କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳରେ ଲିଜ୍ ଅବଧି ସରୁଥିବା ୧୨ଟି ଖଣି କାରବାର ବନ୍ଦ କରିବାକୁ ଗତ ୩୦ ତାରିଖରେ ଡିଏଫ୍ଓ ସନ୍ତୋଷ ଯୋଶୀ ନିର୍ଦେଶ ଦେଇଥିଲେ। ଲିଜ୍ ଅବଧି ସରିଥିଲେ ହେଁ ଲିଜ୍ଧାରୀମାନେ ଖଣି ଭିତରେ ଖନନ କରି ଗଚ୍ଛିତ ରଖିଥିବା ଲୁହାପଥରକୁ ଆସନ୍ତା ଛଅମାସ ମଧ୍ୟରେ ଉଠାଇ ପାରିବେ ବୋଲି ସରକାରଙ୍କ ପକ୍ଷରୁ ନିର୍ଦେଶନାମା ଜାରି ହୋଇଛି। ଏ ସଂପର୍କରେ ଗତ ୩୧ ତାରିଖରେ ରାଜ୍ୟ ସରକାରଙ୍କର ସ୍ବତନ୍ତ୍ର ସଚିବ ଦେବୀଦତ୍ତ ବିଶ୍ବାଳ ଚିଠି ନଂ-୬୭୫୫ରେ ପିସିସିଏଫ୍ଙ୍କୁ ଏକ ପତ୍ର ଲେଖିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, କେନ୍ଦୁଝର ଡିଏଫ୍ଓଙ୍କ ଚିଠି ନଂ-୨୦୭୦ ଅନୁସାରେ, କେଜେଏସ୍ ଆଲୁୱାଲିଆ ଅଧୀନରେ ଥିବା ନୂଆଗାଁ ଲୁହାପଥର ଖଣି, କେପି ଏଣ୍ଟରପ୍ରାଇଜେସ୍ ଅଧୀନରେ ଥିବା ଠାକୁରାଣୀ ଲୁହାପଥର ଖଣି, ରୁଙ୍ଗ୍ଟା ମାଇନ୍ସ ଅଧୀନରେ ଥିବା ଜଜାଙ୍ଗ ଲୁହାପଥର ଓ ମାଙ୍ଗାନିଜ୍ ଖଣି, ମଙ୍ଗିଲାଲ ରୁଙ୍ଗଟା ଅଧୀନରେ ଥିବା ସିଲିଯୋଡ଼ା-କାଳିମାଟି ଲୁହାପଥର ଓ ମାଙ୍ଗାନିଜ୍ ଖଣି, ରୁଙ୍ଗ୍ଟା ସନ୍ସ ଅଧୀନରେ ଥିବା କଟାସାହି ମାଙ୍ଗାନିଜ୍ ଖଣି, ଏସେଲ ମାଇନିଂ ଅଧୀନରେ ଥିବା କାଶିଆ ଲୁହାପଥର ଓ ଡୋଲାମାଇଟ୍ ଖଣି, ଏସେଲ ମାଇନିଂ ଅଧୀନରେ ଥିବା ଜିଲିଙ୍ଗ-ଲଙ୍ଗାଲୋଟା ଲୁହାପଥର ଖଣି, କେଏନ୍ ରାମ ଅଧୀନରେ ଥିବା ରୋଇଡ଼ା-୨ ଲୁହାପଥର ଖଣି, କଳିଙ୍ଗ ମାଇନିଂ କର୍ପୋରେସନର ଲୁହାପଥର ଖଣି, ସିରାଜୁଦ୍ଦିନ ଅଧୀନରେ ଥିବା ବଲଦା ଲୁହାପଥର ଖଣି, ଆର୍ପି ସାଓ ଲୁହାପଥର ଖଣି, ପଟ୍ଟନାୟକ ମିନେରାଲସ୍ ଅଧୀନରେ ଥିବା ଜରିବାହାଲ ଲୁହାପଥର ଖଣିର ମାଇନିଂ ଲିଜ୍ ଓ ପରିବେଶ ଅନୁମତି ମାର୍ଚ୍ଚ ୩୧ ତାରିଖରେ ଶେଷ ହେଉଛି। ତେଣୁ ଏପ୍ରିଲ ୧ ତାରିଖରୁ ଏଠାରେ ଆଉ କୌଣସି ପ୍ରକାର କାରବାର ନ କରିବାକୁ ଡିଏଫ୍ଓ ଚିଠି ଲେଖିଥିଲେ।