ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଅନ୍ତର୍ଗତ ୨ ହଜାର ହେକ୍ଟର ଜମିରେ ଜୈବିକ ଚାଷ କରାଯାଉଛି। ମାତ୍ର ଏଥିପାଇଁ ଦାୟିତ୍ବ ଦିଆଯାଇଥିବା ଏଜେନ୍ସିଗୁଡ଼ିକ ଠିକ୍ ଭାବେ କାର୍ଯ୍ୟ କରୁ ନଥିବାରୁ ଉଦ୍ୟାନ କୃଷି ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଭୀଷଣ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ କିଛି ବର୍ଷ ହେଲା ବିଭିନ୍ନ ଜିଲ୍ଲାର କିଛି ଏକର ଜମିରେ ଜୈବିକ ଚାଷ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ରାଜ୍ୟ ସରକାର କିଛି ଏଜେନ୍ସିକୁ ଦାୟିତ୍ବ ଦେଇଛନ୍ତି। ମନୋନୀତ ଜମିରେ ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ଚାଷ କରାଯିବ ଓ ଏଥିପାଇଁ ସମୟସୀମା ୩ବର୍ଷ ରହିଛି। ଏହି ସମୟ ମଧ୍ୟରେ ସରକାର ଏଜେନ୍ସିକୁ ଆର୍ଥିକ ସହାୟତା ଦେବେ। ୩ ବର୍ଷ ପରେ ଏଜେନ୍ସିଗୁଡ଼ିକ ରାସାୟନିକ ସାର ଏବଂ କୀଟନାଶକମୁକ୍ତ ଜୈବିକ ଚାଷ କରାଯାଉଥିବା ନେଇ ସାର୍ଟିଫିକେସନ୍ ପାଇଁ ଆବେଦନ କରିବେ। କିନ୍ତୁ ନିର୍ଧାରିତ ସମୟ ଅତିକ୍ରାନ୍ତ ହୋଇସାରିଥିଲେ ମଧ୍ୟ ଏଜେନ୍ସିଗୁଡ଼ିକ ସେମାନଙ୍କ ଦାୟିତ୍ବ ନିର୍ବାହ କରିନାହାନ୍ତି। ଏପରିକି ନାଫେଡ୍ ବ୍ୟତୀତ ଅନ୍ୟ କେହି ସାର୍ଟିଫିକେସନ୍ ପାଇଁ ଆବେଦନ କରିନାହାନ୍ତି। ତେଣୁ ନିୟମ ଖିଲାପକାରୀ ଏଜେନ୍ସିଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ହୋଇଛି। ଅପରପକ୍ଷେ ଆମ୍ବ, କାଜୁବାଦାମ, ଲିଚୁ, କମଳା ପ୍ରଭୃତି ଫଳ ଜୈବିକ ଉପାୟରେ ଫଳାଇବାକୁ ଗୁରୁତ୍ବ ଦେବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ଜୈବିକ ଚାଷ ପାଇଁ ଜମି ଚୟନ ବେଳେ ସେହି ଜିଲ୍ଲାର ଉଦ୍ୟାନ କୃଷି ଉପନିର୍ଦ୍ଦେଶକଙ୍କ ନିଷ୍ପତ୍ତିକୁ ଗୁରୁତ୍ବ ଦେବାକୁ କୁହାଯାଇଛି। ଉପଯୁକ୍ତ ପଦ୍ଧତିରେ ଚାଷ ହେଉଥିବା ନେଇ ଯୁଗ୍ମ ପରିଦର୍ଶନ ପରେ ହିଁ ଟଙ୍କା ପ୍ରଦାନ ପାଇଁ କୁହାଯାଇଛି।