ରାଜ୍ୟରେ ଲାଗୁ ହେବ ଜୈବ କୃଷି ନୀତି : ୫ବର୍ଷରେ ୨ଲକ୍ଷ ହେକ୍ଟର ଜମିରେ ଜୈବ କୃଷି ଯୋଜନା

ଗୋଟିଏ ସ୍ଥାନରେ ୫୦ଏକର ଜମିରେ ଚାଷ କଲେ ୧୦ଲକ୍ଷ ଟଙ୍କା ସହାୟତା, ଯୋଜନା ସଫଳ ହେବା ନେଇ ଆଶଙ୍କା

ଭୁବନେଶ୍ୱର : ବିନା ରସାୟନିକ ସାରରେ ଯେପରି କୃଷକମାନେ ଚାଷ କରିବେ ସେଥିପାଇଁ ରାଜ୍ୟ ସରକାର ଓଡ଼ିଶା ଜୈବ କୃଷି ନୀତି ୨୦୧୮ ଆଣିବାକୁ ଯାଉଛନ୍ତି। ୫ବର୍ଷରେ ୨ଲକ୍ଷ ହେକ୍ଟର ଜମିରେ ଜୈବ କୃଷି କରିବାକୁ ଯୋଜନା ହୋଇଛି। ଏଥିପାଇଁ ବି ସରକାରୀ ସହାୟତା ଯୋଗାଇ ଦିଆଯିବ। ୫୦ଏକର ଜମିରେ (ଗୋଟିଏ ଜାଗାରେ ଥିବ) ଜୈବିକ ଉପାୟରେ ଚାଷ କଲେ ୧୦ଲକ୍ଷ ଟଙ୍କା ସହାୟତା ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି। ଏନେଇ କ୍ୟାବିନେଟ ଅନୁମୋଦନ ମିଳିସାରିଥିବାବେଳେ ଏହାକୁ ତୁରନ୍ତ ଲାଗୁ କରିବାକୁ ନିଷ୍ପତ୍ତିି ହୋଇଛି।

ଜୈବ କୃଷି ନୀତିରେ ସରକାର ଯେଉଁ ନିୟମ ରଖିଛନ୍ତି ସେଥିରେ କାଁ ଭାଁ ଚାଷୀ ଲାଭବାନ ହେବାର ସମ୍ଭାବନା ଥିବାରୁ ଏହି ନୀତି ସଫଳ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଯାହାର ଗୋଟିଏ ସ୍ଥାନରେ ୫୦ଏକର ଜମି ଥିବ ଏବଂ ସେଥିରେ ଜୈବିକ ଉପାୟରେ ଚାଷ କରୁଥିବ ସେହି କ୍ଷେତ୍ରରେ ହିଁ ଚାଷୀଙ୍କୁ ସରକାରୀ ସହାୟତା ମିଳିବ। କିନ୍ତୁ ରାଜ୍ୟରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଅଧିକ ଥିବାବେଳେ ଯେଉଁ ଚାଷୀଙ୍କ ପାଖରେ ୫୦ଏକର ଜମି ଥିବ ସେ ହିଁ ନୂଆ ଯୋଜନା ଦ୍ୱାରା ଉପକୃତ ହେବାର ନିୟମ କରାଯାଇଥିବାରୁ ଏହା କେତେ ଦୂର ସଫଳ ହେବ ସେନେଇ ଏବେଠୁ ପ୍ରଶ୍ନ ଉଠିଲାଣି।

ଆଗାମୀ ଦିନରେ ଏହି ନୂଆ ନୀତିରେ ପରିବର୍ତ୍ତନ ଅଣାଯିବ ସହ ଚାଷ ଜମି ପରିମାଣ ୫୦ ଏକରରୁ କମାଯିବାର ସମ୍ଭାବନା ଅଛି ବୋଲି କୃଷି ବିଭାଗର ଜଣେ ଅଧିକାରୀ କହିଛନ୍ତି। ଯେପରି ୫ବର୍ଷରେ ୨ଲକ୍ଷ ହେକ୍ଟର ଜମିରେ ଜୈବିକ ପ୍ରଣାଳୀରେ ଚାଷ ହେବ, ଲୋକଙ୍କୁ ଶୁଦ୍ଧ ଶସ୍ୟ ଓ ପନିପରିବା ମିଳିବ, ଉତ୍ପାଦନ ହେବାକୁ ଥିବା ଶସ୍ୟ, ପନିପରିବା, ମାଛ ଆଦିର ବଜାରୀକରଣ କରିହେବ ଏବଂ ବିଦେଶକୁ ରତ୍ପାନି କରାଯିବ ସେନେଇ ଓଡ଼ିଶା ଅର୍ଗାନିକ ମିସନ ପ୍ରତିଷ୍ଠା ହେବ। ଏହି ମିସନକୁ ମାର୍ଗଦର୍ଶନ ଦେବା ପାଇଁ ରାଜ୍ୟସ୍ତରୀୟ ଷ୍ଟିଅରିଂ କମିଟି, ରାଜ୍ୟସ୍ତରୀୟ କାର୍ଯ୍ୟକାରୀ ଓ ପରିଚାଳନା କମିଟି ରହିବ। ଜୈବିକ ପ୍ରଣାଳୀରେ ଚାଷ କରିବାକୁ ଥିବା ଚାଷୀଙ୍କୁ ପିକେଭିଓ୍ଵାଇ, ଆର୍‌କେଭିଓ୍ଵାଇ, ଏମ୍‌ଜିଏନ୍‌ଆର୍‌ଇଜିଏ ଏବଂ ରାଜ୍ୟ ବଜେଟରୁ ଅର୍ଥ ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର