ଓଆର୍‌ଏଚ୍‌ଡିସି ଦୁର୍ନୀତି : ଜେଲ୍‌ ଗଲେ ଗ୍ରାମ ବିକାଶ ମଞ୍ଚ ସଂପାଦକ ଆଶିଷ ନାୟକ

କଟକ : ଓଆର୍‌ଏଚ୍‌ଡିସି (ଓଡ଼ିଶା ରୁରାଲ ହାଉସିଂ ଆଣ୍ଡ୍‌ ଡେଭଲପମେଣ୍ଟ୍‌ କର୍ପୋରେସନ୍‌) ଦୁର୍ନୀତି ଘଟଣାରେ ଦୋଷୀ ସାବ୍ୟସ୍ତ ଗ୍ରାମ୍ୟ ବିକାଶ ମଞ୍ଚ ଅନୁଷ୍ଠାନର ସଂଗଠନ ସଂପାଦକ ଆଶିଷ କୁମାର ନାୟକଙ୍କୁ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ୩ ବର୍ଷ ଜେଲ ଓ ୨୫ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଜରିମାନା ନ ଦେଲେ ତାଙ୍କୁ ଅଧିକ ଦୁଇ ମାସ ଜେଲ ଦଣ୍ଡ ଭୋଗ କରିବାକୁ ପଡିବ। ଶ୍ରୀ ନାୟକଙ୍କୁ ଆଇପିସିର ଦଫା ୪୨୦ ଓ ୧୨୦-ବି’ରେ ଦୋଷୀ ସାବ୍ୟସ୍ତ କରି ଅଦାଲତ ଉପରୋକ୍ତ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ହାଇକୋର୍ଟଙ୍କ ୨୦୧୮, ଜୁଲାଇ ୨୬ର ନିର୍ଦ୍ଦେଶ ଅନୁସାରେ ଆଜି ଶ୍ରୀ ନାୟକ ଅଦାଲତରେ ଆତ୍ମସମର୍ପଣ କରିଥିଲେ। ଏହାପରେ ତାଙ୍କ ଦଣ୍ଡାଦେଶ ଉପରେ ଶୁଣାଣି ହୋଇଥିଲା। ଶ୍ରୀ ନାୟକ ଅଦାଲତରେ ଦଣ୍ଡିତ ହେବା ପରେ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଭିଜିଲାନ୍ସ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ୍‌ ପ୍ରସିକ୍ୟୁଟର ହେମନ୍ତ କୁମାର ସ୍ୱାଇଁ ମାମଲା ପରିଚାଳନା କରୁଥିଲେ। ଏହି ମାମଲାର ତଦନ୍ତ କରି କଟକ ଭିଜିଲାନ୍ସ ସେଲର ପୂର୍ବତନ ଇନ୍ସପେକ୍ଟର ଏସ୍‌.କେ.ଦାସ ଅଦାଲତରେ ଚାର୍ଜସିଟ ଦାଖଲ କରିଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ ଜୁଲାଇ ୩ରେ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଓଆର୍‌ଏଚ୍‌ଡିସ ଦୁର୍ନୀତି ମାମଲାର ରାୟ ପ୍ରକାଶ କରି ଓଆର୍‌ଏଚ୍‌ଡିସର ତତ୍କାଳୀନ ପରିଚାଳନା ନିର୍ଦ୍ଦେଶକ ଆଏଏସ୍‌ ବିନୋଦ କୁମାର, ନିର୍ଦ୍ଦେଶକ ସଂଜୟ ମହାନ୍ତି ଓ ପୂର୍ଣ୍ଣଚନ୍ଦ୍ର ଦାସ, ଆକାଉଣ୍ଟାଣ୍ଟ ପ୍ରଦୀପ କୁମାର ରାଉତ ଓ ଚିତ୍ତରଂଜନ ମଲ୍ଲିକ, ଗ୍ରାମ୍ୟ ବିକାଶ ମଞ୍ଚ ସଂଗଠନ ସଂପାଦକ ଆଶିଷ କୁମାର ନାୟକଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଜୁଲାଇ ୩ର ରାୟ ପ୍ରକାଶ ସମୟରେ ଅଦାଲତରେ କେବଳ ସଂଜୟ ମହାନ୍ତି ଉପସ୍ଥିତ ଥିବା ବେଳେ ବିନୋଦ କୁମାରଙ୍କ ସହିତ ଅନ୍ୟ ୪ ଜଣ ଅନୁପସ୍ଥିତ ଥିଲେ। ଏପରି ପରିସ୍ଥିତିରେ ବିନୋଦ କୁମାର ଓ ଅନ୍ୟ ୪ଜଣଙ୍କ ବିରୋଧରେ ଅଦାଲତ ଏନବିଡବ୍ଲୁ ଜାରି କରିଥିଲେ। ଏହି ଏନ୍‌ବିଡବ୍ଲୁକୁ ଚାଲେଞ୍ଜ କରି ବିନୋଦ କୁମାର, ଶ୍ରୀ ନାୟକ ଓ ଅନ୍ୟ ୩ ଜଣଙ୍କ ଆବେଦନ ହାଇକୋର୍ଟ ଖାରଜ କରିବା ସହିତ ସେମାନଙ୍କୁ ଅଗଷ୍ଟ ୪ ତାରିଖ ସୁଦ୍ଧା ନିମ୍ନ ଅଦାଲତରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର