ଝାରସୁଗୁଡ଼ାରେ ସାଂଗଠନିକ ବୈଠକ: ବିଜେଡି ଟିକେଟ ମିଳିବ କାହାକୁ? ସଭାପତିଙ୍କ ଉପରେ ଦାୟିତ୍ବ

ଝାରସୁଗୁଡା: ବିଜୁ ଜନତା ଦଳ ତରଫରୁ ବ୍ରଜରାଜନଗର ଉପନିର୍ବାଚନ ପାଇଁ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମନ୍ତ୍ରୀ ନବ କିଶୋର ଦାସ, ମନ୍ତ୍ରୀ ସୁଶାନ୍ତ ସିଂ, ବିଜେଡି ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ଜିଲ୍ଲା ପର୍ଯ୍ୟବେକ୍ଷକ ତଥା କଟକ ମେୟର ସୁବାସ ସିଂ, ସହ ପର୍ଯ୍ୟବେକ୍ଷକ ବିଷ୍ଣୁ ପ୍ରସାଦ କେଡ଼ିଆ ଯୋଗ ଦେଇଥିଲେ। ବୈଠକରେ ଆଗାମୀ ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ଚୟନ ପାଇଁ  ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଉପରେ ଦାୟିତ୍ବ ଅର୍ପଣ କରାଯିବାକୁ ସର୍ବସମ୍ମତ ନିଷ୍ପତ୍ତି ଗ୍ରହଣ କରାଯାଇଥିବା କୁହାଯାଇଛି।

ବୈଠକ ପରେ ମନ୍ତ୍ରୀ ଶ୍ରୀ ଦାସ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲ‌େ ଯେ ପ୍ରାର୍ଥୀ ଚୟନ କ୍ଷମତା ଦଳର ସଭାପତି ମୁଖ୍ୟମନ୍ତ୍ରୀ କରିବେ। ସେ ଯାହାକୁ  ପ୍ରାର୍ଥୀ କରିବେ ତାଙ୍କୁ ବିଜୟୀ କରିବା ଆମର କର୍ତ୍ତବ୍ୟ। ବୈଠକରେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ଲଖନପୁର ବ୍ଲକର ସମସ୍ତ ଜିଲ୍ଲା ପରିଷଦ ସଭ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷା, ସମିତି ସଭ୍ୟ, ବ୍ରଜରାଜନଗର ପୌର ପରିଷଦ ଅଧ୍ୟକ୍ଷ ଓ କାଉନସିଲର, ବେଲପାହାଡ଼ ପୌର ପରିଷଦର ସମସ୍ତ କାଉନସିଲର, ବିଜୁ ଜନତା ଦଳର ବ୍ରଜରାଜନଗର ସହର ସଭାପତି, ଲଖନପୁର ବ୍ଲକ ସଭାପତି, ବେଲପାହାଡ଼ ସହର ସଭାପତିଙ୍କ ସମେତ ଅନ୍ୟ ନେତୃବୃନ୍ଦ ଯୋଗ ଦେଇଥିଲେ। ବୈଠକରେ ଆଗାମୀ ଉପନିର୍ବାଚନ ପାଇଁ ଏକ ପରିଚାଳନା କମିଟି ଗଠନ କରାଯାଇଛି। ଏହି ପରିଚାଳନା କମିଟିର ଅଧ୍ୟକ୍ଷ ଭାବେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଦାସଙ୍କୁ  ରଖାଯାଇଛି।

ସମ୍ବନ୍ଧିତ ଖବର