କଟକ: ଓଆରଏଚ୍ଡିସି ମାମଲାରେ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ରାୟ ବିରୋଧରେ ବିଧାୟକ ମହମ୍ମଦ ମୋକିମ ଦାୟର କରିଥିବା ଅପିଲର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୨୭ରେ ହେବ। ଆଜି ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ହୋଇଥିଲା। ଶୁଣାଣି ଅସଂପୂର୍ଣ୍ଣ ରହିଥିଲା। ଆସନ୍ତା ୨୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଓଡ଼ିଶା ରୁରାଲ ହାଉସିଂ ଡେଭେଲପମେଣ୍ଟ କର୍ପୋରେସନ (ଓଆରଏଚଡିସି) ଦୁର୍ନୀତି ମାମଲାର ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଶୁଣାଣି କରି ୨୦୨୨ ସେପ୍ଟେମ୍ବର ୨୯ରେ ନିଗମର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ତଥା ଆଇଏସ୍ ବିନୋଦ କୁମାର, ନିଗମର ପୂର୍ବତନ କମ୍ପାନି ସେକ୍ରେଟାରି ସ୍ବସ୍ତିରଂଜନ ମହାପାତ୍ର, ମେଟ୍ରୋ ବିଲ୍ଡର୍ସ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ମହମ୍ମଦ ମୋକିମ, ନିର୍ଦ୍ଦେଶକ ପୀୟୂଷଧାରୀ ମହାନ୍ତିଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ପ୍ରଦାନ କରିଥିଲେ।
ଏହି ରାୟକୁ ଚାଲେଞ୍ଜ କରି ଶ୍ରୀ ମୋକିମ ଦାୟର କରିଥିବା ଆବେଦନକୁ ୨୦୨୨ ଅକ୍ଟୋବର ୧୦ରେ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରି ତାଙ୍କୁ ଜାମିନ ପ୍ରଦାନ କରିବା ସହିତ ନିମ୍ନ ଅଦାଲତଙ୍କ ଜରିମାନା ଦଣ୍ଡାଦେଶ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ। ଏହାପରେ ୨୦୨୨ ଅକ୍ଟୋବର ୧୯ରେ ହାଇକୋର୍ଟ ଶ୍ରୀ ମୋକିମଙ୍କ ଅନ୍ତରୀଣ ଆବେଦନର ଶୁଣାଣି କରି ନିମ୍ନ ଅଦାଲତଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କରିଥିଲେ। ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ ଉଠାଇବାକୁ ରାଜ୍ୟ ସରକାର ଦାୟର କରିଥିବା ଆବେଦନରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବାକୁ ୨୦୨୩ ସେପ୍ଟେମ୍ବର ୨୨ରେ ମନା କରିଥିଲେ। ଅନ୍ୟପକ୍ଷରେ ହାଇକୋର୍ଟରେ ବିଚାରାଧୀନ ମାମଲାର ୬ ମାସ ଭିତରେ ଶୁଣାଣି ଶେଷ ଉପରେ ସୁପ୍ରିମକୋର୍ଟ ଗୁରୁତ୍ବାରୋପ କରିଥିଲେ। ଏହି ମାମଲାରେ ନିମ୍ନ ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅନ୍ୟ ତିନି ଜଣଙ୍କ ପୃଥକ ଅପିଲକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରି ସମସ୍ତଙ୍କୁ ଜାମିନ ପ୍ରଦାନ କରିଥିଲେ। ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ରାୟ ବିରୋଧରେ ଶ୍ରୀ ମୋକିମ ଓ ଅନ୍ୟମାନଙ୍କ ତରଫରୁ ଦାୟର ପୃଥକ ଅପିଲ ଗୁଡ଼ିକର ହାଇକୋର୍ଟରେ ଏବେ ଏକତ୍ର ଶୁଣାଣି ଚାଲିଛି। ଶ୍ରୀ ମୋକିମଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ଓ ବିନୋଦ କୁମାରଙ୍କ ତରଫରୁ ଆଇନଜୀବୀ ଦେବାଶିଷ ପଣ୍ଡା ମାମଲା ପରିଚାଳନା କରୁଛନ୍ତି।