୨୧ ବର୍ଷ ହେଲା ବନ୍ଦ ପଡ଼ିଛି ଓରିଏଣ୍ଟ ପେପର ମିଲ୍ : ଏବେ ବି ଲୋକଙ୍କ ବିଶ୍ୱାସ ଚିମିନିରୁ ଧୂଆଁ ବାହାରିବ!

ବ୍ରଜରାଜନଗର : ଏକଦା ବ୍ରଜରାଜନଗର ଓଡ଼ିଶାର କାଗଜ ନଗରୀ ଭାବରେ ପରିଚିତ ଥିଲା। କିନ୍ତୁ କାଗଜ କଳ ବନ୍ଦ ହେବା ପରେ ଏହା କୋଇଲା ଖଣିର ଧୂଳି ଓ ଧୂଆଁ ବୋଳା ସହରରେ ପରିଣତ ହୋଇଛି। ଓପିଏମ୍‌ ବନ୍ଦ ହେବାର ୨୧ ବର୍ଷ ପରେ ମଧ୍ୟ ଲୋକଙ୍କର ଆଶା ଯେ, ଏହି କାରଖାନାର ଚିମିନିରୁ ଦିନେ ନା ଦିନେ ପୁଣି ଧୂଆଁ ବାହାରିବ।

ଶିଳ୍ପ ମାନଚିତ୍ରରେ ଝାରସୁଗୁଡ଼ା ଜିଲ୍ଲା ତଥା ବିଶେଷ କରି ବ୍ରଜରାଜନଗର ସହରକୁ ପରିଚିତ କରିଥିଲା ଓପିଏମ୍‌ (ଓରିଏଣ୍ଟ ପେପର ମିଲ) କାଗଜ କଳ। ତେବେ ଗତ ୧୯୯୯ମସିହା ଜାନୁଆରି ୨ତାରିଖରୁ ଓପିଏମ୍‌ ବନ୍ଦ ହୋଇଯାଇଛି। ଏହି କାରଖାନା ଚାଲୁ ହେବା ନେଇ ମଝିରେ ମଝିରେ ଆଶା ସଞ୍ଚାର ହେଉଥିଲେ ମଧ୍ୟ ଏହା ଫଳପ୍ରଦ ହୋଇନାହିଁ। କାରଖାନା ଖୋଲିବା ନେଇ କାହାର ଦାୟିତ୍ୱ ଅଧିକ ରହିଛି ଏହା ୨୧ବର୍ଷ ପରେ ମଧ୍ୟ ପ୍ରଶ୍ନବାଚୀ ହୋଇ ରହି ଯାଇଛି। ସବୁଠାରୁ ବଡ଼କଥା ଏବେବି ସରକାରୀ ତଥ୍ୟ ଅନୁସାରର ଓପିଏମ୍‌  ଖୋଲା ରହିଛି, କିନ୍ତୁ ଉତ୍ପାଦନ ବନ୍ଦ ଅଛି। ପ୍ରଶ୍ନ ଉଠୁଛି  ଏହାର ପୁନରୁଦ୍ଧାର ସମ୍ଭାବନା କେତେ ଓ ଖୋଲିବାର ଦାୟିତ୍ବ କାହାର? କାରଖାନା ଚାଲୁ କରିବା ପ‌ାଇଁ ବିର୍ଲା କମ୍ପାନି ଉପରେ ଚାପ ପକାଇବ କିଏ? କେନ୍ଦ୍ର ନା ରାଜ୍ୟ ସରକାର? ଉପଯୁକ୍ତ ଭୌଗୋଳିକ ପରିବେଶ ଓ ଉପଯୁକ୍ତ ଭିତ୍ତିଭୂମି  ସହିତ ଶିଳ୍ପ କାରଖାନା ପାଇଁ ସମସ୍ତ ସୁବିଧା ସୁଯୋଗ ରହି ମଧ୍ୟ କାରଖାନା ବନ୍ଦ ରହିବା ଘଟଣାକୁ ଯୁବପିଢି କେତେଦୂର ଗ୍ରହଣ କରିବେ? ଏହା ସରକାର ଓ କମ୍ପାନି ପାଇଁ ଏକ ଆହ୍ୱାନ ନିଶ୍ଚୟ।

୧୯୩୬ ମସିହାରେ ବ୍ରଜରାଜନଗରରେ ଓପିଏମ୍‌  ଆରମ୍ଭ ହୋଇ ୧୯୩୯ରେ ଏହାର ୧ ନମ୍ବର ମେସିନ୍‌ରୁ କାଗଜ ବାହାରିଥିଲା। ବଜାରରେ ପିକକ୍‌ ବ୍ରାଣ୍ଡର କାଗଜ ଚାହିଦାକୁ ଦେଖି ୧୯୫୯ବେଳକୁ ୭ଟି ମେସିନ ବସାଇ କାଗଜ ଶିଳ୍ପରେ ନିଜର ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବାରେ ସକ୍ଷମ ହୋଇଥିଲା। ଏହି କରଖାନାର ଲାଭରୁ ମଧ୍ୟପ୍ରଦେଶ ଆମଲାଇରେ ଅନ୍ୟ ଏକ କାଗଜକଳ, ଆନ୍ଧ୍ରପ୍ରଦେଶ ଦେବାପୁରରେ ଓରିଏଣ୍ଟ ସିମେଣ୍ଟ, ପଶ୍ଚିମବଙ୍ଗରେ ଓରିଏଣ୍ଟ ଜେନେରାଲ ଇଣ୍ଡଷ୍ଟ୍ରି ଓ ଦେଶବାହାରେ ପାନ ଆଫ୍ରିକାନ ପେପର ମିଲ ଆଦି ପ୍ରତିଷ୍ଠା ହୋଇଥିଲା। ୧୯୮୦ ମସିହା ପରେ ଶିଳ୍ପରେ ଅଧୁନିକୀକରଣର ଯୁଗ ଆରମ୍ଭ ହୋଇଥିଲା। ଶିଳ୍ପପତିମାନେ ବିଶେଷ ଗୁରୁତ୍ୱ ଦେଇଥିଲେ। ଉତ୍ପାଦନ ଖର୍ଚ୍ଚ କମ୍‌ କରିବା ଲକ୍ଷ୍ୟରେ ପ୍ରତିଯୋଗିତାମୂଳକ ବଜାରରେ ଯେଭଳି ପଦକ୍ଷେପ ନେବା କଥା ସେ ସମୟରେ ଓପିଏମ୍‌ର ଅଧିକାରୀମାନେ ନେଇ ନଥିଲେ। ଫଳରେ ପୁରୁଣା ମେସିନ ଯୋଗୁ ଶ୍ରମିକ ସଂଖ୍ୟା କମ୍‌ କରିବା ସମ୍ଭବ ହୋଇ ନଥିଲା। ୧୯୮୨ମସିହା ଡିସେମ୍ବର ମାସ ୨୨ତାରିଖରେ ୨୦ପ୍ରତିଶତ ବୋନସ୍‌କୁ ୮.୩୩ରେ କମ୍ପାନି ସୀମିତ ରଖିବାରୁ ଓପିଏମ୍‌ ଶ୍ରମିକ କଂଗ୍ରେସ ପ୍ରସନ୍ନ ପଣ୍ଡାଙ୍କ ନେତୃତ୍ୱରେ ହରତାଳ ହୋଇଥିଲା। ୧୧ ମାସ କାଗଜ କଳ ବନ୍ଦ ରହିଲା। କାଗଜକଳର ଫିନିସିଙ୍ଗ ହାଉସରେ ଶ୍ରମିକ ସମସ୍ୟା ଯୋଗୁ ୧୯୯୮ ଡିସେମ୍ବର ୨୭ରେ କାରଖାନା କର୍ତ୍ତୃପକ୍ଷ ଉତ୍ପାଦନ ବନ୍ଦ କରିଥିଲେ। ଡିସେମ୍ବର ୨୯ରେ ଓପିଏମ୍‌ ଇଣ୍ଡଷ୍ଟ୍ରିଜ୍‌କୁ ସମ୍ପୂର୍ଣ ବନ୍ଦ କରିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଆବେଦନ କରି ନିଜପଟୁ ୧୯୯୯ ଜାନୁଆରି ୨ତାରିଖରୁ କାର୍ଯ୍ୟବନ୍ଦ  ଘୋଷଣା କରି ଗେଟ୍‌ରେ ତାଲା ମାରିବା ଯୋଗୁ ଶ୍ରମିକ ଅଶାନ୍ତି ବଢ଼ିଥିଲା। ରାଜ୍ୟ ସରକାର ୧୯୯୯ ଫେବ୍ରୁଆରି ୨୭ତାରିଖରେ ଏହାକୁ ନିଷିଦ୍ଧ କରିବା ଫଳରେ ମାର୍ଚ୍ଚ ୩ ତାରିଖରେ ମିଲ୍‌ ଖୋଲିଥିଲା। ସେ ସମୟ‌ରେ କେବଳ ସ୍ଥାୟୀ କର୍ମଚାରୀ ଓ ଶ୍ରମିକଙ୍କୁ ନିଆଯାଇଥିଲା। ରାଜ୍ୟ ସରକାରଙ୍କ ଶ୍ରମ ନିୟୋଜନ ବିଭାଗ ଓ ଶିଳ୍ପ ମନ୍ତ୍ରୀଙ୍କ ଉପସ୍ଥିତିରେ ଜୁନ୍‌ ୨୧ଓ ଜୁନ୍‌ ୨୬ରେ ୨ଟି ବୈଠକ ହୋଇଥିଲେ ମଧ୍ୟ ଫଳପ୍ରଦ ହୋଇ ନଥିଲା। ରାଜ୍ୟସରକାର ତା. ୨୦. ୪. ୨୦୦୧ ଓ ତା ୨୪. ୮. ୨୦୦୨ ରେ କାଗଜ କଳ ବନ୍ଦ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ତେବେ ମିଲ୍‌ କର୍ତ୍ତୃପକ୍ଷ ତା. ୧. ୧୧. ୨୦୦୨ ମିଲ୍‌ ବନ୍ଦ ପ୍ରସ୍ତାବକୁ ପୁନଃବିଚାର କରିଥିବା ଆବେଦନ ରାଜ୍ୟ ସରକାର ମନା କରିବା ପରେ କାରଖାନା କର୍ତ୍ତୃପକ୍ଷ ହାଇକୋର୍ଟ ନିର୍ଦେଶରେ ଶିଳ୍ପ ଟ୍ରିବ୍ୟୁନାଲକୁ ଯାଇଥିଲେ। ଶ୍ରମିକ ସଂଖ୍ୟା କମ୍‌ ହେଲେ ମିଲ ଚାଲିବ ପ୍ରସ୍ତାବକୁ ଶ୍ରମିକ ସଂଗଠନ ମାନି ନେଇ ଭିଆର୍‌ଏସ୍‌ ପ୍ରଚଳନ ହୋଇଥିଲା। ଏହି ପ୍ରସ୍ତାବ ଅନୁସାରେ ୧୨.୪.୦୭ ରେ ୭୪ଜଣ ଷ୍ଟାଫ, ୧୦୯ ଜଣ ସ୍ଥାୟୀ ଶ୍ରମିକ ଥିଲେ। ଏବେ କାରଖାନାରେ ମୋଟ ୫୨ଶ୍ରମିକ କର୍ମଚାରୀ ଅଛନ୍ତି। କମ୍ପାନି ପକ୍ଷରୁ ବିଭିନ୍ନ ସମୟରେ କାରଖାନାକୁ ଚଳାଇବା ପାଇଁ ବିଭିନ୍ନ ପ୍ରକାର ପ୍ରସ୍ତାବ ଆସିଛି। ହେଲେ କେବଳ ପ୍ରସ୍ତାବରେ ରହିଯାଇଛି। ଏଥିରେ କାଗଜକଳର କିଛି ନିର୍ଦ୍ଦିଷ୍ଟ ମେସିନ ଚାଲୁ କରିବା ପ୍ରସ୍ତାବ ତ କେତେବେଳେ ସିମେଣ୍ଟର ଗ୍ରାଇଣ୍ଡିଙ୍ଗ ମେସିନ ବସିବା ଓ କେତେବେଳେ ପାୱାର ପ୍ଲାଣ୍ଟ। କିଛି ମାସ ତଳେ ଏଠାରେ କଷ୍ଟିକ ପ୍ଲାଣ୍ଟ କରିବାନେଇ ବିଚାର ବିମର୍ଶ ଚାଲିଥିବା ଶୁଣିବାକୁ ମିଳିଥିଲା। ବିଭିନ୍ନ ସମୟରେ କାରଖାନା କାର୍ଯ୍ୟକ୍ଷମ ହେବା ନେଇ ଆନ୍ଦୋଳନ ଓ ସରକାରଙ୍କ ସହିତ ବୈଠକ ହୋଇଥିଲେ ମଧ୍ୟ ଫଳପ୍ରଦ ହୋଇ ନାହିଁ। ବିଧାନସଭାରେ ବିଭିନ୍ନ ସମୟରେ ଓପିଏମ୍‌ ସମସ୍ୟା ଉଠିଥିଲେ ମଧ୍ୟ ଫଳପ୍ରଦ ହୋଇ ନାହିଁ। ୨୦୧୭ ମସିହା ଏପ୍ରିଲ ମାସ  ୭ ତାରିଖରେ ଶିଳ୍ପମନ୍ତ୍ରୀଙ୍କ ଉପସ୍ଥିତିରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଲୋଚନା କରାଯାଇ ଓପିଏମ୍‌କୁ ଚାଲିବା ପାଇଁ ପ୍ରୋଜେଟ ରିପୋର୍ଟ ଦେବାକୁ ନିର୍ଦେଶ ଦେଇଥିଲେ। କିନ୍ତୁ ତାଙ୍କ ନିର୍ଦ୍ଦେଶକୁ କାରଖାନା କର୍ତ୍ତୃପକ୍ଷ ପାଳନ କଲେ ନାହିଁ।

ବିର୍ଲା କମ୍ପାନିକୁ  ୮୪୩.୨୧୪  ଏକର ଜମି ରାଜ୍ୟ ସରକାର ଲିଜ ସୂତ୍ରରେ ଦେଇଛନ୍ତି। କାରଖାନାକୁ ଲାଗି ମୁମ୍ବାଇ କୋଲକତା ରେଳଲାଇନ ସହ ଇବ୍‌ନଦୀର ଅମାପ ଜଳ ଓ କାରଖାନାକୁ ଚଳାଇବା ପାଇଁ ୧୦ କିଲୋମିଟର ଦୂରରେ ଓରିଏଣ୍ଟ, ସମଲେଶ୍ବରୀ, ଲଜକୁରା କୋଇଲା ଖଣି ରହିଛି। କାରଖାନା ଚଳାଇବା ପାଇଁ ଓଡ଼ିଶାର କାଠ ବାଉଁଶ ସହଜରେ ମିଳୁଥିଲା। ୨୧ବର୍ଷ ବନ୍ଦ ପଡ଼ିବା ପରେ ବହୁ  ବିଭାଗ ଅସୁରକ୍ଷିତ ହୋଇଯାଇଛି। ମେସିନଗୁଡ଼ିକ ନଷ୍ଟ ହୋଇଗଲାଣି। ଫିନିସିଙ୍ଗ ହାଉସ, ଗୋଦାମ ଚେମେଣିଆଙ୍କ ବାସସ୍ଥଳୀ ପାଲଟିଛି।

ରାଜନୈତିକ ପଶାପାଲିରେ ଓପିଏମ୍‌ର ଭାଗ୍ୟ ପେଷି ହୋଇଯାଇଛି। ୧୯୯୯ମସିହାରେ ଓପିଏମ୍‌ ବନ୍ଦ ବେଳକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଥିଲେ। କିନ୍ତୁ କାଗଜ କଳ ଚାଲୁ କରିବା ନେଇ ପ୍ରୟାସ ଆରମ୍ଭ ବେଳକୁ ସେହି ବର୍ଷ ଫେବ୍ରୁଆରି ୧୭ତାରିଖରେ ତାଙ୍କ ସ୍ଥାନରେ ଗିରିଧାରୀ ଗମାଙ୍ଗ ମୁଖ୍ୟମନ୍ତ୍ରୀ ହେଲେ। ତାଙ୍କ ସମୟରେ ମାର୍ଚ୍ଚ ୩ତାରିଖରେ ଲକ୍‌ ଆଉଟ୍‌ ଉଠିଥିଲା, କିନ୍ତୁ ଉତ୍ପାଦନ ହୋଇ ନଥିଲା। ଡିସେମ୍ବର ୬ତାରିଖରେ ଶ୍ରୀ ଗମାଙ୍ଗଙ୍କ ସ୍ଥାନରେ ହେମାନନ୍ଦ ବିଶ୍ୱାଳ ମୁଖ୍ୟମନ୍ତ୍ରୀ ହେଲେ। ପରେ ପରେ ସାଧାରଣ ନିର୍ବାଚନ ଘୋଷଣା ହୋଇଥିଲା। ୨୦୦୦ ମସିହାରୁ ଅଦ୍ୟାବଧି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଛନ୍ତି। ୨୦୦୦ ରୁ ୨୦୦୯ ପର୍ଯ୍ୟନ୍ତ ବିଜେଡି ବିଜେପି ସରକାର ଓ ୨୦୦୯ରୁ ବିଜେଡି ସରକାର ଶାସନ ଚାଲିଛି। ମିଲ ବନ୍ଦ ପରେ ଶାସକ ଦଳର କୌଣସି ପ୍ରାର୍ଥୀ ଏଠାରୁ ବିଧାୟକ ରୂପେ ନିର୍ବାଚନ ଜିତି ବିଧାୟକ ହୋଇନଥିବାରୁ ଶିଳ୍ପ ଖୋଲିବା ନେଇ ରାଜ୍ୟ ସରକାର ଗୁରୁତ୍ୱ ଦେଇନଥିବା ସମାଲୋଚକମାନଙ୍କ ମତ । କିନ୍ତୁ ୨୦୧୯ ନିର୍ବାଚନରେ ବିଜେଡି ଦଳର ବରିଷ୍ଠ ନେତା କିଶୋର ମହାନ୍ତି ବ୍ରଜରାଜନଗର ବିଧାୟକ ରୂପେ ନିର୍ବାଚିତ ହେବା ପରେ ଏବେ ଓପିଏମ୍‌ ଖୋଲିବା ନେଇ ଲୋକଙ୍କ ଭିତରେ ଆଶା ସଞ୍ଚାର ହେବା ସ୍ବାଭାବିକ। ଝାରସୁଗୁଡ଼ା ଜିଲ୍ଲାରେ ନୂତନ ଭାବେ ଆସିଥିବା ଶିଳ୍ପଗୁଡିକ ବନ୍ଦ ହେବାରେ ଲାଗିଛି। ଯଦି ରାଜ୍ୟ ସରକାର ଆନ୍ତରିକତାର ସହ ପୁରାତନ ଶିଳ୍ପ ଓପିଏମ୍‌କୁ ଖୋଲିବେ କିମ୍ବା ଅନ୍ୟଶିଳ୍ପ ପ୍ରତିଷ୍ଠା ପାଇଁ ବିର୍ଲା କମ୍ପାନିକୁ ସାହାଯ୍ୟ ସହଯୋଗ ଯୋଗାଇ ଦିଅନ୍ତେ ତେବେ ଅଂଚଳରେ ବେକାରି ସମସ୍ୟା କିଛି ପରିମାଣରେ ଦୂର ହୋଇପାରନ୍ତା ବୋଲି ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର