ଭୁବନେଶ୍ବର: ରାଜ୍ୟରେ ଓଡ଼ିଶା ରିଅଲ ଇଷ୍ଟେଟ୍ ରେଗୁଲେଟୋରି ଅଥରିଟି (ଓରେରା)କୁ ସଶକ୍ତ କରାଯିବ। କେଉଁ ସହରାଞ୍ଚଳରେ କେଉଁଠି କେତେ ଜମି ବିକ୍ରି ହେଲା, ଏହା ଓରେରା ଅନୁମୋଦନ ପାଇଛି କି ନାହିଁ, ଯେଉଁ ରିଅଲ ଇଷ୍ଟେଟ୍ ପ୍ରକଳ୍ପ ପାଇଁ ପ୍ଲାନିଂ କର୍ତ୍ତୃପକ୍ଷ ଅନୁମୋଦନ ଦେଉଛନ୍ତି ସେଥିପାଇଁ ସମସ୍ତ ନିୟମ କଡ଼ାକଡ଼ି ପାଳନ ହୋଇଛି କି ନାହିଁ ତାହା ଏବେ ଓରେରା ନଜରରେ ରହିବ। ଓରେରାକୁ ଆଉ କୌଣସି ସଂସ୍ଥା ଉପରେ ନିର୍ଭର କରିବାକୁ ପଡ଼ିବନି। ଏଥିପାଇଁ ଓରେରା ୨.୦ ୱେବ୍ସାଇଟ୍କୁ ଭୂଲେଖ ପୋର୍ଟାଲ୍ ସହ ସଂଯୋଗ କରାଯିବ। ଏହାସହ ସୁଯୋଗ ପୋର୍ଟାଲ୍ର ବ୍ୟବହାର ପାଇଁ ଅନୁମତି ମିଳିବ।
ରାଜ୍ୟରେ ରେରା ଆଇନ, ୨୦୧୬କୁ କଡ଼ାକଡ଼ି ଲାଗୁ କରିବା ନେଇ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଓରେରା, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଆଇଜିଆର୍ କର୍ତ୍ତୃପକ୍ଷ ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି। ଏହାସହିତ କୁହାଯାଇଛି ଯେ ଯେଉଁ ନିୟମ ହେବ ତାହା ଯେପରି ଘର/ଜମି କ୍ରେତା ଏବଂ ଡେଭଲପର୍ସଙ୍କୁ ହତୋତ୍ସାହିତ କରିବନି ସେହିଭଳି ପଦକ୍ଷେପ ନିଆଯିବ। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ଯେଉଁ ଉନ୍ନୟନ କର୍ତ୍ତୃପକ୍ଷ ଓ ପ୍ଲାନିଂ କର୍ତ୍ତୃପକ୍ଷ ସେମାନଙ୍କ ଅଞ୍ଚଳରେ କୌଣସି ରିଅଲ୍ ଇଷ୍ଟେଟ୍ ପ୍ରକଳ୍ପକୁ ଅନୁମୋଦନ କରିବେ ତା’ର ଏକ ତାଲିକା ତୁରନ୍ତ ଓରେରାକୁ ପଠାଇବେ।
ପ୍ଲାନିଂ କର୍ତ୍ତୃପକ୍ଷ ଓରେରାକୁ ପ୍ରକଳ୍ପ ଅନୁମୋଦନ ତାଲିକା ଦେବେ
ସହରର ଉଚ୍ଛେଦ ଟିମ୍ରେ ସାମିଲ ହେବ ଓରେରା
ସବୁ ଜିଲ୍ଲାପାଳ ଓ ତହସିଲଦାରମାନେ ବି ପ୍ରତି ମାସରେ ରିପୋର୍ଟ ଦେବେ
ଓରେରା ନିର୍ଦ୍ଦେଶକୁ ପାଳନ କରିବାକୁ ହେଲେ ନଗର ଉନ୍ନୟନ ବିଭାଗ ରାଜସ୍ବ ବିଭାଗ ସହାୟତାରେ ଓପିଡିଆର୍ ଆଇନ ଲାଗୁ କରିପାରିବ। ସେହିପରି ବିଡିଏ ଓ ବିଏମ୍ସି ପକ୍ଷରୁ ହେବାକୁ ଥିବା ଯୁଗ୍ମ ଉଚ୍ଛେଦ କାର୍ଯ୍ୟରେ ଓରେରା ସାମିଲ ହେବ। ଯେଉଁମାନେ ଓରେରା ନିୟମ ଉଲ୍ଲଂଘନ କରିଛନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ (ଉଚ୍ଛେଦ) ପାଇଁ ଏକ ମାସିକିଆ ତାଲିକା ପ୍ରସ୍ତୁତ ହେବ। ପ୍ରତି ମାସରେ ମିଳିତ ବୈଠକ ବସି ଏନେଇ ନିଷ୍ପତ୍ତି ନିଆଯିବ। ଏଥିରେ ଓରେରା, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା, ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅଧିକାରୀମାନେ ସାମିଲ ହେବେ। ସେହିପରି ପ୍ରତି ଜିଲ୍ଲାରେ ବେଆଇନ ନିର୍ମାଣ, ପ୍ରକଳ୍ପ ଉଚ୍ଛେଦ ପାଇଁ ଜିଲ୍ଲାପାଳ ଓ ତହସିଲଦାରମାନେ ପ୍ରତି ମାସରେ ଏକ ରିପୋର୍ଟ ଦେବେ। ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକରେ ରେରା ନିୟମକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବା ଏକ ଏଜେଣ୍ଡା ହେବ। ଏବେ ଓରେରାରେ ଖାଲି ଥିବା ବିଭିନ୍ନ ପଦବିକୁ ତୁରନ୍ତ ପୂରଣ କରିବା ପାଇଁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ପଦକ୍ଷେପ ନେବାକୁ ବୈଠକରେ ନିଷ୍ପତ୍ତି ହୋଇଛି।