କେଏମ୍‌ବିବି ସାଇନ୍‌ସ ହାୟା‌ର୍ ସେକେଣ୍ଡାରି ସ୍କୁଲ୍‌ର ଓରିଏଣ୍ଟେସନ୍: ‘ଜୀବନରେ କାହାକୁ ଛୋଟ ଭାବନ୍ତୁ ନାହିଁ’

୧୪ ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ

କଟକ/ବାରଙ୍ଗ : ଜୀବନରେ କୌଣସି ଲୋକଙ୍କୁ ଛୋଟ ଭାବିବେ ନାହିଁ। କାହାକୁ ଅଦରକାରୀ ଭାବିବେ ନାହିଁ। ସମସ୍ତେ ତାଙ୍କ ବାଟରେ ସ୍ବତନ୍ତ୍ର ବ୍ୟକ୍ତି। ସ୍ବତନ୍ତ୍ର ପରିଚୟ ରହିଛି। କିଏ କେତେବେଳେ କାମରେ ଆସିବ କହି ହବନାହିଁ। ଯେତେବେଳେ ଯାହାକୁ ପାରିବେ ସାହାଯ୍ୟ କରନ୍ତୁ। କେଉଁ ବାଟେ ସେ ସାହାଯ୍ୟ ଫେରିଆସିବ କହି ହେବନାହିଁ। କେଏମ୍‌ବିବି ସାଇନ୍‌ସ ହାୟାର୍ ସେକେଣ୍ଡାରି ସ୍କୁଲ ପକ୍ଷରୁ ଦୁଇଦିନିଆ ଓରିଏଣ୍ଟେସନ୍ ପ୍ରୋଗ୍ରାମ୍‌-୨୦୨୨ରେ ଏଭଳି କହିଛନ୍ତି ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଡକ୍ଟର ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ।

ରବିବାର ଉଦ୍‌ଘାଟିତ ହୋଇଥିବା ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡକ୍ଟର ଷଡ଼ଙ୍ଗୀ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଥିଲେ, ପାଠ ପଢ଼ନ୍ତୁ, ବଡ଼ ଚାକିରି କରନ୍ତୁ, ବଡ଼ ମଣିଷ ହୁଅନ୍ତୁ। ଇଏ ସବୁ ଉପରର ଆବରଣ। ହେଲେ, ଆପଣଙ୍କ ନିଜ ଭିତରେ ଯେଉଁ ଅନ୍ତର ଓ ହୃଦୟ ଅଛି ସେଠି ରହିଛି ଆପଣଙ୍କ ଚରିତ୍ର। ସେଇଟା ହେଉଛି ପ୍ରକୃତ ପରିଚୟ। ଆପଣମାନେ ଜୀବନରେ ଯାହା ହୁଅନ୍ତୁ ପଛେ ବାପା-ମା’ଙ୍କ ଅବଦାନ କେବେ ଭୁଲନ୍ତୁ ନାହିଁ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ‘ସମ୍ବାଦ’ର ଅଧ୍ୟକ୍ଷ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ ଯେ, ସବୁ ପିଲା କୃତଜ୍ଞ ହୁଅ। ଯେତେ ସଫଳ ହେଲେ ମଧ୍ୟ ତୁମେ ଯଦି ଅନ୍ୟ ପ୍ରତି କୃତଜ୍ଞ ରହିବ ନାହିଁ, ତେବେ ସେ ସଫଳତାର ମୂଲ୍ୟ ରହିବ ନାହିଁ। ପିତାମାତା, ଗୁରୁଙ୍କ ପ୍ରତି କୃତଜ୍ଞ ରୁହ। ଏ ଅନୁଷ୍ଠାନକୁ ନିଜର ବୋଲି ଭାବ। ସବୁଦିନ ପାଇଁ ନିଜକୁ ଅନୁଷ୍ଠାନର ଜଣେ ସଦସ୍ୟ ବୋଲି ମନେକର ବୋଲି ସେ କହିଥିଲେ।

 

‘ସମ୍ବାଦ’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ସ୍ବାଗତ ଭାଷଣ ପ୍ରଦାନ କରିବା ଅବସରରେ ଛାତ୍ରଛାତ୍ରୀମାନେ କ୍ୟାମ୍ପସ୍‌କୁ ନିଜ ଘର ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ପରିବାର ଭଳି ମନେକରିବାକୁ ପରାମର୍ଶ ଦେଇଥିଲେ। ସର୍ବଦା ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ପାଇଁ ସମୟ ଦେବା ଆବଶ୍ୟକ। ଦୈନିକ ଅତି କମ୍‌ରେ ୨୦ ମିନିଟ୍‌ ସ୍ବାସ୍ଥ୍ୟ ପ୍ରତି ସମୟ ଦେବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ‘ସମ୍ବାଦ ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁସନ୍‌ସ’ର ପ୍ରାଶାସନିକ ନିର୍ଦ୍ଦେଶକ ପ୍ରଫେସର ସରୋଜ କୁମାର ପଣ୍ଡା କହିଥିଲେ, ପ୍ରକୃତ ଗୁରୁ ମିଳିଲେ ମୁକ୍ତି ମିଳିବ। ଅନୁଷ୍ଠାନରେ ଶିକ୍ଷାଦାନ କରୁଥିବା ଅଧ୍ୟାପକ-ଅଧ୍ୟାପିକାଙ୍କ ନିର୍ଦ୍ଦେଶ ଓ ପରାମର୍ଶରେ ତୁମେମାନେ ଆଗେଇ ଚାଲିଲେ ନିଶ୍ଚୟ ସଫଳତା ମିଳିବ ବୋଲି ସେ କହିଥିଲେ। କେଏମ୍‌ବିବି କ୍ୟାମ୍ପସ୍‌-୨ର ଅଧ୍ୟକ୍ଷ ଡକ୍ଟର ବିଜୁନି ଚରଣ ସୂତାର କହିଥିଲେ ; ପିଲାମାନଙ୍କର କଠିନ ପରିଶ୍ରମ, ଦୃଢ଼ ମନୋବଳ ଓ ଶ୍ରେଣୀଗୃହରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବନ୍ଧୁତ୍ବପୂର୍ଣ୍ଣ ପରିବେଶ ଆମକୁ ସଫଳତା ଆଣି ଦେଇଛି। ଅଭିଭାବକମାନେ ଯେତେ ମାତ୍ରାରେ ପିଲାଙ୍କଠୁ ଦୂରେଇ ରହିବେ, ପିଲା ସେତେ ମାତ୍ରାରେ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସହିତ ଯୋଡ଼ି ହୋଇପାରିବେ। ଏହା ଫଳରେ, ସେମାନେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବେ ବୋଲି ଡକ୍ଟର ସୂତାର କହିଥିଲେ।

ଏହି କାର୍ଯ୍ୟକ୍ରମରେ ଚଳିତବର୍ଷ ଯୁକ୍ତ ଦୁଇରେ ୯୦ ପ୍ରତିଶରୁ ଅଧିକ ନମ୍ବର ରଖିଥିବା ୧୪ ଜଣ ଛାତ୍ରଛାତ୍ରୀ ରୁଦ୍ଧିନନ୍ଦନ ପଣ୍ଡା(୯୫.୧୭ ପ୍ରତିଶତ), ସୌରଭ ସବ୍ୟସାଚୀ ଜେଠୀ(୯୪.୫), ଶୋଭନ କୁମାର ସାଥୁଆ(୯୪), ରୁକ୍ମଣୀ ନାୟକ(୯୨.୬୭), ସୁନୀଲ କୁମାର ସାହୁ(୯୨.୫), ସୂର୍ଯ୍ୟନାରାୟଣ ସାହୁ(୯୨), ଶୁଭ୍ରାଂଶୁ ଶେଖର ସ୍ବାଇଁ(୯୧.୫), ଗାୟତ୍ରୀ ସାହୁ(୯୧.୧୭), ସତ୍ୟବ୍ରତ ମହାକୁଡ଼(୯୧.୧୭), ଅଭିଜିତ୍‌ ପରିଜା(୯୦.୮୩), ମୃତ୍ୟୁଞ୍ଜୟ ପଟ୍ଟନାୟକ(୯୦.୬୭), ପ୍ରଦ୍ୟୁମ୍ନ କୁମାର ସାହୁ(୯୦.୫), ଶୁଭ୍ରାଂଶୁ ସ୍ବୟଂପ୍ରଭ ଦାସ(୯୦.୧୭), ସିବିଏସ୍‌ସି ଦ୍ବାଦଶର ଶ୍ବେତା ମହାନ୍ତି (୯୧ପ୍ରତିଶତ) ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଷ୍ଟୁଡେଣ୍ଟ ଅଫ୍ ଦି ଇଅର୍ ଭାବେ ଶୁଭ୍ରାଂଶୁ ସ୍ବୟଂପ୍ରଭ ଦାସ ସମ୍ବର୍ଦ୍ଧିତ ହୋଇଥିଲେ। କାର୍ଯ୍ୟକ୍ରମ ଶେଷରେ ପ୍ରାଣୀ ବିଜ୍ଞାନ ବିଭାଗର ମୁଖ୍ୟ ମିନତୀପ୍ରଭା ସାହୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର