ନୁହେଁ, ଚାଉଳ ଉତ୍ପାଦନ କରୁଥିବା ପ୍ରତ୍ୟେକ ରାଜ୍ୟରେ ଚାଉଳ ମିଲ୍‌କୁ ଅତ୍ୟାଧୁନିକ କରିବା ପାଇଁ କେନ୍ଦ୍ର ନିର୍ଦେଶ ଦେଇଛନ୍ତି। ଏସଂକ୍ରାନ୍ତରେ ରିପୋର୍ଟ ପ୍ରଦାନ ପାଇଁ କୁହାଯାଇଛି। କେନ୍ଦ୍ର ସରକାରଙ୍କ ଅର୍ଥରେ ରାଜ୍ୟ ସରକାର ଧାନ ସଂଗ୍ରହ କରିଥାଆନ୍ତି। ଏଥିପାଇଁ ଚାଷୀ ଠାରୁ ଧାନ ସଂଗ୍ରହ କରି ମିଲ୍‌ଠାରୁ ଧାନରୁ ଚାଉଳ ରିସାଇକ୍ଲିଂ ପର୍ଯ୍ୟନ୍ତ ସମସ୍ତ ଅର୍ଥ କେନ୍ଦ୍ର ବହନ କରିଥାଏ। ମାତ୍ର ବିଭିନ୍ନ ସମୟରେ ଚାଉଳ ମିଲ୍‌ଗୁଡ଼ିକର ଦୁର୍ନୀତି ଯୋଗୁଁ ଆବଶ୍ୟକ ପରିମାଣର ଚାଉଳ ମିଳେ ନାହିଁ ଏବଂ ବିଭିନ୍ନ ସମୟରେ ନିମ୍ନମାନର ଚାଉଳ ଉତ୍ପାଦିତ ହୁଏ। ବର୍ତ୍ତମାନ ଚାଉଳ ଉତ୍ପାଦନ ବୃଦ୍ଧି କରିବା ପାଇଁ ନିଆଯାଇଥିବା ପଦକ୍ଷେପ କେତେ ସଫଳ ହେଉଛି ତାକୁ ନେଇ ପ୍ରଶ୍ନବାଚୀ ରହିଛି। ଏହି ବ୍ୟବସ୍ଥା ଉପଯୁକ୍ତ ଭାବରେ କାର୍ଯ୍ୟକାରୀ କରିବା ଦିଗରେ ରାଜ୍ୟର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ସେମାନେ କେତେ ସଫଳ ହେଉଛନ୍ତି ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର