ପଦ୍ମପୁର ଉପନିର୍ବାଚନ ସମୟରେ ଅବକାରୀ ଚଢ଼ଉ ଜୋରଦାର ପାଇଁ ନିର୍ଦ୍ଦେଶ

ଭୁବନେଶ୍ବର : ପଦ୍ମପୁର ଉପନିର୍ବାଚନରେ ଯେଭଳି ନିଶା କାରବାର ନହୁଏ, ତାହା ଉପରେ କଡ଼ା ନଜର ରଖିବାକୁ ରାଜ୍ୟ ଅବକାରୀ କମିସନର ଆଶିଷ କୁମାର ସିଂହ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଶ୍ରୀ ସିଂହ ଭର୍ଚୁଆଲ ବୈଠକରେ ଅବକାରୀ ଚଢ଼ଉ ସ୍ଥିତିର ସମୀକ୍ଷା କରିଥିଲେ। ବୈଠକରେ ଅତିରିକ୍ତ ଅବକାରୀ କମିସନର୍‌ ରାମଚନ୍ଦ୍ର ପାଲଟା, ଅବକାରୀ ଉପକମିସନର ରାମଚନ୍ଦ୍ର ମିଶ୍ର, ଅବକାରୀ ଉପାୟୁକ୍ତ ରଜତ ପ୍ରହରାଜ, ଅଶୋକ ଶତପଥୀ, ରାଜେନ୍ଦ୍ର ଭତ୍ରା ଏବଂ ବଲାଙ୍ଗୀର, ସୋନପୁର, ନୂଆପଡ଼ା, ଝାରସୁଗୁଡ଼ା, ସମ୍ବଲପୁର, ଫ୍ଲାଇଂ ସ୍କ୍ୱାଡ୍‌, ଇଆଇ ଏବଂ ଇବି ୟୁନିଟ୍‌-୨, ସମ୍ବଲପୁରର ଅଧୀକ୍ଷକ ପ୍ରମୁଖ ଯୋଗ ଦେଇଥିଲେ।

ଅବକାରୀ କମିସନର୍‌ ଶ୍ରୀ ସିଂହଙ୍କ ନିର୍ଦ୍ଦେଶ ଅନୁଯାୟୀ, ବରଗଡ଼ ଅବକାରୀ ଅଧୀକ୍ଷକ ଅଧିକ ନିୟନ୍ତ୍ରଣ କକ୍ଷ ଖୋଲିବା ସହ ତିନୋଟି ଟିମ୍ କରି ଦିନରାତି ପଇଁତରା ଓ ଚଢ଼ଉ କରୁଛନ୍ତି। ସେ ବଲାଙ୍ଗୀର, ସୋନପୁର, ନୂଆପଡ଼ା, ଝାରସୁଗୁଡ଼ା, ସମ୍ବଲପୁର ଅବକାରୀ ଅଧୀକ୍ଷକ ବରଗଡ଼ ଜିଲ୍ଲାର ଆଖପାଖ ଅଞ୍ଚଳରେ ପ୍ରତିଦିନ ଚଢ଼ଉ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅବକାରୀ ଫ୍ଲାଇଂ ସ୍କ୍ବାଡ୍ ଓ ଇଆଇ ଓ ଇବି ୟୁନିଟ୍‌-୨, ସମ୍ବଲପୁରର ଅଧୀକ୍ଷକ ବରଗଡ଼ରେ କ୍ୟାମ୍ପ କରି ଏନ୍‌ଫୋର୍ସମେଣ୍ଟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପଦ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ସମସ୍ତଙ୍କୁ ସଜାଗ ଓ ସତର୍କ ରହିବାକୁ କମିସନର ଶ୍ରୀ ସିଂହ ନିର୍ଦ୍ଦେଶ ଦେବା ସହିତ କୌଣସି ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ସତର୍କ କରିଛନ୍ତି।

ପଡ଼ୋଶୀ ଜିଲ୍ଲା ବଲାଙ୍ଗୀର, ସୋନପୁର, ନୂଆପଡ଼ା, ଝାରସୁଗୁଡ଼ା, ସମ୍ବଲପୁରର ଅଧୀକ୍ଷକମାନଙ୍କୁ ନିଶାଦ୍ରବ୍ୟର ବେଆଇନ ଚାଲାଣ ଉପରେ ନଜର ରଖିବାକୁ ଏବଂ ପ୍ରତିଦିନ ନିର୍ଦ୍ଦେଶାଳୟକୁ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବରଗଡ଼ ଅଧୀକ୍ଷକଙ୍କୁ ମଧ୍ୟ ନିର୍ଦ୍ଧାରିତ ଫର୍ମାଟ୍‌ରେ ରିପୋର୍ଟ ଦାଖଲ କରିବା ଏବଂ ଏନ୍‌ଫୋର୍ସମେଣ୍ଟ କାର୍ଯ୍ୟକୁ ପ୍ରତିଦିନ ବ୍ୟକ୍ତିଗତ ଭାବେ ତଦାରଖ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତିଦିନ ସ୍ଥିତି ଉପରେ ନଜର ରଖିବାକୁ ଅବକାରୀ ଉତ୍ତରାଞ୍ଚଳଙ୍କୁ ଉପାୟୁକ୍ତଙ୍କୁ କମିସନର୍‌ ଶ୍ରୀ ସିଂହ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର