ହାଇକୋର୍ଟରେ ସ୍ୟାଟ୍‌ ମାମଲା : ଖାଲି ପଡ଼ିିଥିବା ଅଧ୍ୟକ୍ଷ ଓ ସଦସ୍ୟ ସଂପର୍କରେ ଜବାବ ତଲବ

କଟକ : ଓଡିଶା ପ୍ରଶାସନିକ ଟ୍ରିବୁନାଲ୍‌(ସ୍ୟାଟ୍‌)ରେ ଖାଲି ପଡିଥିବା ଅଧ୍ୟକ୍ଷ ଓ ସଦସ୍ୟ ପଦ ପୂରଣ ପାଇଁ ସରକାର କଣ ପଦକ୍ଷେପ ଗ୍ରହଣ କରିଛନ୍ତି ସେ ସଂପର୍କରେ ଜଣାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏସ୍‌.ସି.ପରିଜା ଓ ଜଷ୍ଟିସ ଦେବବ୍ରତ ଦାଶଙ୍କୁ ଗଠିତ ଖଣ୍ଡପୀଠରେ କଟକ ଓଏଟି ବାର୍‌ ଆସୋସିଏସନ୍‌ ଓ ଭୁବନେଶ୍ୱର ଓଏଟି ବାର୍‌ ଆସୋସିଏସନ୍‌ ପକ୍ଷରୁ ରୁଜୁ ପୃଥକ ମାମଲାର ଏକତ୍ର ଶୁଣାଣି ହୋଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ବର୍ତ୍ତମାନ କାର୍ଯ୍ୟକାରୀ ଅଧ୍ୟକ୍ଷଙ୍କ ସହିତ ଜଣେ ବିଚାରବିଭାଗୀୟ ସଦସ୍ୟ ଓ ଜଣେ ପ୍ରଶାସନିକ ସଦସ୍ୟଙ୍କୁ ନେଇ ସ୍ୟାଟ୍‌ ଚାଲିଛି। ଯେତେବେଳେ କି ସ୍ୟାଟ୍‌ରେ ଅଧ୍ୟକ୍ଷଙ୍କ ସହିତ ମୋଟ ୮ ଜଣ ବିଚାରପତି ରହିବା କଥା। ଗତ ବର୍ଷ ମାମଲାରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଦାଖଲ ସତ୍ୟପାଠରେ ଦର୍ଶାଯାଇଥିଲା ଯେ ସ୍ୟାଟ୍‌ରେ ଖାଲି ପଡିଥିବା ଅଧ୍ୟକ୍ଷ ଓ ସଦସ୍ୟ ପଦ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହେଇଛି। କିନ୍ତୁ ଏବେ ସୁଦ୍ଧା ସଦସ୍ୟ ପଦ ପୂରଣ ହୋଇ ପାରିଲା ନାହିଁ। ଅନ୍ୟପକ୍ଷରେ ଏପ୍ରିଲ ମାସରେ ସ୍ୟାଟର କାର୍ଯ୍ୟକାରୀ ଅଧ୍ୟକ୍ଷ ଅବସର ଗ୍ରହଣ କରିବାକୁ ଯାଉଛନ୍ତି ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଖାଲି ପଡିଥିବା ସଦସ୍ୟ ପଦ ପୂରଣ ପାଇଁ ଆରମ୍ଭ ହୋଇଥିବା ପ୍ରକ୍ରିୟାର ସାନି ସ୍ଥିତି କଣ ସେ ସଂପର୍କରେ ଫେବ୍ରୁଆରି ୧୩ ତାରିଖ ସୁଦ୍ଧା ଅବଗତ କରିବାକୁ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମାନସ ରଂଜନ ମହାପାତ୍ର, ଉଲ୍ଲାସ ଚନ୍ଦ୍ର ମହାନ୍ତି, ବିରଜା ପ୍ରସନ୍ନ ଶତପଥୀ, ଶଶୀଭୂଷଣ ଜେନା ମାମଲା ପରିଚାଳନା କରୁଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ୧୯୮୬, ଜୁଲାଇ ୧୪ରେ ଓଡିଶା ପ୍ରଶାସନିକ ଟ୍ରିବୁନାଲ ପ୍ରତିଷ୍ଠା ହୋଇଥିଲା। ଭୁବନେଶ୍ୱରର ପ୍ରମୁଖ ବେଞ୍ଚ୍‌ ରହିଥିବା ବେଳେ ପରବର୍ତ୍ତୀ ସମୟରେ କଟକରେ ହୋଇଥିଲା ନିୟମିତ ବେଞ୍ଚ୍‌। ଏଥି ସହିତ ସମ୍ବଲପୁର ଓ ବ୍ରହ୍ମପୁରରେ ଟ୍ରିବୁନାଲର ସର୍କିଟ ବେଞ୍ଚ୍‌ ରହିଛି। ୨୦୧୪, ଫେବ୍ରୁଆରି ୧୮ରେ ଟ୍ରିବୁନାଲରେ ଅଧ୍ୟକ୍ଷଙ୍କୁ ମିଶାଇ ମୋଟ ୮ ଜଣ ସଦସ୍ୟ ପଦ ରହିବା ସଂପର୍କରେ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପରବର୍ତ୍ତୀ ସମୟରେ ସ୍ୟାଟ୍‌ ଉଚ୍ଛେଦ ପାଇଁ କ୍ୟାବିନେଟ୍‌ରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରିବା ଏ ପର୍ଯ୍ୟନ୍ତ ସମ୍ଭବ ହୋଇ ନଥିବା ବେଳେ ସ୍ୟାଟ୍‌ ପ୍ରତି କିନ୍ତୁ ସରକାରୀ ଅବହେଳା ବଢି ଯାଇଥିଲା। ସ୍ୟାଟ୍‌ରେ ବିଚାରପତି ପଦ ପୂରଣ ପାଇଁ ସରକାର ପଦକ୍ଷେପ ଗ୍ରହଣ କରି ନଥିଲେ। ଏହି ପ୍ରସଂଗରେ ସରକାରୀ ନିଷ୍କ୍ରିୟତାକୁ ଚାଲେଞ୍ଜ କରି ରୁଜୁ ଏହି ମାମଲାରେ ଆବେଦନକାରୀ ହାଇକୋର୍ଟଙ୍କ ହସ୍ତକ୍ଷେପ ଲୋଡିଛନ୍ତି।

ସମ୍ବନ୍ଧିତ ଖବର