ଭୁବନେଶ୍ୱର: କେନ୍ଦ୍ର ସରକାର ଓଡ଼ିଶାର ସ୍କୁଲ ଶିକ୍ଷାରୁ ଆରମ୍ଭ କରି ଉଚ୍ଚଶିକ୍ଷା ସହ ଗବେଷଣା ପର୍ଯ୍ୟନ୍ତ ହଜାର ହଜାର କୋଟି ଟଙ୍କା ଦେଉଛନ୍ତି। ଏ ସବୁର ଲାଭ ଓଡ଼ିଆ ଭାଷା ଆଧାରରେ ମିଳୁ। ଓଡ଼ିଆ ଲୋକଙ୍କୁ ମିଳୁ ଏବଂ ବୃହତ୍‌ ସ୍ୱାର୍ଥରେ ମିଳୁ। ଏହା ହିଁ ଆମର ପ୍ରାଥମିକତା ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଆଜି ଭାରତୀୟ ଭାଷା ସଂସ୍ଥାନର ଭୁବନେଶ୍ବରସ୍ଥିତ ପୂର୍ବାଞ୍ଚଳ ଭାଷା କେନ୍ଦ୍ରରେ ପ୍ରାଶାସନିକ ଓ ଶୈକ୍ଷିକ ଭବନ, ଛାତ୍ରାବାସ ଓ ଅତିଥି ଭବନର ଉଦ୍‌ଘାଟନ କରିବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଗତ ଦିନଗୁଡ଼ିକରେ ଓଡ଼ିଶାରେ ଆଇଆଇଏମ୍‌ ସମ୍ବଲପୁର, ଆଇଜର୍‌ ବ୍ରହ୍ମପୁର, ଏସ୍‌ଡିଆଇ ଭୁବନେଶ୍ୱର ଭଳି ଅନେକ ଶିକ୍ଷାନୁଷ୍ଠାନ ଗଢ଼ି ଉଠିଛି। ପୁରୀସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ସଦାଶିବ କ୍ୟାମ୍ପସ୍‌ରେ ଗତକାଲି ୧୦୦ କୋଟି ଟଙ୍କାର କାମ ପାଇଁ ଶିଳାନ୍ୟାସ ହୋଇଛି। ଭାରତ ସରକାରଙ୍କ ସହଯୋଗରେ ଭୁବନେଶ୍ୱର ପୂର୍ବାଞ୍ଚଳ ଭାଷା କେନ୍ଦ୍ରର ନବକଳେବର ହୋଇଯାଇଛି। ଆଜିର ଲୋକାର୍ପିତ ବିକାଶମୂଳକ ପ୍ରକଳ୍ପଗୁଡ଼ିକ ଓଡ଼ିଆ ଭାଷା ସମେତ ସାନ୍ତାଳି, ବଙ୍ଗାଳୀ, ମୈଥିଲି ଭାଷା ପ୍ରଶିକ୍ଷଣ ସୁବିଧାକୁ ବ୍ୟାପକ କରିବାରେ ସହାୟକ ହେବ। ଏହା ଏକ ସାରସ୍ୱତ କ୍ଷେତ୍ର ତିଆରି କରିବ। ଏଠାରେ ଏକ ସ୍ଥାୟୀ ଅଡିଟୋରିୟମ୍‌ ନିର୍ମାଣ କରିବା ପାଇଁ ମଧ୍ୟ ଭାରତ ସରକାର ସହଯୋଗ କରିବେ।

Advertisment

ଆଜି ଦେଶ ସ୍ୱାଧୀନତା ସଂଗ୍ରାମୀ, ବିଶିଷ୍ଟ ତାମିଲ କବି ମହାକବି ଚିନ୍ନାସ୍ୱାମୀ ସୁବ୍ରମଣ୍ୟ ଭାରତୀଙ୍କ ଜନ୍ମଦିନ ଉପଲକ୍ଷେ ଭାରତୀୟ ଭାଷା ଦିବସ ପାଳନ କରୁଛି । ଏହି ଉତ୍ସବ ସେପ୍ଟେମ୍ବର ୨୮ରୁ ଆରମ୍ଭ ହୋଇଥିବା ବେଳେ ଡିସେମ୍ବର ୧୧ ପର୍ଯ୍ୟନ୍ତ ଚାଲିବ। ଏହି ପରିପ୍ରେକ୍ଷୀରେ ଓଡ଼ିଆ ଭାଷାକୁ ଲୋକାଦୃତ କରିବା ତଥା ନୂଆପିଢି ପାଖରେ ପହଞ୍ଚାଇବା ପାଇଁ ଆସନ୍ତା ଡିସେମ୍ବରରେ ସମସ୍ତ ସ୍କୁଲ ଏବଂ କଲେଜରେ ଓଡ଼ିଆ ଭାଷାକୁ ନେଇ ବକ୍ତୃତା, ପ୍ରବନ୍ଧ ପ୍ରତିଯୋଗିତା ଆୟୋଜନ କରିବାକୁ ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ର ଏବଂ ଭାରତୀୟ ଭାଷା ସଂସ୍ଥାନକୁ ଶ୍ରୀ ପ୍ରଧାନ ପ୍ରସ୍ତାବ ଦେଇଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ କହିଥିଲେ ଯେ ଆମର ଓଡ଼ିଆ ଭାଷା କେବଳ ମଧୁର ନୁହେଁ, ବହୁତ ପ୍ରାଚୀନ ମଧ୍ୟ। ଏହି ଭାଷା ମାଧ୍ୟମରେ ଆମେ ଶ୍ରୀମନ୍ଦିର, କୋଣାର୍କ ଏବଂ ଲିଙ୍ଗରାଜ ଭଳି ମନ୍ଦିର ନିର୍ମାଣ କରିବା ସହ ସାତ ସମୁଦ୍ର ପାର କରି ବାଣିଜ୍ୟ ବ୍ୟବସାୟ କରିବାରେ ସଫଳ ହୋଇଥିଲେ। ୧୯୩୬ ଏପ୍ରିଲ ୧ରେ ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇଥିଲା। ସେହି ଭାଷା ଆଧାରିତ ରାଜ୍ୟ ଭାବେ ଓଡ଼ିଶା ୨୦୩୬ରେ ୧୦୦ ବର୍ଷ ପୂରଣ ହେବ। ଏକବିଂଶ ଶତାବ୍ଦୀରେ ୨୦୩୬ରେ ଓଡ଼ିଶା ଭାଷା ଭିତ୍ତିରେ ୧୦୦ ବର୍ଷ ପୂରଣ କରୁଥିବା ବେଳେ ପୃଥିବୀର ବୌଦ୍ଧିକ କେନ୍ଦ୍ର ଓଡ଼ିଶା ହେବା ଦରକାର ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଅଶ୍ବଥି ଏସ୍‌ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଭାଷା ଗବେଷଣାକୁ ପ୍ରୋତ୍ସାହନ ଦେବା ଦିଗରେ ସିଆଇଆଇଏଲ୍‌, ମହୀଶୂର ଏବଂ ଏନ୍‌ସିଇଆର୍‌ଟି ମଧ୍ୟରେ ଏକ ଏମ୍‌ଓୟୁ ସ୍ୱାକ୍ଷର ହୋଇଥିଲା।