ଓଆରଏଚ୍‌ଡିସି ଦୁର୍ନୀତି ମାମଲା : ଆଇଏଏସ ବିନୋଦ କୁମାରଙ୍କ ସମେତ ୫ଜଣଙ୍କୁ ପଳାତକ ଘୋଷଣା କରାଯିବ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଓଆର୍‌ଏଚଡିସି ଦୁର୍ନୀତି ମାମଲାରେ ଆଇଏଏସ୍‌ ବିନୋଦ କୁମାରଙ୍କ ସମେତ ୫ ଜଣଙ୍କୁ ଖୁବ୍‌ଶୀଘ୍ର ପଳାତକ ଘୋଷଣା କରାଯିବ। ଏନବିଡବ୍ଲ୍ୟୁ ଜାରି କରିବା ପରେ ଭିଜିଲାନ୍ସ ପକ୍ଷରୁ ଗତ ୩ ଦିନ ହେବ ଆଇଏଏସ ବିନୋଦଙ୍କ ସମେତ ୫ ଅଭିଯୁକ୍ତ ଘରେ ଚଢ଼ଉ କରାଯାଇଥିଲା। କିନ୍ତୁ ସେମାନଙ୍କର କୌଣସି ଖୋଜଖବର ମିଳିପାରୁ ନାହିଁ। ଏହାଛଡ଼ା ସେମାନେ ଭିଜିଲାନ୍ସରେ ହାଜର ମଧ୍ୟ ହେଉନାହାନ୍ତି। ତେଣୁ ସେମାନଙ୍କୁ ପଳାତକ ଘୋଷଣା କରାଯିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଖାଲି ସେତିକି ନୁହେଁ, ସେମାନଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ବାଜ୍ୟାପ୍ତି ଘୋଷଣା କରାଯିବ। ଅଭିଯୁକ୍ତମାନେ ହେଲେ ଆଇଏଏସ୍‌ ବିନୋଦଙ୍କ ସମେତ ପୂର୍ଣ୍ଣଚନ୍ଦ୍ର ଦାଶ, ପ୍ରଦୀପ ରାଉତ, ଚିତ୍ତରଞ୍ଜନ ମଲ୍ଲିକ, ଆଶିଷ କୁମାର ନାୟକ।

ପ୍ରକାଶ ଥାଉ କି, ଗତ ୩ ତାରିଖରେ ଭିଜିଲାନ୍ସର ସ୍ୱତନ୍ତ୍ର କୋର୍ଟ ଆଇଏଏସ ବିନୋଦ କୁମାରଙ୍କ ସମେତ ୫ଜଣଙ୍କ ବିରୋଧରେ ଏନ୍‌ବିଡବ୍ଲ୍ୟୁ ଜାରି କରିଥିଲା। କୋର୍ଟ ପକ୍ଷରୁ ଏନବିଡବ୍ଲ୍ୟୁ ଜାରି ହେବା ପରେ ଭିଜିଲାନ୍ସ ତନାଘନା ଆରମ୍ଭ କରିଥିଲା। ଗତକାଲି ପରି ଆଜି ଦିନ ବେଳେ ମଧ୍ୟ ଭିଜିଲାନ୍ସ ଟିମ୍‌ ଆଇଏଏସ ବିନୋଦଙ୍କ ନୂଆପଲ୍ଲୀସ୍ଥିତ ସରକାରୀ ଘରେ ଚଢ଼ଉ କରିଥିଲେ ହେଁ ଖାଲି ହାତରେ ଫେରିଥିଲା। କେବଳ ବିନୋଦ କାହିଁକି, କୋର୍ଟ ଏନବିଡବ୍ଲ୍ୟୁ ଜାରି କରିଥିବା ଅନ୍ୟ ଚାରି ଅଭିଯୁକ୍ତମାନଙ୍କୁ ମଧ୍ୟ ଭିଜିଲାନ୍ସ ଗିରଫ କରିବାକୁ ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଓଆର୍‌ଏଚ୍‌ଡିସି ଦୁର୍ନୀତି ମାମଲାରେ ଭିଜିଲାନ୍ସର ସ୍ୱତନ୍ତ୍ର କୋର୍ଟ ଆଇଏଏସ ବିନୋଦ କୁମାରଙ୍କ ସମେତ ୬ଜଣଙ୍କୁ ମଙ୍ଗଳବାର ଦୋଷୀ ସାବ୍ୟସ୍ତ କରିଥିଲେ। କିନ୍ତୁ ଏମାନଙ୍କ ମଧ୍ୟରୁ କେବଳ ସଞ୍ଜୟ ମହାନ୍ତି କୋର୍ଟରେ ହାଜର ଥିବାରୁ ତାଙ୍କୁ ତିନି ବର୍ଷ ସଶ୍ରମ କାରାଦଣ୍ଡ ଓ ୭୫ ହଜାର ଟଙ୍କା ଜରିମାନା ଆଦାୟ ନିର୍ଦେଶ ଦିଆଯାଇଥିଲା। ଅନ୍ୟ ପାଞ୍ଚଜଣ ଶୁଣାଣି ବେଳେ କୋର୍ଟରେ ଅନୁପସ୍ଥିତ ରହିବା କାରଣରୁ ସେମାନଙ୍କ ବିରୋଧରେ ମାନ୍ୟବର କୋର୍ଟ ଏନବିଡବ୍ଲ୍ୟୁ ଜାରି କରିଥିଲେ।

ଏଠାରେ ପ୍ରକାଶଥାଉକ ୧୯୯୯ ମହାବାତ୍ୟା ପରେ ଓଆର୍‌ଏଚଡିସ ପକ୍ଷରୁ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣକୁ ନେଇ ୫୫ ଲକ୍ଷ ଟଙ୍କାର ଦୁର୍ନୀତି ଅଭିଯୋଗ ହୋଇଥିଲା। ୨୦୦୭ ମସିହାରେ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇଥିଲା।

ସମ୍ବନ୍ଧିତ ଖବର