ଓଆରଏଚ୍‌ଡିସି ଦୁର୍ନୀତି ମାମଲା : ଆଇଏଏସ୍‌ ବିନୋଦ କୁମାରଙ୍କ ସମେତ ୬ ଜଣଙ୍କୁ ୩ ବର୍ଷ ଜେଲ୍‌

ଭୁବନେଶ୍ୱର : ବହୁ ଚର୍ଚିତ ଓଆର୍‌ଏଚ୍‌ଡିସି ଦୁର୍ନୀତି ମାମଲାରେ ଆଜି ସ୍ୱତନ୍ତ୍ର ସିଜେଏମ୍‌ (ଭିଜିଲାନ୍ସ) ଶ୍ୟାମ ସୁନ୍ଦର ଦାସ ଓଆର୍‌ଏଚ୍‌ଡିସିର ନିର୍ଦେଶକ ଆଇଏଏସ୍‌ ବିନୋଦ କୁମାରଙ୍କ ସମେତ ୬ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ପ୍ରତ୍ୟେକଙ୍କୁ ୩ବର୍ଷ ଜେଲ୍‌ ଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି। ଅନ୍ୟ ଅଭିଯୁକ୍ତମାନେ ହେଲେ ଓଆର୍‌ଏଚ୍‌ଡିସିର କମ୍ପାନି ସେକ୍ରେଟାରି ସ୍ୱସ୍ତି ରଞ୍ଜନ ମହାପାତ୍ର, ଆକାଉଣ୍ଟସ୍‌ ଅଫିସର ପ୍ରଦୀପ କୁମାର ରାଉତ, ଲୋନ୍‌ ଅଫିସର ସତ୍ୟ ପ୍ରକାଶ ବେହେରା, ସିଷ୍ଟମ ଆନାଲିଷ୍ଟ ଜ୍ଞାନେନ୍ଦ୍ର ସ୍ୱାଇଁ ଏବଂ ବିଶ୍ୱାଳ କନ୍‌ଷ୍ଟ୍ରକସନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର୍‌ ନିର୍ଦେଶକ ବିଜୟ କୁମାର ବିଶ୍ୱାଳ। ସମସ୍ତ ତଥ୍ୟ ପ୍ରମାଣକୁ ଭିତ୍ତି କରି ପିସି ଆକ୍ଟ ୧୩(୨) ଏବଂ ଆଇପିସି ଧାରା ୧୨୦(ବି), ୪୨୦, ୪୬୭, ୪୬୮. ୪୭୧ରେ ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରି ସ୍ୱତନ୍ତ୍ର(ସିଜେଏମ୍‌) ଶ୍ରୀ ଦାସ ଏହି ରାୟ ଦେଇଛନ୍ତି। ଜରିମାନା ଅନାଦାୟ ହେଲେ ଅଧିକ ୬ମାସ ଜେଲଦଣ୍ଡ ଭୋଗିବାକୁ ହେବ ବୋଲି ରାୟରେ ପ୍ରକାଶ କରାଯାଇଛି।

ସୂଚନା ମୁତାକ, ୨୦୦୧ ଏପ୍ରିଲ୍‌ ମାସରେ ବିନୋଦ ଓ ଅନ୍ୟ ୫ ଅଭିଯୁକ୍ତ କାଗଜପତ୍ରରେ ଜାଲିଆତି କରି ୨୭ ଜଣଙ୍କ ନାମରେ ଓଆର୍‌ଏଚ୍‌ଡିସିରୁ ଏକୋଟି ଏକ ଲକ୍ଷ ୭୦ ହଜାର ଟଙ୍କା ଋଣ ନେଇଥିଲେ। କୌଣସି ବନ୍ଧକ କିମ୍ବା ସିକ୍ୟୁରିଟି ନରଖି ଶାସ୍ତ୍ରୀନଗର ସ୍ଥିତ ଜ୍ୟୋତ୍ସ୍ନା ଗାର୍ଡେନ୍‌ ଆପାର୍ଟମେଣ୍ଟରେ ଘର କିଣିବାକୁ ଦର୍ଶାଇ ୨୭ଜଣଙ୍କ ନାମରେ ଋଣ ନେଇଥିଲେ। ହେଲେ ଋଣ ବାବଦକୁ ଗୋଟିଏ ବି କିସ୍ତି ଦେଇ ନଥିଲେ। ଭିଜିଲାନ୍ସ ପକ୍ଷରୁ ୨୦୦୬ରେ ଏକ ମାମଲା ରୁଜୁ କରାଯାଇଥିଲା। ତଦନ୍ତ ପରେ ଜଣା ପଡ଼ିଥିଲା ଯେ, ୧୯୯୮ ମସିହାରେ ଜ୍ୟୋତ୍ସ୍ନା ଆପର୍ଟମେଣ୍ଟ ନିର୍ମାଣ ସରିଥିଲା। ଆଉ ଆପାର୍ଟମେଣ୍ଟର ଘରଗୁଡ଼ିକୁ ୧୯୯୮ ବିକ୍ରି ସରିଥିଲା। ଅଭିଯୁକ୍ତମାନେ ଜାଲିଆତି କରି ୨୭ ଜଣଙ୍କ ନାମରେ ଋଣ ନେଇଥିଲେ। ସିବିଆଇ ପକ୍ଷରୁ ବରିଷ୍ଠ ଆଇନଜୀବୀ ହେମନ୍ତ କୁମାର ସ୍ୱାଇଁ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର