ଆଉ ୯ ଜିଲ୍ଲାରେ ହେବ ଅଙ୍ଗ ପ୍ରତିରୋପଣ: ଡିଡିଆର୍ସିରେ ଏଆର୍ସି ପ୍ରତିଷ୍ଠା ଲାଗି ବିଭାଗର ପ୍ରସ୍ତାବ
କ୍ୟାପିଟାଲ ହସ୍ପିଟାଲରେ ଥିବା ଏଆର୍ସି ପରିଚାଳନା କରିବ ବିଭାଗ
ଭୁବନେଶ୍ବର: ରାଜ୍ୟର ଆଉ ୯ଟି ଜିଲ୍ଲାରେ ଆରମ୍ଭ ହେବ ଅଙ୍ଗ ପ୍ରତିରୋପଣ। ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର(ଏଆରସି) ଜରିଆରେ ଭିନ୍ନକ୍ଷମଙ୍କୁ ଏହି ସୁବିଧା ମିଳିବ। ଯାହାଫଳରେ ଲୋକମାନଙ୍କୁ କ୍ୟାପିଟାଲ ହସ୍ପିଟାଲ ପରିସରରେ ଥିବା ଏଆର୍ସିକୁ ଦୌଡ଼ିବାକୁ ପଡ଼ିବ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିବା ପରେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଏହାକୁ କାର୍ଯ୍ୟକାରୀ କରାଯିବ। ୫-ଟି ସଚିବଙ୍କ ଅନୁଗୁଳ ଗସ୍ତ ପରେ ଜିଲ୍ଲାସ୍ତରରେ ଏଆରସି ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ତେଣୁ ପର୍ଯ୍ୟାୟକ୍ରମେ ଏହାକୁ ପ୍ରତିଷ୍ଠା ଉପରେ ଗୁରୁତ୍ବ ଦିଆଯାଉଛି। ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଯେଉଁ ଜିଲ୍ଲାଗୁଡ଼ିକରେ ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର(ଡିଡିଆର୍ସି) ରହିଛି ସେସବୁ ଜିଲ୍ଲାରେ ଏଆରସି ପ୍ରତିଷ୍ଠା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ବିଭାଗ ୭ଟି ଜିଲ୍ଲା ପାଇଁ ପ୍ରସ୍ତାବ ଦେଇଥିବା ବେଳେ ସରକାର ୯ଟି ଜିଲ୍ଲାରେ ଏହାକୁ ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଠାରେ ରୋବୋଟିକ୍ ଥେରାପି ସହିତ ପ୍ରୋସ୍ଥେଟିକ୍ ଲିମ୍ବ୍ର ସୁବିଧା ଉପଲବ୍ଧ ହେବ।
ବିଭାଗର ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି, ଡିଡିଆର୍ସିରେ ପୂର୍ବରୁ ଅଭିଜ୍ଞ କର୍ମଚାରୀ ରହିଛନ୍ତି। ତେଣୁ ସେଠାରେ ଏଆର୍ସି ପରିଚାଳନାରେ କୌଣସି ସମସ୍ୟା ହେବନାହିଁ। ମାତ୍ର କେଉଁ ୯ଟି ଜିଲ୍ଲାରେ ଏହା ପ୍ରତିଷ୍ଠା ହେବ ତାହା ମୁଖ୍ୟମନ୍ତ୍ରୀ ଘୋଷଣା କରିବେ। ଡିଡିଆର୍ସିରେ ଯେଉଁ କର୍ମଚାରୀ ରହିଛନ୍ତି ସେମାନଙ୍କୁ ନିୟମିତ କରିବା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। ଏହାସହ କ୍ୟାପିଟାଲ ହସ୍ପିଟାଲରେ ଥିବା ଏଆର୍ସିର ପରିଚାଳନା ଦାୟିତ୍ବରେ ଥିବା ସଂସ୍ଥାର ୫ବର୍ଷ ଚଳିତବର୍ଷ ପୂରିବ। ଏହାପରେ କୌଣସି ନୂଆ ସଂସ୍ଥା ବଦଳରେ ବିଭାଗ ପକ୍ଷରୁ ସେଠାରେ କାର୍ଯ୍ୟରତ କର୍ମଚାରୀମାନେ ଏହାର ପରିଚାଳନା କରିବେ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି। ଉଲ୍ଲେଖ ଯେ କ୍ୟାପିଟାଲ ହସ୍ପିଟାଲ ପରିସରରେ ଥିବା ଏଆର୍ସିକୁ ନେଇ ଅଭିଯୋଗ ହୋଇଆସୁଛି। ଏଠାରେ ପ୍ରସ୍ତୁତ ହେଉଥିବା କୃତ୍ରିମ ଅଙ୍ଗ ଠିକ୍ ଭାବେ ଫିଟ୍ ହେଉ ନ ଥିବା ଓ ଦୀର୍ଘସ୍ଥାୟୀ ନ ଥିବା ହିତାଧିକାରୀମାନେ ଅଭିଯୋଗ ଆଣିଥିଲେ। ମାତ୍ର ୫ବର୍ଷ ପାଇଁ ଏମ୍ଓୟୁ ହୋଇଥିବାରୁ ଅବଧି ଶେଷ ହେବା ପରେ ସରକାର ଏହାକୁ ନିଜ ପରିଚାଳନା କରିବେ।