ଶକ୍ତି ବିଭାଗକୁ ଯିବ ଓରେଡା

ଏନ୍‌ଡିଆର୍‌ଏଫ୍‌କୁ ବାଲେଶ୍ବରରେ ଜମି, ରେଙ୍ଗାଳି ବାମ କେନାଲ ପାଇଁ ୨୩୧ କୋଟି

ଭୁବନେଶ୍ବର : ରାଜ୍ୟ ସରକାର ବିଭିନ୍ନ ଏନଜିଓମାନଙ୍କୁ ନିୟନ୍ତ୍ରଣ କରିବାକୁ ଯାଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏବେ ସମବାୟ ପଞ୍ଜୀକରଣ ଆଇନ, ୧୮୬୦ରେ ଯେଉଁ ସବୁ ସଂସ୍ଥା ପଞ୍ଜୀକରଣ ହୋଇଥିବେ, ଏବେ ସେମାନଙ୍କୁ ପାଞ୍ଚବର୍ଷ ପରେ ଆଉଥରେ ନବୀକରଣ କରିବାକୁ ପଡ଼ିବ। ସଂପକ୍ତ ସଂସ୍ଥାମାନଙ୍କୁ ଅଡିଟ୍ କରିବାକୁ ସରକାର ସ୍ଥିର କରିଛନ୍ତି। ସେସବୁରେ ବିବାଦର ସମାଧାନ ପାଇଁ ଜିଲ୍ଲାସ୍ତରରେ ଏକ ସଂସ୍ଥା କରାଯିବ। ସେହିଭଳି ସରକାର ବାଲେଶ୍ବର ସଦର ତହସିଲ ଅନ୍ତର୍ଗତ ହିଡ଼ିଗାଁ ଗ୍ରାମରେ ସାଢେ ତିନି ଏକର ସରକାରୀ ଜମିକୁ ଏନଡିଆରଏଫର ଗୋଟିଏ କମ୍ପାନି ପ୍ରତିଷ୍ଠା ପାଇଁ ଯୋଗାଇ ଦେବେ। ବିନା ମୂଲ୍ୟରେ ଏହି ଜମି ହସ୍ତାନ୍ତର ହେବ ବୋଲି ଆଜି କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି।

କ୍ୟାବିନେଟର ଅନ୍ୟ ନିଷ୍ପତ୍ତି ସଂପର୍କରେ ସୂଚନା ଦେଇ ମୁଖ୍ୟସଚିବ କହିଥିଲେ, ପେଟ୍ରୋଲ ଓ ଡିଜେଲ ଉପରେ ସରକାର ଯେଉଁ ମୂଲ୍ୟଯୁକ୍ତ କର (ମେ ୧୭ ତାରିଖ) ବଢାଇଥିଲେ। ଆଜି କ୍ୟାବିନେଟ୍ ତା ଉପରେ ମୋହର ଲଗାଇଛନ୍ତି। ଗତ ୧୭ ତାରିଖଦିନ ପେଟ୍ରୋଲ ଉପରେ ଭାଟ୍ ୨୬ରୁ ୩୨ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା। ଏହାଦ୍ବାରା ପେଟ୍ରୋଲ ଲିଟର ପିଛା ମୂଲ୍ୟ ୩ଟଙ୍କା ୧୧ ପଇସା ବୃଦ୍ଧି ପାଇଥିଲା। ସେହିପରି ଡିଜେଲ କ୍ଷେତ୍ରରେ ଏହାର ପରିମାଣ ୨୬ରୁ ୨୮ ପ୍ରତିଶତ ହୋଇଛି, ଯାହା ଫଳରେ ମୂୂଲ୍ୟ ଲିଟର ପିଛା ୧ଟଙ୍କା ୩ ପଇସା ବଢିଛି। ୨୦୧୬ ଜାନୁଆରି ୫ ତାରିଖରେ ଶେଷ ଥର ପାଇଁ ଏହା ବୃଦ୍ଧି ଘଟିଥିଲା। ସଂପ୍ରତି ମୂଲ୍ୟଯୁକ୍ତ କର ସଂଶୋଧନ ହେତୁ ମିଳିବାକୁ ଥିବା ଅର୍ଥ ସ୍ବାସ୍ଥ୍ୟ ସେବା, ଶିକ୍ଷା ଏବଂ ସାମାଜିକ କ୍ଷେତ୍ରରେ ବିନିଯୋଗ ହେବ।

pe.gatech.edu

ରାଜ୍ୟ କ୍ୟାବିନେଟ୍ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମରେ ନବୀକରଣ ଯୋଗ୍ୟ ଶକ୍ତି ଉତ୍ସର ବିକାଶକୁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଅଧୀନରୁ ଆଣି ଶକ୍ତି ବିଭାଗରେ ରଖିଛନ୍ତି। ଏହିକ୍ରମରେ ଓରେଡ଼ା ଏଣିକି ଶକ୍ତି ବିଭାଗ ଅଧୀନରେ କାର୍ଯ୍ୟ କରିବ।

ରାଜ୍ୟରେ ଅବସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ଓ ଜବାହର ନବୋଦୟ ବିଦ୍ୟାଳୟଗୁ଼ଡିକ ୨୦୧୫ େଫବ୍ରୁଆରି ୧୧ ତାରିଖ ପୂର୍ବରୁ ଦେଉଥିବା ବାର୍ଷିକ ଭୂ ରାଜସ୍ବ ଓ ସେସ ପରିବର୍ତେ ଏବେ ଏକ ଟଙ୍କା ଦେବେ। ଏହି ଅନୁଷ୍ଠାନଗୁଡିକ ଉପରେ ବର୍ତମାନ ସୁଦ୍ଧା ଥିବା ଦେୟ ଓ ସୁଧ ଛାଡ଼ କରିବା ଲାଗି କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି। ତେବେ ଯେଉଁ କେନ୍ଦ୍ରୀୟ ବିଦ୍ୟାଳୟ ଓ ଜବାହର ନବୋଦୟ ବିଦ୍ୟାଳୟ ସରକାରୀ ଦେୟ ପୈଠ କରିଛନ୍ତି, ତାହା ଫେରସ୍ତ ହେବନାହିଁ କିମ୍ବା ଏ ସଂକ୍ରାନ୍ତରେ ପୁନଃ ବିଚାର କରାଯିବ ନାହିଁ।

ଓଡ଼ିଶା ଦ୍ରବ୍ୟ ଓ ସେବା କର (ସଂଶୋଧନ) ଅଧ୍ୟାଦେଶ କ୍ରମରେ ରାଜ୍ୟ ସରକାର ଏକ ବଡ଼ ପରିବର୍ତ୍ତନ ଆଣିଛନ୍ତି। ଏ ସଂକ୍ରାନ୍ତ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ଏଣିକି ଯୁଦ୍ଧ, ମହାମାରୀ, ବନ୍ୟା, ବାତ୍ୟା, ଭୂମିକମ୍ପ କିମ୍ବା ଅନ୍ୟ କୌଣସି ପ୍ରାକୃତିକ ଦୁର୍ବିପାକ ସମୟରେ ଦ୍ରବ୍ୟ ଓ ସେବା ଯୋଗାଣର ବିବରଣୀ, ଫେରସ୍ତ ଦାବିର ଦାଖଲ, ଅପିଲ କରିବାର ତାରିଖକୁ ଦ୍ରବ୍ୟ ଓ ସେବା କର ପରିଷଦର ସୁପାରିସ କ୍ରମେ ବୃଦ୍ଧି କରିପାରିବେ।

ସେହିଭଳି ଅନ୍ୟ ଏକ ନିଷ୍ପତ୍ତି କ୍ରମେ ଦ୍ରବ୍ୟ ଓ ସେବା କର ପରିଷଦର ସୁପାରିସ ଅନୁସାରେ ପଞ୍ଜୀକୃତ ବ୍ୟକ୍ତିମାନେ ଯେପରି ବିଧିରେ ଥିବା ବ୍ୟବସ୍ଥା ଅନୁସାରେ ଓ ଦିଆଯାଇଥିବା ସମୟ ସୀମା ମଧ୍ୟରେ ମଧ୍ୟବର୍ତୀକାଳୀନ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ବ୍ୟବହାର କରିପାରିବେ ସେଥିଲାଗି ରାଜ୍ୟ ସରକାରଙ୍କୁ ଏବେ କ୍ଷମତାସଂପନ୍ନ କରାଯାଇଛି।

YouTube

ରେଙ୍ଗାଳି ବାମପାର୍ଶ୍ବ କେନାଲର (୧୦୭.୫୦୦ କିମିରୁ ୧୨୩.୫୦୦ କିମି ଯାଏ) ପର୍ଯ୍ୟନ୍ତ ମୁଖ୍ୟ କେନାଲର ନିର୍ମାଣ ହେବ। ଗେମନ୍ ଇଞ୍ଜିନିୟର୍ସ ଏଣ୍ଡ କଣ୍ଟ୍ରାକ୍ଟର ପ୍ରାଇଭେଟ୍ ଲିମିଟେଡ୍ ଏବଂ ଡିଡି ବିଲଡର୍ ଲିମିଟେଡକୁ ନେଇ ଗଠିତ ଯୌଥ ଉଦ୍ୟୋଗ ଏହି କାର୍ଯ୍ୟ କରିବେ। ୨୩୦ କୋଟି ୯୩ଲକ୍ଷ ୮୦ ହଜାର ୨୨୫ ଟଙ୍କା ବ୍ୟୟ ଅଟକଳରେ ଏହି ପ୍ରକଳ୍ପ କରିବା ଲାଗି ସଂପୃକ୍ତ ସଂସ୍ଥାକୁ ଟେଣ୍ଡର ମିଳିଛି। ଢେଙ୍କାନାଳ, ଯାଜପୁର ଓ କେନ୍ଦୁଝର ଜିଲ୍ଲାର ୩୯ ହଜାର ୪୧୫ ହେକ୍ଟର ଜଳସେତନ ଲକ୍ଷ୍ୟ ରଖି ଏହି କେନାଲର ପରିକଳ୍ପନା କରାଯାଇଛି। ଯେଉଁଥିରେ ଦ୍ବିତୀୟ ପର୍ଯ୍ୟାୟରେ ୨୨୫୫ କୋଟି ୩୦ଲକ୍ଷ ଟଙ୍କା ବିନିଯୋଗ ହେବ। ସେ ମଧ୍ୟରୁ ୧୭୮୪ କୋଟି ୨୦ ଲକ୍ଷ ଟଙ୍କା ଜାଇକା ଓ ୪୬୮ କୋଟି ୧୦ଲକ୍ଷ ଟଙ୍କା ରାଜ୍ୟ ସରକାର ପ୍ରଦାନ କରିବେ। ଏହି ପ୍ରକଳ୍ପର ସମସ୍ତ ନିର୍ମାଣ କାର୍ଯ୍ୟ ୨୦୨୩ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି।

ରାଜ୍ୟ କ୍ୟାବିନେଟ୍ ଆଜି ଶିଳ୍ପ ବିବାଦ ଆଇନ, ୧୯୪୭ ଧାରା ୨୫ କେ ଓ ୨୫ ଏଫରେ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ଏହି କ୍ରମରେ ପୁଞ୍ଜିନିବେଶକୁ ଆକର୍ଷିତ କରିବା, ପର୍ଯ୍ୟାପ୍ତ ନିଯୁକ୍ତି ସୃଷ୍ଟି କରିବା, ଶ୍ରମିକମାନଙ୍କର କଲ୍ୟାଣ କରିବା ପାଇଁ ସଂସ୍କାର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। କରୋନା ଦ୍ବାରା ଏବେ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗରେ ଉପୁଜିଥିବା ଦୁର୍ଦଶା ଦୂର ପାଇଁ ତଥା ପୁଞ୍ଜିନିବେଶକୁ ଆକୃଷ୍ଟ ପାଇଁ ବହୁ ସଂଖ୍ୟାରେ ନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି ଯୋଜନା ହୋଇଛି। କେନ୍ଦ୍ର ସରକାରଙ୍କ ପରାମର୍ଶକ୍ରମେ ଶିଳ୍ପ ବିବାଦ ଆଇନର ଧାରା ୨୫କେ ଅନୁସାରେ ଶ୍ରମିକଙ୍କ ସଂଖ୍ୟା ଉପଯୋଗିତାକୁ ୧୦୦ରୁ ୩୦୦କୁ ବୃଦ୍ଧି କରିବା ପାଇଁ ସ୍ଥିର କରିଛନ୍ତି।

ସମ୍ବନ୍ଧିତ ଖବର