କଟକ: ଓଡ଼ିଶା ରିୟଲ ଇଷ୍ଟେଟ ରେଗୁଲେଟୋରି ଅଥରିଟି (ଓରେରା) ନିର୍ଦ୍ଦେଶ କାର୍ଯ୍ୟକାରୀ ପ୍ରସଙ୍ଗରେ ରହିଥିବା ସମସ୍ୟା ପ୍ରସଂଗକୁ ନେଇ ବିଚାରାଧୀନ ମାମଲାରେ ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟରେ ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା ଯେ ନିଜ ନିର୍ଦ୍ଦେଶ କାର୍ଯ୍ୟକାରୀ ପାଇଁ ଓରେରାର ଆଇନ ଅନୁସାରେ କ୍ଷମତା ରହିଛି। କିନ୍ତୁ ଏହି କ୍ଷମତା ଓରେରା ପ୍ରୟୋଗ କରୁ ନାହାନ୍ତି। ଏପରି ନିର୍ଦ୍ଦେଶ କାର୍ଯ୍ୟକାରୀ ପ୍ରସଙ୍ଗକୁ ସିଭିଲ୍‌ କୋର୍ଟକୁ ପଠାଇ ଦିଆଯାଉଛି। ଫଳରେ ଓରେରାରେ ବିବାଦ ଫଏସଲା ହେବା ପରେ ମଧ୍ୟ ପକ୍ଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହାଇକୋର୍ଟ ଏହି ପ୍ରସଙ୍ଗରେ ଜବାବ ରଖିବାକୁ ଓରେରାକୁ ନିର୍ଦ୍ଦେଶ ଦେଇଛନ୍ତି। ଦୁଇ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ବିଦ୍ୟୁତ ରଂଜନ ଷଡ଼ଙ୍ଗୀ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ବିମଳେନ୍ଦୁ ପ୍ରଧାନଙ୍କ ତରଫରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

Advertisment

ମାମଲାର ବିବରଣୀରୁ ପ୍ରକାଶ ଯେ ଓରେରାରେ ରୁଜୁ ମାମଲାରେ ପ୍ରଦାନ କରାଯାଉଥିବା ନିର୍ଦ୍ଦେଶ କାର୍ଯ୍ୟକାରୀ ପ୍ରସଙ୍ଗରେ ନିଷ୍କ୍ରିୟତା ଅବଲମ୍ବନ କରାଯାଉଛି। ନିଜ ନିର୍ଦ୍ଦେଶ କାର୍ଯ୍ୟକାରୀ ପାଇଁ ଓରେରାର ଆଇନ ଅନୁସାରେ କ୍ଷମତା ରହିଛି। କିନ୍ତୁ ଏହି କ୍ଷମତା ଓରେରା ପ୍ରୟୋଗ ନ କରି ନିର୍ଦ୍ଦେଶ କାର୍ଯ୍ୟକାରୀ ପ୍ରସଙ୍ଗକୁ ସିଭିଲ କୋର୍ଟକୁ ପଠାଇ ଦେଉଛନ୍ତି ବୋଲି ହାଇକୋର୍ଟରେ ଦାୟର ମାମଲାରେ ଦର୍ଶାଯାଇଛି। ଫଳରେ ଓରେରା ନିର୍ଦ୍ଦେଶ କାର୍ଯ୍ୟକାରୀ ପାଇଁ ସିଭିଲ କୋର୍ଟରେ ମାମଲା ରୁଜୁ କରିବାକୁ ପଡ଼ୁଛି। ରିୟଲ ଇଷ୍ଟେଟ କ୍ଷେତ୍ର ପାଇଁ ରିୟଲ ଇଷ୍ଟେଟ (ରେଗୁଲେସନ୍ ଆଣ୍ଡ ଡେଭେଲପମେଣ୍ଟ) ଆକ୍ଟ, ୨୦୧୬ ଆସିବା ପରେ ରାଜ୍ୟ ସରକାର ଓରେରା ନିୟମାବଳୀ, ୨୦୧୭ ପ୍ରଣୟନ କରିଥିଲେ। ‌ଓରେରା ଆଇନ ଅନୁସାରେ ଅଥରିଟି, ଆଡଜୁଡ଼ିକେଟିଂ ଅଫିସର ଓ ଆପିଲେଟ ଟ୍ରିବୁନାଲ ନିଜ ନିର୍ଦ୍ଦେଶ କାର୍ଯ୍ୟକାରୀ କରି ପାରିବେ। କିନ୍ତୁ ରାଜ୍ୟ ସରକାର ପ୍ରଣୟନ କରିଥିବା ନିୟମାବଳୀରେ କେମିତି ରେରା ଆଇନ ଅନୁସାରେ ଗଠିତ ଅଥରିଟି, ଆଡଜୁଡ଼ିକେଟିଂ ଅଫିସର ଓ ଆପିଲେଟ ଟ୍ରିବ୍ୟୁନାଲ ନିଜ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବେ ସେ ନେଇ କିଛି ବ୍ୟବସ୍ଥା କରାଯାଇ ନଥିଲା। ଏ ନେଇ ପୂର୍ବରୁ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏହି ପ୍ରସଙ୍ଗରେ ବିଚାର କରି ନିଷ୍ପତ୍ତି ନେବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ କହିଥିଲେ। ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ୨୦୧୯ରେ ଏ ନେଇ ନିୟମାବଳୀରେ ସଂଶୋଧନ ଆଣିଥିଲେ। ଏଥିରେ ରେରା ଆଇନ ଅନୁସାରେ ଗଠିତ ଅଥରିଟି, ଆଡଜୁଡ଼ିକେଟିଂ ଅଫିସର ଓ ଆପିଲେଟ ଟ୍ରିବୁନାଲ ନିଜ ନିର୍ଦ୍ଦେଶ କେମିତି କାର୍ଯ୍ୟକାରୀ କରିବେ ତାହା ଉଲ୍ଲେଖ କରାଯାଇଥିଲା। ଆଇନଗତ କ୍ଷମତା ଓ ନିୟମ ଥିଲେ ମଧ୍ୟ ଓରେରା ନିଜ ନିର୍ଦ୍ଦେଶ ନିଜେ କାର୍ଯ୍ୟକାରୀ କରୁ ନାହାନ୍ତି। ଓରେରା ପ୍ରଦାନ କରିଥିବା ନିର୍ଦ୍ଦେଶ କାର୍ଯ୍ୟକାରୀ ପ୍ରସଙ୍ଗକୁ ନେଇ ଲୋକଙ୍କୁ ସିଭିଲ କୋର୍ଟକୁ ଯିବାକୁ କୁହାଯାଉଛି। ରିୟଲ ଇଷ୍ଟେଟ କ୍ଷେତ୍ରରେ ବିବାଦର ଶୁଣାଣି ପାଇଁ ଓରେରା ଗଠନ କରାଯାଇଥିବା ବେଳେ ଏହାର ନିର୍ଦ୍ଦେଶ କାର୍ଯ୍ୟକାରୀ ପାଇଁ ‌ପକ୍ଷଙ୍କୁ ସିଭିଲ କୋର୍ଟକୁ ଯିବାକୁ ବାଧ୍ୟ କରାଯିବା ଗ୍ରହଣୀୟ ନୁହେଁ। ଓରେରା ନିଜ ନିର୍ଦ୍ଦେଶ ନିଜେ କାର୍ଯ୍ୟକାରୀ ପାଇଁ ଦାୟର ମାମଲାର ୬ ମାସ ଭିତରେ ଶୁଣାଣି ଶେଷ କରିବା କଥା। କିନ୍ତୁ ଏହି ପ୍ରସଙ୍ଗକୁ ସିଭିଲ କୋର୍ଟକୁ ପଠାଯିବା ଦ୍ବାରା ଅଯଥା ବିଳମ୍ବ ହେଉଛି। ଲୋକମାନେ ତ୍ବରିତ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି। ଏପରି ସ୍ଥିତି ରେରା ଆଇନର ବିରୁଦ୍ଧାଚରଣ କରୁଛି। ରାଜ୍ୟ ସରକାର ଓ ଓରେରାଙ୍କୁ ଉପଯୁକ୍ତ ନିର୍ଦ୍ଦେଶ ପ୍ରଦାନ କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ମୋହିତ ଅଗ୍ରୱାଲ ମାମଲା ପରିଚାଳନା କରୁଛନ୍ତି।