କ୍ଷମତାଠାରୁ ଥିବା ଅଧିକ ବନ୍ଦୀଙ୍କୁ ସ୍ଥାନାନ୍ତର ନିର୍ଦ୍ଦେଶ

ଜେଲ୍‌ରେ ଭିଡ଼ ଏଡ଼ାଇବା ଉପରେ ହାଇକୋର୍ଟଙ୍କ ଗୁରୁତ୍ବ

କଟକ : ରାଜ୍ୟର କେତେକ ଜେଲରେ ନିର୍ଦ୍ଧାରିତ ସଂଖ୍ୟାଠାରୁ ଅଧିକ ବନ୍ଦୀ ରହିଛନ୍ତି। କରୋନା ସଂକ୍ରମଣ ସ୍ଥିତିରେ ଏହା ବନ୍ଦୀଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷା ପ୍ରତି ଗୁରୁତର ବିପଦ ସୃଷ୍ଟି କରୁଛି। ଏଭଳି ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ କ’ଣ ଯୋଜନା ରହିଛି ସେ ନେଇ ହାଇକୋର୍ଟରେ ସବିଶେଷ ତଥ୍ୟ ଦାଖଲ ହେବ। ଏହି ପ୍ରସଂଗ ପ୍ରତି ତୁରନ୍ତ ଧ୍ୟାନ ଦିଆଯିବା ଆବଶ୍ୟକ ବୋଲି କହିବା ସହିତ ପରବର୍ତ୍ତୀ ଶୁଣାଣି ପୂର୍ବରୁ ଏ ନେଇ ରାଜ୍ୟ ସରକାରଙ୍କ ଯୋଜନା ସଂକ୍ରାନ୍ତରେ ସମସ୍ତ ତଥ୍ୟ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ହାଇକୋର୍ଟରେ ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ଆମିକସ୍‌କ୍ୟୁରି ଦର୍ଶାଇଥିଲେ ଯେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରି ରାଜ୍ୟର ବିଭିନ୍ନ ଜେଲରେ ରହିଥିବା ବନ୍ଦୀଙ୍କ ତଥ୍ୟ ଜେଲ ଡିଜିଙ୍କ ୱେବ୍‌ସାଇଟ୍‌ରେ ଅପଲୋଡ୍ କରାଯାଇଛି। ୬ଟି ଜେଲରେ ନିର୍ଦ୍ଧାରିତ ସଂଖ୍ୟାଠାରୁ ଅଧିକ ବନ୍ଦୀ ରହିଛନ୍ତି। ଫୁଲବାଣୀ ଜିଲ୍ଲା ଜେଲ, ଭଦ୍ରକ ସ୍ପେସାଲ ଜେଲ ଏବଂ ଯାଜପୁର, ନୟାଗଡ଼, ପାରଳାଖେମୁଣ୍ଡି ଓ ମାଲକାନଗିରି ସବ୍-ଜେଲରେ ଏଭଳି ଅବସ୍ଥା ରହିଛି। ଭଦ୍ରକ ଜେଲରେ ସ୍ଥିତି ଅଧିକ ଗମ୍ଭୀର ରହିଛି। ଏହି ଜେଲରେ ୧୬୬ ଜଣ ବନ୍ଦୀ ରହିବା କଥା, କନ୍ତୁ ଏବେ ୪୩୦ଜଣ ଅଛନ୍ତି ବୋଲି ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା। କରୋନା ସଂକ୍ରମଣ ସ୍ଥିତିରେ ଜେଲ୍‌ରେ ଏଭଳି ସ୍ଥିତି ଜେଲ କର୍ମଚାରୀଙ୍କ ସହିତ ବନ୍ଦୀଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ହାଇକୋର୍ଟ କହିଛନ୍ତି। ଏଭଳି ସ୍ଥିତିରେ ତୁରନ୍ତ ଜେଲରୁ ଭିଡ଼ ଏଡ଼ାଇବା ଆବଶ୍ୟକ। ନିର୍ଦ୍ଧାରିତ ସଂଖ୍ୟାଠାରୁ ଯେଉଁ ଜେଲରେ ଅଧିକ ବନ୍ଦୀ ରହିଛନ୍ତି ସେମାନଙ୍କୁ ତୁରନ୍ତ ଅନ୍ୟ ସୁରକ୍ଷିତ ପରିସରକୁ ପର୍ଯ୍ୟାୟକ୍ରମେ ସ୍ଥାନାନ୍ତର କରାଯିବା ଉଚିତ। ଜେଲ୍‌ର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଥିପାଇଁ ଅନ୍ୟ ସରକାରୀ କୋଠା ବା ବ୍ୟବସ୍ଥାକୁ ବ୍ୟବହାର କରାଯାଇ ପାରିବ। ଏ ସଂପର୍କିତ ଯୋଜନା ପ୍ରସ୍ତୁତ କରିବା ବେଳେ ଏହି ପ୍ରସଂଗକୁ ମଧ୍ୟ ବିଚାରକୁ ନିଆଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏଥି ସହିତ ଜିଲ୍ଲା ମାଜିଷ୍ଟ୍ରେଟ୍‌ ସବୁ ଜେଲର ଅଚାନକ ଯାଞ୍ଚ କରିବା, ଡାକ୍ତରୀ ଦଳ ଦ୍ବାରା ଜେଲ ଭିତର ସ୍ଥିତି ଯାଞ୍ଚ ସଂକ୍ରାନ୍ତରେ ମାର୍ଚ୍ଚ ୯ରେ ପ୍ରଦାନ କରାଯାଇଥିବା ଆଦେଶ କାର୍ଯ୍ୟକାରୀ ପ୍ରସଂଗରେ ସତ୍ୟପାଠ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।  ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍‌ ଏସ୍‌. ମୁରଲୀଧର ଓ ଜଷ୍ଟିସ୍ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ କେ.ପି. ସାହୁଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।  ଜୁନ୍ ୨୮ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ଆମିକସ୍‌କ୍ୟୁରି ବରିଷ୍ଠ ଆଇନଜୀବୀ ଗୌତମ ମିଶ୍ର ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର