ଭୁବନେଶ୍ବର: ଅସାଧୁ ପ୍ରମୋଟରଙ୍କ ପାଇଁ ସତର୍କ ଘଣ୍ଟି। ଏଥର ଗ୍ରାହକଙ୍କୁ ଠକି ପାରିବେନି। ସ୍ଥାବର ସମ୍ପତ୍ତି(ରିଅଲ୍ ଇଷ୍ଟେଟ୍) କାରବାରର ଟିକିନିଖି ବିବରଣୀ ରଖିବା ସହ କାର୍ଯ୍ୟାନୁଷ୍ଠାନ ସୁପାରିସ କରିବାକୁ ସ୍ଥାବର ଓଡ଼ିଶା ସମ୍ପତ୍ତି ନିୟାମକ କର୍ତ୍ତୃପକ୍ଷ(ଓରେରା)କେତେକ ସ୍ବୀକୃତିପ୍ରାପ୍ତ ଅଡିଟ୍ ଫାର୍ମଙ୍କୁ ନିଯୁକ୍ତ କରିଛନ୍ତି। ଏମାନେ ପ୍ରତିଟି ରିଅଲ୍ ଇଷ୍ଟେଟ୍ ପ୍ରକଳ୍ପର ସମୀକ୍ଷା କରିବେ। ଯେଉଁଠି ଉଲ୍ଲଂଘନ ପରିଲକ୍ଷିତ ହେବ, କାର୍ଯ୍ୟାନୁଷ୍ଠାନ ସୁପାରିସ କରିବ। ଏହି କମିଟିର ସୁପାରିସ ଚୂଡ଼ାନ୍ତ ହେବ।
ପୂର୍ବରୁ ଓରେରା କେବଳ ନିର୍ଦ୍ଦେଶନାମା ଜାରି କରୁଥିଲେ। କ୍ରେତା ଅଭିଯୋଗ କଲେ କାର୍ଯ୍ୟାନୁଷ୍ଠାନ ହେଉଥିଲା। ନିଜଆଡ଼ୁ ପ୍ରତିଟି ପ୍ରକଳ୍ପର ଛାନ୍ଭିନ୍ କରିବା ବ୍ୟବସ୍ଥା ନଥିଲା। ପ୍ରମୋଟରଙ୍କ ଉତ୍ତରକୁ ଅପେକ୍ଷା କରିବାକୁ ପଡ଼ୁଥିଲା। ଏବେ ଠକ ପ୍ରମୋଟରଙ୍କୁ ଜଗିବା ପାଇଁ ଏଭଳି ଏକ ବ୍ୟବସ୍ଥା ହୋଇଛି। ଅଡିଟ୍ ଟିମ୍କୁ ସବୁ ପ୍ରମୋଟର ସହଯୋଗ କରିବାକୁ ଓରେରାଙ୍କ ପକ୍ଷରୁ ପ୍ରକାଶିତ ଆଦେଶନାମାରେ ସ୍ପଷ୍ଟ କରାଯାଇଛି। ଯେ କୌଣସି ମୁହୂର୍ତ୍ତରେ ଏହି ଅଡିଟ୍ ଟିମ୍ ଯେ କୌଣସି କାଗଜପତ୍ର ଦେଖିବାକୁ ଚାହିବେ, ପ୍ରମୋଟର ସେହି କାଗଜପତ୍ର ଦେଖାଇବାକୁ ବାଧ୍ୟ। ନଚେତ୍ ଏହା ଓରେରା ଆଇନ ଧାରା ୩୫ର ଉଲ୍ଲଂଘନ ବୋଲି ଧରାଯିବ ଏବଂ ଧାରା ୬୩ ବଳରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଓରେରା ପକ୍ଷରୁ ପ୍ରକାଶ ପାଇଥିବା ଆଦେଶନାମା ଅନୁସାରେ, ରିଅଲ୍ ଇଷ୍ଟେଟ୍ ସେକ୍ଟରକୁ ଓରେରା ତ୍ରୁଟିମୁକ୍ତ କରିବାକୁ ଚାହୁଛନ୍ତି। ପ୍ଲଟ୍, କୋଠା ବା ଫ୍ଲାଟ୍ କିଣାବିକା କାରବାରରେ ଯେଭଳି କ୍ରେତାଟିଏ ଠକେଇର ଶିକାର ନ ହୁଏ ସେଥିପାଇଁ ଶୂନ୍ୟ ସହନଶୀଳତା ନୀତି ଆପଣେଇବାକୁ ଯାଉଛନ୍ତି। ପୂର୍ବରୁ ଦେଖାଯାଇଛି ଯେ, ଅଭିଯୋଗ ହେଲେ ସମ୍ପୃକ୍ତ ପ୍ରମୋଟରଙ୍କୁ ଯେଉଁ ଉତ୍ତର ମଗାଯାଏ ସେଥିରେ ତ୍ରୁଟି ରହିଥାଏ ବା ପ୍ରମୋଟର ଦୋଷ ଦୁର୍ବଳତାକୁ ଲୁଚାଇ ଦେଇଥାଏ। ଏହାକୁ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆବଶ୍ୟକୀୟ ମାନବସମ୍ବଳ କିମ୍ବା ବ୍ୟବସ୍ଥା ନଥିବାରୁ ସମ୍ଭବ ହୋଇନଥାଏ। ଏବେ ପ୍ରକଳ୍ପ ପ୍ରସ୍ତୁତିରେ ବିଳମ୍ବ, ଅନିୟମିତତା, ପରିଚାଳନାଗତ ତ୍ରୁଟି, ଗୋଟିଏ ପ୍ରକଳ୍ପରୁ ଅନ୍ୟ ପ୍ରକଳ୍ପକୁ ଅର୍ଥ ସ୍ଥାନାନ୍ତର, ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ବୁକିଂ ଭଳି ଅଭିଯୋଗର ଏହି ଟିମ୍ ତଦନ୍ତ କରିବ। ଫଳରେ ଏଥିରେ କ୍ରେତାଙ୍କୁ ଶତପ୍ରତିଶତ ଫାଇଦା ମିଳିବ ବୋଲି କୁହାଯାଇଛି।