ଜୈବିକ ଚାଷ: ପଦ୍ମଶ୍ରୀ ମିଳୁଛି, କିନ୍ତୁ ପ୍ରୋତ୍ସାହନ ନାହିଁ

ବିଷମୁକ୍ତ ଖାଦ୍ୟକୁ ମଣ୍ଡିରେ ନା, ଆନୁଷଙ୍ଗିକ ସୁବିଧା ଦେବାକୁ ସରକାର କୁନ୍ଥକୁନ୍ଥ

ଭୁବନେଶ୍ବର : ପାରମ୍ପରିକ ବିହନ କଳାବତୀ ଧାନର ଚାଉଳରୁ ନିର୍ମିତ ଭାତ ଖାଇବା ପାଇଁ କର୍କଟ, କିଡନି ରୋଗୀଙ୍କୁ ପରାମର୍ଶ ଦେଉଛନ୍ତି ଡାକ୍ତର। ମାତ୍ର କଳାରଙ୍ଗର ଏହି ଧାନ ଧରି ମଣ୍ଡିକୁ ଗଲେ ବିକ୍ରି ପାଇଁ ଯୋଗ୍ୟ ହେଉ ନାହିଁ।

ବିଷମୁକ୍ତ ଖାଦ୍ୟ କୁହାଯାଉଥିବା ଜୈବିକ ଚାଷ ପାଇଁ ଉଦ୍ୟୋକ୍ତାଙ୍କୁ ପଦ୍ମଶ୍ରୀ ମିଳୁଛି। କିନ୍ତୁ ସରକାରୀ ବ୍ୟବସ୍ଥାରେ ପ୍ରୋତ୍ସାହନ ମିଳୁନି। ବିହନ, ସାର, କୃଷି ଯନ୍ତ୍ରପାତି ଆଦି କ୍ଷେତ୍ରରେ ଧାନ ଚାଷୀଙ୍କ ପାଇଁ ଯେଉଁ ବ୍ୟବସ୍ଥା ରହିଛି, ଜୈବିକ ଚାଷୀ ସେଥିରୁ ବଞ୍ଚିତ ହେଉଛନ୍ତି। ‌

ଜୈବିକ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ସବୁ ମହଲରେ ମତ ପ୍ରକାଶ ପାଉଛି। ସରକାରୀ କଳରେ ଥିବା ଲୋକମାନେ ଭାଷଣ ପ୍ରସଙ୍ଗରେ ଏହାକୁ ବେଶ୍‌ ପ୍ରଶଂସା କରୁଛନ୍ତି। କିନ୍ତୁ ବାସ୍ତବ‌ କ୍ଷେତ୍ରରେ ଚିତ୍ର ଭିନ୍ନ। ଜୈବିକ ଚାଷକୁ ପ୍ରୋତ୍ସାହନ ଯେତିକି ମିଳିବା କଥା ତାହା ଆଦୌ ହେଉ ନାହିଁ। ସରକାରଙ୍କ ଆଖିରେ ଏହି ଚାଷୀମାନେ ଯେମିତି ସାବତ ସନ୍ତାନ ହୋଇଯାଇଛନ୍ତି। ରାଜ୍ୟର ବରଗଡ଼, ସମ୍ବଲପୁର, ନୟାଗଡ଼, ନୁଆପଡ଼ା, ସୁନ୍ଦରଗଡ଼, ନିଆଳି, ବୌଦ୍ଧ, ମାଲକାନଗିରି, କୋରାପୁଟ ସମେତ ବିଭିନ୍ନ ସ୍ଥାନରେ ପାରମ୍ପରିକ ବିହନରେ ବିଷମୁକ୍ତ ଖାଦ୍ୟ ବିହନ ହୁଏ। କିନ୍ତୁ ଏହା ଏତେ ସହଜ ପ୍ରକ୍ରିୟା ନୁହେଁ। ଚାଷୀଙ୍କ ଅଭିଯୋଗ ଅନୁସାରେ, ୨୦୧୪ ମସିହାରେ କୃଷି ବିଭାଗ ପକ୍ଷରୁ ପ୍ରାୟ ୭୦୦ରୁ ୮୦୦ ପ୍ରକାର ପାରମ୍ପରିକ ବିହନକୁ ପଞ୍ଜୀକୃତ କରାଯାଇ ପରୀକ୍ଷାଗାରରେ ରଖାଗଲା। ଏଥି ସହିତ ରାଜ୍ୟ ସରକାରଙ୍କ ବିହନ ବ୍ୟାଙ୍କ ରହିଛି। ମାତ୍ର ଏହା ଚାଷୀଙ୍କୁ ବ୍ୟବହାର ପାଇଁ ଦିଆଯାଏ ନାହିଁ କି ଏହାକୁ ନେଇ ଅଧିକ ପରୀକ୍ଷା ମଧ୍ୟ କରାଯାଉ ନାହିଁ। ଏପରିକି ଜୈବିକ ଚାଷୀଙ୍କ ପାଇଁ ଥିବା ପରମ୍ପରାଗତ କୃଷି ଯୋଜନା ଅନ୍ତର୍ଗତରେ ଏହି ବିହନକୁ ମଧ୍ୟ ସାମିଲ କରାଯାଉ ନାହିଁ। ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ପ୍ରଦାନ କରାଯାଉଥିବା ବିହନ ମଧ୍ୟରେ ଅଧିକ ଅମଳକ୍ଷମ ବିହନ ଅଛି, କିନ୍ତୁ ଦେଶୀ ବିହନ ନାହିଁ। ଏଥି ଯୋଗୁଁ ପ୍ରଥମ ଥର ପାଇଁ ଜୈବିକ ଚାଷ ନିମନ୍ତେ ଆଗ୍ରହୀ ଚାଷୀଙ୍କୁ ଜୈବିକ ବିହନ ପାଇଁ ହଇରାଣ ହେବା ସହିତ ଖର୍ଚାନ୍ତ ହେବାକୁ ପଡ଼େ।

ଚାଷୀଙ୍କ ଅଭିଯୋଗ ଅନୁଯାୟୀ ରସାୟନିକ ସାରରେ ଯେଉଁଭଳି ରିହାତି ରହିଛି, ଜିବାମୃତ ଭଳି ବିଭିନ୍ନ ପ୍ରକାର ପାରମ୍ପରିକ ସାର ତିଆରି କରୁଥିବା ଚାଷୀଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ। ଛୋଟ ଚାଷୀମାନେ ମୁଖ୍ୟତଃ ବିଷମୁକ୍ତ ପାରମ୍ପରିକ ଚାଷ କରନ୍ତି। କିନ୍ତୁ ସେମାନଙ୍କ ପାଇଁ ଟ୍ରାକ୍ଟରରେ ଚାଷ ସହଜ ହୁଏ ନାହିଁ। ସେମାନଙ୍କ ଆବଶ୍ୟକତାକୁ ମଧ୍ୟ ଧ୍ୟାନ ଦିଆଯାଉ ନାହିଁ। ରାଜ୍ୟର ଅଧିକାଂଶ ଅଞ୍ଚଳର ଚାଷୀ ଜଳସେଚନ ପାଇଁ ବର୍ଷା ଉପରେ ନିର୍ଭର କରିଥାଏ। ପ୍ରାୟ ୩ରୁ୪ ବର୍ଷରେ ଥରେ ମରୁଡ଼ି ହୋଇଥାଏ। ସିଡ୍‌ ଡିଲ ଜରିଆରେ ଧାନ ବୁଣିଲେ ମରୁଡ଼ି ହେଲେ ଫସଲ ନଷ୍ଟ ହେବ ନାହିଁ। ଦେଶୀ ଧାନ ପାଇଁ ଏହା ନିହାତି ଆବଶ୍ୟକ। ବରଗଡ଼, ସମ୍ବଲପୁର ଭଳି ବିଭିନ୍ନ ସ୍ଥାନରେ ସ୍ଥିତ କୃଷି କାର୍ଯ୍ୟାଳୟରେ ଏହା ଅନୁପଯୋଗୀ ହୋଇ ପଡ଼ିଛି। କିନ୍ତୁ ଚାଷୀଙ୍କୁ ଦିଆଯାଉ ନାହିଁ ବୋଲି ଅଭିଯୋଗ ହେଉଛି।

Exporters India

 

ଆହୁରି ମଧ୍ୟ ଦେଶୀ ବିହନ ଧାନ ମଣ୍ଡିରେ ବିକ୍ରି ହୁଏ ନାହିଁ। ତେଣୁ ଚାଷୀ ନିଜେ ପ୍ରୋସେସିଂ ଜରିଆରେ ଚାଉଳ କରି ବିକ୍ରି କରିଥାଏ। ଅତି କମରେ ସରକାରଙ୍କ ପକ୍ଷରୁ ଚାଷୀଙ୍କ ଗ୍ରୁପକୁ ମିନି ରବର ସେଲର୍‌ (ଚାଉଳ ବାହାର କରିବା ଯନ୍ତ୍ର) ପ୍ରଦାନ କରାଯିବା ଉଚିତ। ପାରମ୍ପରିକ ବିହନରୁ ପ୍ରସ୍ତୁତ ଚାଉଳ ବିଷମୁକ୍ତ ହୋଇଥିବାରୁ ଅତି କମରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ସାମିଲ କରାଗଲେ ପିଲାମାନେ କୁପୋଷଣରୁ ମୁକ୍ତ ହୋଇ ପାରିବେ ବୋଲି ସୁନ୍ଦରଗଡ଼ର ଚାଷୀ ସୁରଥ କିସାନ ମତ ଦେଇଛନ୍ତି।

ପାରମ୍ପରିକ ବିହନରୁ ଉତ୍ପାଦିତ ଚାଉଳର ଔଷଧୀୟ ଗୁଣ ସମ୍ପର୍କରେ ବରଗଡ଼ ଜିଲ୍ଲାର ଚାଷୀ ସୁଦାମ ସାହୁ କୁହନ୍ତି, ରାଜ୍ୟର ବିଭିନ୍ନ ସ୍ଥାନରେ ଉପଲବ୍ଧ ପାରମ୍ପରିକ ବିହନ ଚାଉଳ କେବଳ ଭାତ ପାଇଁ ନୁହେଁ ଔଷଧ ପାଇଁ ମଧ୍ୟ ବ୍ୟବହାରଯୋଗ୍ୟ। ନଭାରା ବିହନରୁ ଉତ୍ପାଦିତ ଚାଉଳର ଭାତ ରକ୍ତହୀନତା ଦୂର କରେ। ବୁଦ୍ଧଭୋଗ ଚାଉଳ, କର୍ଣ୍ଣି ଚାଉଳର ଭାତ ଆଣ୍ଠୁଗଣ୍ଠି, ଝରା ଚାଉଳର ଭାତ ଏସିଡ ରୋଗୀଙ୍କ ପାଇଁ ଭଲ। ଜଳଖିଆ ଚାଉଳ, ମେଜିକ ଚାଉଳରୁ ଭାତ ରାନ୍ଧିବା ପାଇଁ ପାଣି ମଧ୍ୟ ଗରମ କରିବା ଆବଶ୍ୟକ ନୁହେଁ। ସାଧାରଣ ପାଣିରେ ପକାଇଦେଲେ କିଛି ସମୟ ମଧ୍ୟରେ ଭାତ ହୋଇଯାଏ। ସୂଚନାଯୋଗ୍ୟ ଯେ ଶ୍ରୀ ସାହୁ ଦୁଇ ବର୍ଷ ହେଲା ଜାପାନକୁ ଜୈବିକ ଧାନର ଚାଉଳ ପଠାଉଛନ୍ତି।

ଦେଶୀ ବିହନ ସୁରକ୍ଷା ମଞ୍ଚର ସରୋଜ କହିଛନ୍ତି, ଓଡ଼ିଶାର ଚାଷ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ସର୍ବାଧିକ କ୍ଷତିଗ୍ରସ୍ତ ହେଉଛି। ଏହି ସମସ୍ୟାର ସମାଧାନ ଦେଶୀ ବିହନ କରିପାରିବ। ଅନେକ ପ୍ରକାର ଦେଶୀ ବିହନ ରହିଛି ଯାହା ବନ୍ୟା, ବାତ୍ୟା, ରୋଗପୋକ ସହିପାରେ। ଏହାକୁ ଓୟୁଏଟି ସମେତ କୃଷି ଗବେଷଣା କେନ୍ଦ୍ରରେ ଚିହ୍ନଟ କରି ଚାଷୀଙ୍କୁ ପ୍ରଦାନ କରାଯିବା ଉଚିତ। ପ୍ରତି ପଞ୍ଚାୟତରେ ବିହନ ବ୍ୟାଙ୍କ, ବିହନ ସଂରକ୍ଷକଙ୍କ ପାଇଁ ଆର୍ଥିକ ବ୍ୟବସ୍ଥା, ମନୋନୀତ ବିହନକୁ ସରକାରୀ ବିହନ ବଣ୍ଟନ ବ୍ୟବସ୍ଥା, ପରମ୍ପରାଗତ ଚାଷ ଯୋଜନାରେ ସାମିଲ ଆଦି ଅନ୍ତର୍ଭୁକ୍ତ କରାଯିବା ଉଚିତ।

The New Indian Express

ସବୁଜ ବିପ୍ଳବ ପରେ ରସାୟନିକ ସାରର ଅତ୍ୟଧିକ ବ୍ୟବହାର, ହାଇବ୍ରିଡ ବିହନ ବ୍ୟବହାର ଯୋଗୁଁ ଚାଷୀ ଖର୍ଚ, ରୋଗପୋକ ପ୍ରାଦୁର୍ଭାବ ବଢିଛି। କର୍କଟ ପରି ରୋଗ ବଢ଼ିବାରେ ଲାଗିଛି। ଏଥି ପାଇଁ ପାରମ୍ପରିକ ଚାଷ ପଦ୍ଧତିକୁ ଫେରିଯିବାକୁ ବିଶେଷଜ୍ଞ ମତ ଦେଲେଣି। ସରକାର ମଧ୍ୟ ଏଥି ପାଇଁ ଓଡ଼ିଶାର କମଳା ପୂଜାରୀ, ସ୍ବର୍ଗତ ପ୍ରଫେସର ରାଧାମୋହନ ଓ ସାବରମତୀଙ୍କୁ ପଦ୍ମଶ୍ରୀ ପ୍ରଦାନ କରିଛନ୍ତି। ଅନେକ ଚାଷୀଙ୍କୁ ପ୍ରତି ବର୍ଷ ଜୈବିକ ଚାଷ ପାଇଁ ପୁରସ୍କାର ମିଳେ। କିନ୍ତୁ ପ୍ରୋତ୍ସାହନ ନ ମିଳିଲେ ଲାଭ କ’ଣ ବୋଲି ବହୁ ଚାଷୀ ପ୍ରଶ୍ନ କରିଛନ୍ତି।

ରାଜ୍ୟ କୃଷି ବିଭାଗର ବାୟୋକେମିଷ୍ଟ ସରୋଜ ଦାଶ କହିଛନ୍ତି, ଜୈବିକ ଚାଷ କରୁଥିବା ଚାଷୀଙ୍କୁ ସରକାରଙ୍କ ପକ୍ଷରୁ ଅନେକ ପ୍ରୋତ୍ସାହନ ଦିଆଯାଉଛି। ପିଜିଏସ୍‌ ଯୋଜନା ଅଧୀନରେ ରିଜିଓନାଲ କାଉନସିଲ ପକ୍ଷରୁ ଜୈବିକ ଚାଷୀଙ୍କୁ ସାର୍ଟିଫାଏଡ କରିବା ପରେ ଜୈବିକ ଚାଷ ପ୍ରଶିକ୍ଷଣ ଦିଆଯାଉଛି। ଭର୍ମିକମ୍ପୋଷ୍ଟ, ବାୟୋକମ୍ପୋଷ୍ଟ ଚାଷୀ କିଣିବା ପରେ ସରକାର ହେକ୍ଟର ପିଛା ୩ ହଜାର ଟଙ୍କା ତାଙ୍କ ଆକାଉଣ୍ଟକୁ ପ୍ରଦାନ କରୁଛନ୍ତି। ବିଭିନ୍ନ ସାମାଜିକ ସଂସ୍ଥା ଜରିଆରେ ଏହାର ବିକ୍ରି ବ୍ୟବସ୍ଥା ମଧ୍ୟ ହେଉଛି।

ସମ୍ବନ୍ଧିତ ଖବର