କଟକ : ଓଡ଼ିଶା ରିୟଲ ଇଷ୍ଟେଟ୍‌ ରେଗୁଲେଟୋରି ଅଥରିଟି (ଓରେରା) ନିର୍ଦ୍ଦେଶ କାର୍ଯ୍ୟକାରୀ ପ୍ରସଙ୍ଗରେ ରହିଥିବା ସମସ୍ୟାକୁ ନେଇ ବିଚାରାଧୀନ ମାମଲାରେ ଜବାବ ଦାଖଲ ପାଇଁ ସରକାର ଦ୍ବିତୀୟଥର ସମୟ ଲୋଡ଼ିଛନ୍ତି। ହାଇକୋର୍ଟ ଏଥିପାଇଁ ଅନୁମତି ଦେବାସହିତ ପରବର୍ତ୍ତୀ ଶୁଣାଣି ପୂର୍ବରୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜ‌ଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୭କୁ ଧାର୍ଯ୍ୟ କରାଯାଇଛି।

Advertisment

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ୨୦୨୨, ସେପ୍ଟେମ୍ବର ୧୫ରେ ହାଇକୋର୍ଟ ମାମଲାର ଶୁଣାଣି କରି ରାଜ୍ୟ ସରକାର ଓ ଓରେରାକୁ ନୋଟିସ୍ ଜାରି କରିଥିଲେ। ନଭେମ୍ବର ୧୧ରେ ମାମଲାର ଶୁଣାଣି ସମୟରେ ଜବାବ ଦାଖଲ ପାଇଁ ସରକାର ଅଧିକ ସମୟ ମାଗିଥିଲେ। ଇତିମଧ୍ୟରେ ଓରେରା ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଥିବା ବେଳେ ଆଜି ପୁଣି ଜବାବ ରଖିବାକୁ ସରକାର ସମୟ ନେଇଥିଲେ। ଆବେଦନକାରୀ ବିମଳେନ୍ଦୁ ପ୍ରଧାନଙ୍କ ତରଫରୁ ଆଇନଜୀବୀ ମୋହିତ ଅଗ୍ରୱାଲ ମାମଲା ପରିଚାଳନା କରୁଛନ୍ତି।