ସୃଜନଶୀଳତା, ଶିକ୍ଷା ଓ ଗବେଷଣା ବଳରେ ‌‌ଜ୍ଞାନ ଆହରଣ ସମ୍ଭବ: ମନ୍ତ୍ରୀ

କେଏମ୍‌ବିବି ଇଂଜିନିୟରିଂ କଲେଜରେ ଓରିଏଣ୍ଟେସନ୍‌ କାର୍ଯ୍ୟକ୍ରମ

ବାରଙ୍ଗ : ବାରଙ୍ଗ ବେଲଗଛିଆ ପଞ୍ଚାୟତ ନରଣପୁରସ୍ଥିତ କେଏମ୍‌ବିବି କ୍ୟାମ୍ପସ୍‌-୨ରେ ବି.ଟେକ୍ ଇିଂଜିନିୟରିଂ ନବାଗତ ଛାତ୍ରଛାତ୍ରୀମାନଙ୍କ ଏକ ଓରିଏଣ୍ଟେସନ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ବିଧାୟକ ତଥା ‘ସମ୍ବାଦ’ର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଯୁଗରେ ଦୁନିଆ ଦ୍ରୁତ ଅଗ୍ରଗତି କରୁଛି। ତା’ ସହ ସମତାଳରେ ଦୌଡ଼ିବା ପାଇଁ ଜ୍ଞାନ ଆହରଣ କରିବା ଆବଶ୍ୟକ, ଯାହା ସୃଜନଶୀଳତା, ଶିକ୍ଷା ଓ ଗବେଷଣା ବଳରେ ସମ୍ଭବ। ଉନ୍ନତମାନର ଶିକ୍ଷାଦାନ ଓ ସୁଦୃଢ଼ ଭିତ୍ତିଭୂମି ଥିବା ଏହି କେଏମ୍‌ବିବି କଲେଜକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଛାତ୍ରଛାତ୍ରୀମାନେ ଶିକ୍ଷାଲାଭ କରିବାକୁ ଆସୁଛନ୍ତି। ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ କରି ପିତାମାତା ଓ ଶିକ୍ଷାନୁଷ୍ଠାନର ଗୌରବ ବୃଦ୍ଧି କରିବାକୁ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଆମେରିକାର ୧୩ ବର୍ଷର ବାଳକ କିପରି ଫ୍ରିଲାନ୍ସ ପ୍ରୋଗ୍ରାମର୍‌ ହୋଇପାରିଛି, ସେ ତାହାର ଉଦାହରଣ ଦେଇଥିଲେ।

ବିଧାୟକ ଶ୍ରୀ ପଟ୍ଟନାୟକ କହିଲେ, ‌‌ସଫଳତା ପାଇଁ ଦୃଢ଼ ଇଚ୍ଛାଶକ୍ତି ଓ ସାମର୍ଥ୍ୟ ଆବଶ୍ୟକ। ନିଜକୁ ଏଭଳି ଭାବେ ପ୍ରସ୍ତୁତ କର, ଯେପରି ପ୍ରତିକୂଳ ପରିବେଶରେ ବି ସଫଳତା ହାସଲ କରିପାରିବ। ଏହି ଅବସରରେ ସେ ପଣ୍ତିତ ଗୋଦାବରୀଶ ମିଶ୍ରଙ୍କ ଉଦାହରଣ ଦେବା ସହ ତାଙ୍କ ଜୀବନୀ ଅଧ୍ୟୟନ କରିବାକୁ ପରାମର୍ଶ ଦେଇଥିଲେ। ପାଠ ପଢ଼ିବା ପାଇଁ ପଣ୍ଡିତ ଗୋଦାବରୀଶ ଯେପରି ରୋଷେଇଆ କାମ କରୁଥିଲେ, ସେଭଳି ଇଚ୍ଛାଶକ୍ତି ତୁମମାନଙ୍କ ମଧ୍ୟରେ ରହିବା ଦରକାର ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

‘ସମ୍ବାଦ’ ଶିକ୍ଷାନୁଷ୍ଠାନ ସମୂହର ନିର୍ଦ୍ଦେଶକ ପ୍ରଫେସର୍‌ ଡ. ସରୋଜ ପଣ୍ତା ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳିତ ଓ କର୍ତ୍ତବ୍ୟନିଷ୍ଠ ହୋଇ ଅଧ୍ୟୟନ କରିବାକୁ ପରାମର୍ଶ ଦେଇଥିଲେ। ସମ୍ବାଦ ଓ ଆମ ଓଡ଼ିଶା ଚାରିଟେବୁଲ ଟ୍ରଷ୍ଟର ଟ୍ରଷ୍ଟି ତଲ୍ଲୀନା ପଟ୍ଟନାୟକ ଦୃଢ଼ ଇଚ୍ଛାଶକ୍ତି, ପ୍ରତିଶ୍ରୁତିବଦ୍ଧତା ଓ ଅକ୍ଳାନ୍ତ ପରିଶ୍ରମ ସଫଳତାର ଚାବିକାଠି ବୋଲି କହିଥିଲେ। ଏହି ଅବସରରେ ଶିକ୍ଷାନୁଷ୍ଠାନ ତରଫରୁ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଛାତ୍ର ସୋମନାଥ ବେହେରା, ରାଜେନ୍ଦ୍ର ବିଶ୍ବାଳ, ଛାତ୍ରୀ ଦିବ୍ୟାପ୍ରିୟଦର୍ଶିନୀ ପଣ୍ଡା ଓ ସ୍କାଉଟ୍‌ ସେବା ପାଇଁ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଫିଜିକ୍ସ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର୍‌ ରାକେଶ ଷଡ଼ଙ୍ଗୀଙ୍କୁ ମୁଖ୍ୟ ଅତିଥି ସମ୍ବର୍ଧିତ କରିଥିଲେ। ଡିନ୍ ପ୍ରଫେସର୍‌ ଡ. ବିଜୁନି ଚରଣ ସୂତାର ସ୍ବାଗତ ଭାଷଣ ଓ ଉପନିର୍ଦ୍ଦେଶକ ଇଂ ସୁବ୍ରତ କବି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର