ଭୁବନେଶ୍ବର : ଆଇନ ଆଗରେ ସମସ୍ତେ ସମାନ। ଏହା କେବଳ କଥାରେ ସୀମିତ ନରହୁ। ଗରିବରୁ ଅତି ଗରିବ ଲୋକ ଏହାକୁ ଅନୁଭବ କରିବା ଦରକାର ଏବଂ ନ୍ୟାୟ ପ୍ରଦାନ ବ୍ୟବସ୍ଥା ଉପରେ ସେମାନଙ୍କର ସଂପୂର୍ଣ୍ଣ ବିଶ୍ବାସ ରହିବା ଦରକାର।
ଆଜି ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ନବନିଯୁକ୍ତ ୪୧ଜଣ ସହକାରୀ ସରକାରୀ ଓକିଲଙ୍କ ପାଇଁ ଆୟୋଜିତ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ସହକାରୀ ସରକାରୀ ଓକିଲଙ୍କୁ ସ୍ବାଗତ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଲୋକଙ୍କ ସେବା ପାଇଁ ନିଜକୁ ଉତ୍ସର୍ଗ କରିବା ସହ ଏକ ନ୍ୟାୟପୂର୍ଣ୍ଣ ତଥା ସମାନ ସମାଜ ନେଇ ଆମର ଥିବା ଦୃଷ୍ଟିକୋଣକୁ ଲୋକମାନେ ଅନୁଭବ କରିବା ଦରକାର।
ସେ କହିଥିଲେ ଯେ, ଅଧିକାଂଶ ନବନିଯୁକ୍ତ ଉଚ୍ଚ ଶିକ୍ଷିତ ଏବଂ ରାଜ୍ୟର ବିଭିନ୍ନ କୋର୍ଟରେ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି। ଲୋକଙ୍କୁ ନ୍ୟାୟ ଦେବାରେ ଏହା ସହାୟକ ହେବ। ମୁଁ ନିଶ୍ଚିତ ଯେ ସହକାରୀ ସରକାରୀ ଓକିଲମାନେ ଗରିବ ଏବଂ ଅବହେଳିତମାନଙ୍କୁ ସେବା ଯୋଗାଇବାରେ ଯଥାସମ୍ଭବ ଉଦ୍ୟମ କରିବେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶାରେ ଦଣ୍ଡବିଧାନ ହାର ଆହୁରି ଉନ୍ନତି ହେବା ଦରକାର। ୫ଟି ପଦକ୍ଷେପରେ ବୈଷୟିକ ଜ୍ଞାନ ଏକ ଗୁରୁତ୍ବପୂର୍ଣ୍ଣ ଉପାଦାନ ଏବଂ ତ୍ବରିତ୍ ଓ ସ୍ବଚ୍ଛ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଏହାକୁ ବ୍ୟବହାର କରାଯାଉଛି।
ଏହି ଅବସରରେ ସ୍ବରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ନବନିଯୁକ୍ତ ଓକିଲମାନଙ୍କୁ ସ୍ବଚ୍ଛ ଓ ସଚ୍ଚୋଟତାର ସହ କାମ କରିବାକୁ ଉପଦେଶ ଦେଇଥିଲେ। ତ୍ବରିତ ନ୍ୟାୟ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ବିଷୟରେ କହିଥିଲେ।
ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏପିପିମାନଙ୍କୁ ଲୋକଙ୍କ ବିଶ୍ବାସ ଓ ଆତ୍ମବିଶ୍ବାସ ଜିତିବା ପାଇଁ ଆନ୍ତରିକତାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।
ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି.କେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରା ସ୍ବାଗତ ଭାଷଣ ଦେଇଥିବାବେଳେ ପବ୍ଲିକ ପ୍ରସିକ୍ୟୁସନ୍ ନିର୍ଦ୍ଦେଶକ ଧନ୍ୟବାଦ ଦେଇଥିଲେ।
ଏହି ଅବସରରେ କିଛି ନବନିଯୁକ୍ତ ସହକାରୀ ସରକାରୀ ଓକିଲ ସେମାନଙ୍କର ଅଭିଜ୍ଞତା କହିଥିଲେ।