ଓଆର୍‌ଏଚ୍‌ଡିସି ଦୁର୍ନୀତି ମାମଲା : ବିନୋଦ କୁମାର ହାଇକୋର୍ଟଙ୍କ ଦ୍ୱାରସ୍ଥ

କଟକ : ବହୁ ଚର୍ଚ୍ଚିତ ଓଆର୍‌ଏଚ୍‌ଡିସି (ଓଡ଼ିଶା ରୁରାଲ ହାଉସିଂ ଆଣ୍ଡ୍‌ ଡେଭଲପମେଣ୍ଟ୍‌ କର୍ପୋରେସନ୍‌) ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ତତ୍କାଳୀନ ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ଦାସ, ଆକାଉଣ୍ଟାଣ୍ଟ ପ୍ରଦୀପ ରାଉତ ଓ ଚିତ୍ତରଂଜନ ମଲ୍ଲିକଙ୍କ ବିରୋଧରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କୌଣସି ପ୍ରକାର କଠୋର ପଦକ୍ଷେପ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ମାମଲାରେ ପକ୍ଷ ରଖିବାକୁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦିଆଯାଇଛି। ଜୁଲାଇ ୧୦ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଜଷ୍ଟିସ ଜେ.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ତିନି ଆବେଦନକାରୀଙ୍କ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଦେବାଶିଷ ପଣ୍ଡା ଓ ଅରୁଣ କୁମାର ଆଚାର୍ଯ୍ୟ ମାମଲା ପରିଚାଳନା କରୁଛନ୍ତି।

ଅନ୍ୟପକ୍ଷରେ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତର ବିଚାର ପ୍ରକ୍ରିୟା ଓ ଜାରି କରାଯାଇଥିବା ଜାମିନ ବିହୀନ ଗିରଫ ପରଓ୍ଵାନା(ଏନବିଡବ୍ଲୁ)କୁ ଚାଲେଞ୍ଜ କରି ଆଏଏସ୍‌ ବିନୋଦ କୁମାର ଆଜି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତାଙ୍କ ବିରୋଧରେ ଜାରି କରିଥିବା ଏନବିଡବ୍ଲୁ ରଦ୍ଦ ପାଇଁ ସେ ପ୍ରାର୍ଥନା କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଜୁଲାଇ ୩ରେ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଓଆର୍‌ଏଚ୍‌ଡିସ ଦୁର୍ନୀତି ମାମଲାର ରାୟ ପ୍ରକାଶ କରି ଓଆର୍‌ଏଚ୍‌ଡିସର ତତ୍କାଳୀନ ପରିଚାଳନା ନିର୍ଦ୍ଦେଶକ ଆଏଏସ୍‌ ବିନୋଦ କୁମାର, ନିର୍ଦ୍ଦେଶକ ସଂଜୟ ମହାନ୍ତି, ଗ୍ରାମ୍ୟ ବିକାଶ ମଞ୍ଚ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଂଗଠନ ସଂପାଦକ ଆଶିଷ କୁମାର ନାୟକଙ୍କ ସହିତ ଉପରୋକ୍ତ ତିନି ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଜୁଲାଇ ୩ର ରାୟ ପ୍ରକାଶ ସମୟରେ ଅଦାଲତରେ କେବଳ ସଂଜୟ ମହାନ୍ତି ଉପସ୍ଥିତ ଥିବା ବେଳେ ବିନୋଦ କୁମାରଙ୍କ ସହିତ ଅନ୍ୟ ୪ ଜଣ ଅନୁପସ୍ଥିତ ଥିଲେ। ଏପରି ପରିସ୍ଥିତିରେ ବିନୋଦ କୁମାର ଓ ଅନ୍ୟ ୪ଜଣଙ୍କ ବିରୋଧରେ ଅଦାଲତ ଏନବିଡବ୍ଲୁ ଜାରି କରିଥିଲେ।

ସମ୍ବନ୍ଧିତ ଖବର