ଭୁବନେଶ୍ବର: ବହୁଦିନରୁ ଅଚଳ ଥିବା ଓରେରାର ସିଡିଆର୍(କନ୍‌ସିଲିଏସନ୍ ଆଣ୍ଡ୍ ଡିସ୍‌ପୁଟ ରିଜଲ୍ୟୁସନ୍) ସେଲ୍ କାର୍ଯ୍ୟକ୍ଷମ ହୋଇଛି। ବହୁଦିନରୁ ଏହା ଅଚଳାବସ୍ଥାରେ ଥିବାରୁ ବିଲ୍‌ଡରଙ୍କଠାରୁ ଘର କିଣୁଥିବା ଲୋକେ ଅସୁବିଧାରେ ଥିଲେ ବି ନ୍ୟାୟ ପାଉ ନଥିଲେ। ଏଣୁ ଓରେରା ଅଧ୍ୟକ୍ଷ ଅସିତ କୁମାର ମହାପାତ୍ର ଏହି ସେଲ୍ କାର୍ଯ୍ୟକ୍ଷମ ଓ କାର୍ଯ୍ୟାବଳୀ ସଂପର୍କରେ ସ୍ପଷ୍ଟ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ସାଧାରଣ ଲୋକେ କିଭଳି ନ୍ୟାୟ ପାଇପାରିବେ, ସେ ଦିଗରେ ଦୃଷ୍ଟି ଦେବାକୁ ସିଡିଆର୍‌ ସେଲ୍ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ରିଅଲ୍ ଇଷ୍ଟେଟ୍ ଆଇନ-୨୦୧୬ର ଧାରା-୩୨(ଜି) ଅନୁଯାୟୀ ଓରେରା ପକ୍ଷରୁ ସିଡିଆର୍ ସେଲ୍ ଖୋଲାଯାଇଛି। ଚଳିତ ବର୍ଷ ମେ ମାସ ୧୯ ତାରିଖରେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ(ଚିଠି ନଂ-୬୪୦)ର ଅନୁମୋଦନକ୍ରମେ ଜୁନ୍ ୨୬ ତାରିଖରେ ଓରେରା (ଚିଠି ନମ୍ବର- ୩୪୨୪) ପକ୍ଷରୁ ଏହି ସେଲ୍ ଗଠନ କରାଯାଇଛି। ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ବିଲ୍‌ଡର୍ ଓ ଘର କିଣୁଥିବା ସାଧାରଣ ଲୋକଙ୍କ ବିବାଦର ଆପୋସ ସମାଧାନ ଓ ତ୍ବରିତ ନ୍ୟାୟ ପ୍ରଦାନ। କିନ୍ତୁ ଏହି ସେଲ୍ ଗଠନ ହୋଇଥିଲେ ବି କାର୍ଯ୍ୟକ୍ଷମ ହୋଇ ନଥିଲା।

Advertisment

ଅଭିଯୋଗର ତାଲିକା ବି ଲମ୍ବିବାରେ ଲାଗିଥିଲା। ଏଣୁ ଏହି ସେଲ୍‌କୁ କାର୍ଯ୍ୟକ୍ଷମ ନେଇ ଓରେରା ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ନିର୍ଦ୍ଦେଶାବଳୀରେ କୁହାଯାଇଛି, ଯଦି କୌଣସି ଉନ୍ନୟନ କର୍ତ୍ତୃପକ୍ଷ ଘର କିଣାବିକାରେ ଦୁଇପକ୍ଷର ଅପୋସ ସମାଧାନ ହେବାର ଭାବୁଛନ୍ତି, ତେବେ ଦୁଇପକ୍ଷର ସହମତି କ୍ରମେ ସଂପୃକ୍ତ ଉନ୍ନୟନ କର୍ତ୍ତୃପକ୍ଷ ଏହାକୁ ସିଡିଆର୍ ସେଲ୍‌କୁ ପଠାଇ ପାରିବେ। ସଂପୃକ୍ତ ପକ୍ଷ ବି ଏଥିପାଇଁ ଆବେଦନ କରିବେ ଏବଂ ବିପକ୍ଷ ଗୋଷ୍ଠୀଙ୍କୁ ଚିଠି ଲେଖି ଜଣାଇବେ। ଚିଠି ଗ୍ରହଣର ୭ ଦିନ ଭିତରେ ବିପକ୍ଷ ଗୋଷ୍ଠୀ ସହମତି ଜଣାଇବା ଜରୁରି। ଯଦି ବିପକ୍ଷ ଗୋଷ୍ଠୀ ଆପୋସ ବୁଝାମଣା ପାଇଁ ସହମତି ଜଣାନ୍ତି, ତେବେ ପ୍ରଥମ ପକ୍ଷଙ୍କୁ ଏଥିପାଇଁ ବ୍ୟାଙ୍କ ଡ୍ରାଫ୍ଟ ଆକାରରେ ୫୦୦ ଟଙ୍କା ଓରେରା ନିକଟରେ ଜମା କରିବାକୁ ପଡ଼ିବ। ପରେ ସିଡିଆର ସେଲ୍‌ରେ ଦୁଇପକ୍ଷଙ୍କୁ ମାମଲାର ଆପୋସ ଆଲୋଚନା ପାଇଁ ତାରିଖ, ସମୟ, ସ୍ଥାନ ଆଦି ଧାର୍ଯ୍ୟ ହୋଇ ଅବଗତ କରାଯିବ।

ଦୁଇପକ୍ଷ ବ୍ୟକ୍ତିଗତ ଅବା ସେମାନଙ୍କ ପ୍ରାଧିକୃତ ବ୍ୟକ୍ତି ହାଜର ହେବାକୁ ପଡ଼ିବ। ଆପୋସ ବୁଝାମଣା ହେବା ପରେ ଦୁଇପକ୍ଷ ନିଷ୍ପତ୍ତିପତ୍ରରେ ଦସ୍ତଖତ ଦେବେ। ଯାହାର ନକଲ ଦୁଇପକ୍ଷଙ୍କୁ ପ୍ରଦାନ କରାଯିବ। ସଂପୃକ୍ତ ଉନ୍ନୟନ କର୍ତ୍ତୃପକ୍ଷ ଏହି ଚିଠି ଆଧାରରେ ପରବର୍ତ୍ତୀ ପଦକ୍ଷେପ ନେବେ। ଧାର୍ଯ୍ୟ ସମୟ, ସ୍ଥାନ ଓ ତାରିଖରେ ଦୁଇପକ୍ଷ ଆପୋସବିଚାର ପାଇଁ ନ ପହଞ୍ଚିଲେ ଏହି ମାମଲାକୁ ରଦ୍ଦ କରି ଦିଆଯିବ ଓ ଆଇନ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଆପୋସ ବୁଝାମଣା ଗୁପ୍ତ ରଖାଯିବ। ସିଡିଆର୍‌ ସେଲ୍ ଦୁଇ ମାସ ଭିତରେ ଏଭଳି ମାମଲାର ବିଚାର ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି।