ଅଙ୍ଗଦାନ ସଂପର୍କିତ ଜନସ୍ବାର୍ଥ ମାମଲା, ସରକାରଙ୍କୁ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ

କଟକ: ଅଙ୍ଗଦାନ ଓ ମାନବ ଶରୀରରେ ଅଙ୍ଗ ପ୍ରତିରୋପଣ ପ୍ରସଂଗ ସଂପର୍କିତ ଜନସ୍ବାର୍ଥ ମାମଲାରେ ରାଜ୍ୟ ସରକାରଙ୍କୁ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅଙ୍ଗଦାନ ପ୍ରକ୍ରିୟାରେ ସମନ୍ୱୟ ଓ ସହଯୋଗ ପାଇଁ ରହିଥିବା ସଂଯୋଜକମାନେ ଫୋନ୍‌ ଉଠାଉ ନାହାନ୍ତି ବୋଲି ଅଭିଯୋଗ ହୋଇଛି। ଭୁବନେଶ୍ୱରର ନିର୍ଦ୍ଦିଷ୍ଟ ଘରୋଇ ଡାକ୍ତରଖାନାରେ ଥିବା ଏପରି ସଂଯୋଜକଙ୍କ ଫୋନ୍‌ରୁ ଜବାବ ମିଳୁନି। ଏଭଳି ତଥ୍ୟ ସହିତ ଆବେଦନକାରୀ ସତ୍ୟପାଠ ଦାଖଲ କରିଥିଲେ। ସଂଯୋଜକ ପ୍ରସଙ୍ଗରେ ଏଭଳି ଅଭିଯୋଗ ଉପରେ ସ୍ବାସ୍ଥ୍ୟ ବିଭାଗକୁ ସତ୍ୟପାଠ ମାଧ୍ୟମରେ ଜବାବ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର୍‌ ଜଷ୍ଟିସ୍‌ ଏସ୍‌. ମୁରଲୀଧର ଓ ଜଷ୍ଟିସ୍‌ ଆର୍‌. କେ. ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଡକ୍ଟର ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟଙ୍କ ଆବେଦନର ଶୁଣାଣି କରି ଏପରି ନି‌ର୍ଦ୍ଦେଶ ଦେଇଛନ୍ତି।

ମେ’ ପ୍ରଥମ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୨୧, ନଭେମ୍ବର ୧୮ତାରିଖରେ ହାଇକୋର୍ଟ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଥିଲେ। ଆବେଦନରେ ଦର୍ଶାଯାଇଥିଲା ଯେ, ଅଙ୍ଗଦାନ ଓ ଅଙ୍ଗ ପ୍ରତିରୋପଣ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଂଗ। ଟ୍ରାନ୍ସପ୍ଲାଣ୍ଟେସନ୍ ଅଫ୍ ହ୍ୟୁମାନ୍‌ ଅର୍ଗାନ୍‌ ଆଣ୍ଡ୍ ଟିସ୍ୟୁଜ୍ ଆକ୍ଟରେ ଥିବା ବ୍ୟବସ୍ଥା ସଂପୂର୍ଣ୍ଣ କାର୍ଯ୍ୟକାରୀ ହେବା ଉଚିତ। ଏହି ପ୍ରକ୍ରିୟା ଅଧିକ ସଫଳ ଓ ଫଳପ୍ରଦ କରିବା ଲାଗି ଆଇନ ଅନୁସାରେ ଉପଯୁକ୍ତ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବା ସହିତ ୨୪ ଘଣ୍ଟିଆ ହେଲ୍ପ ଲାଇନ୍‌ ନମ୍ବର ବ୍ୟବସ୍ଥା କରାଯାଉ। ଏଥି ସହିତ ହେଲ୍ପ ଡେସ୍କ ବ୍ୟବସ୍ଥା ମଧ୍ୟ କରାଯାଉ। ମାମଲାରେ ରାଜ୍ୟ ସରକାର ଓ ଷ୍ଟେଟ୍ ଅର୍ଗାନ୍‌ ଆଣ୍ଡ୍ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ୍‌କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର