ଜୈବିକ ସାର ଓ କୀଟନାଶକ ପ୍ରସ୍ତୁତିରେ ନିମଗ୍ନ ଉଦୟ ଚନ୍ଦ୍ର ପାତ୍ର

ସଂପ୍ରତି ଉତ୍ପାଦନ କରୁଛନ୍ତି ୩ ହଜାର ଟନ୍‌ ଜୈବିକ ଖତ

ରାଉରକେଲା : ବୟସ ୮୦ ଛୁଇଁଲାଣି। ତଥାପି ଦିନରାତି କଟୁଛି ଜୈବିକ ସାର ଓ ଜୈବିକ କୀଟନାଶକ ତିଆରି ଓ ଗବେଷଣାରେ। ବର୍ଷେ କି ଦି’ ବର୍ଷ ନୁହେଁ, ଗତ ପ୍ରାୟ ତିନି ଦଶନ୍ଧି ହେଲା ଏଭଳି ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ଉଦ୍ଦେଶ୍ୟ, ଅପେକ୍ଷାକୃତ କମ୍‌ ଦରରେ ଜୈବିକ ସାର ଯୋଗାଇବା ଓ ଏହାର ବହୁଳ ବ୍ୟବହାର ସହ ଚାଷୀକୂଳର ଅଭିବୃଦ୍ଧି। ଓଡ଼ିଶାର ପ୍ରତ୍ୟେକ ଚାଷୀ କିଭଳି ଜୈବିକ ପ୍ରଣାଳୀ ଆପଣେଇ ଅଧିକ ଉତ୍ପାଦନ ତଥା ଲାଭାର୍ଜନ ପାଇବେ ଓ ଜନସାଧାରଣ ବିଷମୁକ୍ତ ଖାଦ୍ୟ ଖାଇ ସୁସ୍ଥ ଜୀବନ ଯାପନ କରିବେ। ଏହି ମହତ୍‌ ଉଦ୍ଦେଶ୍ୟ ନେଇ ନିଜସ୍ୱ ଉଦ୍ୟମ, ଜ୍ଞାନକୌଶଳ, ଅଭିଜ୍ଞତାକୁ ଭିତ୍ତିକରି ଜୈବିକ ସାର ଓ କୀଟନାଶକ ପ୍ରସ୍ତୁତ କରି ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଯୋଗାଇବାସହ ସ୍ଥାନୀୟ ଅଞ୍ଚଳର ଗରିବ ବାସିନ୍ଦାଙ୍କ ପାଇଁ କର୍ମନିଯୁକ୍ତି ସୃଷ୍ଟି କରିଛନ୍ତି। ସେ ହେଉଛନ୍ତି ରାଜ୍ୟ ଓ ରାଜ୍ୟ ବାହାରେ ଲବ୍ଧ ପ୍ରତିଷ୍ଠ କୃଷି ବିଶାରଦ ତଥା ଗବେଷକ କୁଆରମୁଣ୍ଡାର ଚାଷୀ ଉଦୟ ଚନ୍ଦ୍ର ପାତ୍ର।

ଗଞ୍ଜାମ ଜିଲ୍ଲା ପାରଲାଖେମୁଣ୍ଡିର ମୂଳ ବାସିନ୍ଦା ଶ୍ରୀ ପାତ୍ର ବୋକାରୋ ଇସ୍ପାତ କାରଖାନା(ବିଏସ୍‌ପି)ରେ କାର୍ଯ୍ୟରତ ଥିଲେ। ତେବେ ପିଲାଟି ଦିନରୁ ଚାଷ ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ଥିଲା। ତେବେ ଚିରାଚରିତ କୀଟନାଶକ ବଦଳରେ ଜୈବିକ ସାର ଦେଇ ଚାଷକାମ କରିବାକୁ ମନସ୍ଥ କରିଥିଲେ। ୧୯୯୨ ମସିହାରେ କୁଆରମୁଣ୍ଡାର ପାହାଡ଼ିଆ ଅଞ୍ଚଳରେ ୩ ଏକର ଜମି କିଣି ଜୈବିକ ଚାଷ କରିବାକୁ ପ୍ରକ୍ରିୟା ଆରମ୍ଭ କରିଥିଲେ। ସେତେବେଳେ ତାଙ୍କୁ କିନ୍ତୁ ଅନେକ ଲୋକ ଟାହିଟାପରା କରିଥିଲେ। ଟାଙ୍ଗରିଆ ଭୁଇଁରେ ଚାଷ କାମ ନ କରିବାକୁ ପରାମର୍ଶ ବି ଦେଇଥିଲେ; କିନ୍ତୁ ସେ ନିଜ ଜିଦ୍‌ରେ ଅଟଳ ରହି ଜୈବିକ ସାର ବ୍ୟବହାର କରି ଧାନ ଓ ପନିପରିବା ଚାଷ କରିଥିଲେ।

ଜୈବିକ ଖତ ଓ କୀଟନାଶକ ଉତ୍ପାଦନରେ ସିଦ୍ଧହସ୍ତ
ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟରେ ତାଲିମ ଦେଉଛନ୍ତି

ପ୍ରଥମବର୍ଷରୁ ଭଲ ଅମଳ ହେବା ପରଠାରୁ ସେ ଆଉ ପଛକୁ ଫେରିଚାହିଁନାହାନ୍ତି। ବର୍ତ୍ତମାନ ତାଙ୍କ ପରିବା ବାଡ଼ିରେ ବିଭିନ୍ନ ପ୍ରକାର ଫଳ, ଯଥା-୬ ପ୍ରକାର ଆମ୍ବ, ସପୁରୀ, ମୌସମୀ,‌ ସେପଟା, ପିଜୁଳି, ସେଓ, ବରକୋଳି, ନଡ଼ିଆ, ଲେମ୍ବୁ, ଡାଲିମ୍ବ ଆଦି ରହିଛି। ଏତଦ୍‌ବ୍ୟତୀତ ଧାନ ଚାଷ ସମେତ ସୋରିଷ, ବାଦାମ, ଧଣିଆପତ୍ର, କୋବି, ପପିତା, ବାଇଗଣ, ବିଳାତି, ମକା, କଲରା ଆଦି ପନିପରିବା ଚାଷ କରୁଛନ୍ତି। ଏସବୁ ଚାଷରେ କେବଳ ଜୈବିକ ସାର ହିଁ ପ୍ରୟୋଗ ହେଉଛି। ନିମ, କରଞ୍ଜ, ମହୁଲ, ଟୋଲ, ଆତ, ବେଲ, ଗୋମୂତ୍ର, ବେଲପତ୍ର ଆଦି ୩୨ ପ୍ରକାର ସାମଗ୍ରୀରେ ତିଆରି ହେଉଛି ଜୈବିକ ଖତ। ଏଥିପାଇଁ ସବୁ ଯନ୍ତ୍ରପାତି ଉପଲବ୍ଧ ଥିବାବେଳେ ନିରନ୍ତରଭାବେ ଉତ୍ପାଦନ ଜାରି ରହିଛି।

ଏତଦ୍‌ବ୍ୟତୀତ ନିଜସ୍ବ ଜ୍ଞାନକୌଶଳରେ ଏକ କୀଟନାଶକ ମଧ୍ୟ ତିଆର କରିଛନ୍ତି; ଯାହାକି ବେଶ୍‌ ଉପଯୋଗୀ। କଦଳୀ, ଗୁଡ଼, ମହୁ, ଗୋମୂତ୍ର ଆଦି ବିଭିନ୍ନ ସାମଗ୍ରୀର ମିଶ୍ରଣରେ ନିର୍ମିତ ଏହି କୀଟନାଶକ ପ୍ରାୟ ୫୦ ପ୍ରତିଶତରୁ ଅଧିକ ଉତ୍ପାଦନ ବୃଦ୍ଧିରେ ସହାୟକ ହେବବୋଲି ଶ୍ରୀ ପାତ୍ର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏହି ‘ଉଦୟ ବ୍ରାଣ୍ଡ୍‌ର’ ଜୈବିକ ଖତ ଓ ଜୈବିକ କୀଟନାଶକ ଚାହିଦା ବଢ଼ିବାରେ ଲାଗିଛି। କୌଣସି ସରକାରୀ ପ୍ରୋତ୍ସାହନ ବିନାରେ ତଥା କେବଳ ନିଜସ୍ୱ ଉଦ୍ୟମରେ ସଂପ୍ରତି ବାର୍ଷିକ ୩ ହଜାର ଟନ ଜୈବିକ ଖତ ଉତ୍ପାଦନ କରୁଛନ୍ତି। ରାଜ୍ୟ ଓ ରାଜ୍ୟ ବାହାରେ ତାଙ୍କ ଦ୍ବାରା ପ୍ରସ୍ତୁତ ସାର ଓ କୀଟନାଶକର କ୍ରମବର୍ଦ୍ଧିଷ୍ଣୁ ଚାହିଦାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ଉତ୍ପାଦନ କ୍ଷମତା ବାର୍ଷିକ ୫୦ ହଜାର ଟନ୍‌କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି।

ଶ୍ରୀ ପାତ୍ର କୃଷି ବିଜ୍ଞାନରେ ଆନୁଷ୍ଠାନିକ ଶିକ୍ଷା ଗ୍ରହଣ କରିନାହାନ୍ତି। ତାଙ୍କ ପାଖରେ କୌଣସି ଡିଗ୍ରି ବି ନାହିଁ। ମାତ୍ର ନିଜସ୍ୱ ଉଦ୍ୟମ, ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ବଳରେ ସେ ଏବେ ନିଜକୁ ଜଣେ ଜଣେ କୃଷି ବିଶାରଦ ଭାବେ ପ୍ରତିଷ୍ଠିତ କରିପାରିଛନ୍ତି। ରାଉରକେଲାସ୍ଥ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି), ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି) ସମେତ ରାଜ୍ୟ ବାହାର ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ତାଲିମ ଦେବାକୁ ଯାଉଛନ୍ତି। ରାଉରକେଲାସ୍ଥ ଏନ୍‌ଆଇଟିରେ ଜୈବିକ ଚାଷ ଓ ଗବେଷଣା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଥିବାବେଳେ ଶ୍ରୀ ପାତ୍ର ମୁଖ୍ୟ ପରାମର୍ଶଦାତାଭାବେ ୩ ବର୍ଷ ଧରି ଦାୟିତ୍ବ ତୁଲାଇଥିଲେ।

ସମ୍ବନ୍ଧିତ ଖବର