ଆସିଲା ଓଡ଼ିଶା କୋଠା ନିୟମ : ଉଚ୍ଚା କୋଠାକୁ ବାଟ ଫିଟିଲା, ନିୟମ କୋହଳ ହେଲା

୧୨୦୦ ବର୍ଗଫୁଟ ଜମିରେ ତିନି ମହଲା କୋଠାକୁ ଅନୁମତି
ଆପାର୍ଟମେଣ୍ଟ ସଂଜ୍ଞା ବଦଳିଲା, ଏଫ୍‌ଏଆର୍ ୭କୁ ବଢ଼ିଲା
ସାରା ଦେଶରେ ସର୍ବାଧିକ ଆକାଶଚୁମ୍ବୀ କୋଠା ସଂଖ୍ୟା ବଢ଼ିବ

ଭୁବନେଶ୍ୱର : ସାରା ରାଜ୍ୟରେ ସହରାଞ୍ଚଳରେ ଏଣିକି ଆକାଶଚୁମ୍ବୀ କୋଠା ଦେଖିବାକୁ ମିଳିବ। ବ୍ୟବସାୟିକ ଉଦ୍ଦେଶ୍ୟରେ ହେଉ କି ଆବାସିକ ଉଦ୍ଦେଶ୍ୟରେ ନିର୍ମାଣ ହେଉଥିବା କୋଠାଗୁଡ଼ିକ ଏଣିକି ପୂର୍ବାପେକ୍ଷା ଅଧିକ ଉଚ୍ଚତାର ନିର୍ମାଣ ହୋଇପାରିବ। ପୂର୍ବରୁ ଫ୍ଲୋର୍ ଏରିଆ ରେସିଓ (ଏଫ୍‌ଏଆର୍) ସର୍ବାଧିକ ୩ ଥିବାବେଳେ ଏବେ ଏହା ୭କୁ ବଢ଼ାଯାଇଛି। ଯାହା ସାରା ଦେଶରେ ସର୍ବାଧିକ। ଅକୁପାନ୍ସି ସାର୍ଟିଫିକେଟ୍‌ ପାଇବା‌ ଠାରୁ ଆରମ୍ଭ କରି ଗୃହ ପ୍ରକଳ୍ପରେ ଖୋଲା ସ୍ଥାନ ଛାଡ଼ିବା, ରାସ୍ତା, ସେଟ୍‌ ବ୍ୟାକ୍, ପୁରୁଣା ଘରକୁ ନବୀକରଣ କରିବା ପର୍ଯ୍ୟନ୍ତ ସବୁ ନିୟମକୁ କୋହଳ କରାଯାଇଛି। ଲୋକମାନେ ଉନ୍ନୟନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟକୁ ବାରମ୍ବାର ନଦଉଡ଼ି ଯେପରି ନିଜ ପସନ୍ଦର ଘର ନିର୍ମାଣ କରିପାରିବେ ଏବଂ ଭବିଷ୍ୟତରେ ଅସୁବିଧାର ସମ୍ମୁଖୀନ ହେବେନି ସେଥିପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ନୂତନ ଓଡ଼ିଶା କୋଠା ନିୟମ ତଥା ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ (ଯୋଜନା ଏବଂ ନିର୍ମାଣ ମାନକ) ନିୟମ ୨୦୨୦ ଆଣିଛି। ଏନେଇ ଅଗଷ୍ଟ ୧୨ରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିୟମରେ ଛୋଟ ଜମିରେ ଆବାସିକ ଘର କରୁଥିବା ଲୋକ ଅଧିକ ଉପକୃତ ହେବେ। ଏପରିକି ୧୨୦୦ ବର୍ଗଫୁଟ ଜମିରେ ଲୋକ ତିନି ମହଲା ପର୍ଯ୍ୟନ୍ତ ଘର କରିପାରିବେ। କେବଳ ଆଗରେ ଗୋଟିଏ ମିଟର ଓସାରରେ ଜମି ଛା‌ଡ଼ି ଘର ନିର୍ମାଣ କରିପାରିବେ ବୋଲି ଜଣାପଡ଼ିଛି। ଅର୍ଥାତ୍ ୧୦ମିଟର ଉଚ୍ଚତା ପର୍ଯ୍ୟନ୍ତ ଘର ନିର୍ମାଣ କରିପାରିବେ। ଆଜି ଏନେଇ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ରାଜ୍ୟର ସମସ୍ତ ଉନ୍ନୟନ କର୍ତ୍ତୃପକ୍ଷଙ୍କ ପାଇଁ ଗୋଟିଏ ନିୟମ ଏବଂ ଭବିଷ୍ୟତରେ ଗୋଟିଏ ଅନଲାଇନ୍‌ ପ୍ଲାଟଫର୍ମରେ ସମସ୍ତଙ୍କୁ ସେବା ଯୋଗାଇବା ପାଇଁ ଏହି ନୂଆ ନିୟମ ଅଣାଯାଇଛି। ଏଥିରେ ସହରାଞ୍ଚଳରେ ବାସ କରୁଥିବା ସମସ୍ତ ବର୍ଗର ବ୍ୟକ୍ତି ବିଶେଷଙ୍କ ସମସ୍ୟାକୁ ନଜରରେ ରଖି ନିୟମ କୋହଳ କରାଯାଇଛି ଓ ଅନେକ ରିହାତି ଦିଆଯାଇଛି।

ଛୋଟ ଘରୋଇ ଘର ଠାରୁ ଆରମ୍ଭ କରି ଆପାର୍ଟମେଣ୍ଟ, ଉଚ୍ଚ ଅଟ୍ଟାଳିକା ପର୍ଯ୍ୟନ୍ତ ସବୁଥିପାଇଁ ନିୟମ କୋହଳ କରାଯାଇଛି। କମ୍‌ ବିପଦପୂର୍ଣ୍ଣ କୋଠା ଉପରେ ସର୍ବାଧିକ ଏଫ୍‌ଏଆର୍ ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି। ସ୍ବଳ୍ପ ବିପଦପୂର୍ଣ୍ଣ ଅଟ୍ଟାଳିକା ପାଇଁ ୧୦୮ଟି ପୂର୍ବ ଅନୁମୋଦିତ ଡିଜାଇନ୍‌ ରହିଛି। ଏହି ଡିଜାଇନରେ ଘର କଲେ ତୁରନ୍ତ ପ୍ଲାନ୍‌ ଅନୁମୋଦନ ହୋଇଯିବ। ଏଫ୍‌ଏଆର୍ ୭କୁ ବଢ଼ାଯାଇଛି। ଫଳରେ ସବୁ ସହରରେ ବଡ଼ ବଡ଼ କୋଠା ଦେଖିବାକୁ ମିଳିବ। ସାରା ଦେଶରେ ଯେମିତି କୋଠା ନିର୍ମାଣ ହୋଇପାରିନି ଓଡ଼ିଶାରେ ସେମିତି କୋଠା ନିର୍ମାଣ ହେବାର ବାଟ ଫିଟିଛି। ଆପାର୍ଟମେଣ୍ଟ ଓ ଉଚ୍ଚା କୋଠାଗୁଡ଼ିକର ନିରାପତ୍ତା ଓ ପରିବେଶ ସୁରକ୍ଷାକୁ ନଜରରେ ରଖି ତୃତୀୟ ପକ୍ଷ ଦ୍ବାରା ଯାଞ୍ଚ କରିବାର ବ୍ୟବସ୍ଥ‌ା ବି ହୋଇଛି। ଏନେଇ ବିଡିଏର ପ୍ଲାନିଂ ମେମ୍ବର ଗୌରୀ ଶଙ୍କର ଭୂୟାଁ କହିଛନ୍ତି ଯେ, ନୂଆ କୋଠା ନିୟମ ରିଅଲ ଇଷ୍ଟେଟ୍‌ ଦୁନିଆରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ। ସହରଗୁଡ଼ିକର ପରିଧି ମନଇଚ୍ଛା ବଢ଼ିବନି। କମ୍‌ ଅଞ୍ଚଳରେ ଅଧିକ ଲୋକ ରହିପାରିବେ। ଏହାଦ୍ବାରା ସବୁ ବର୍ଗର ଲୋକଙ୍କୁ ଗୁଣାତ୍ମକ ସେବା ଯୋଗାଇବା ସହଜ ହେବ। ଲୋକଙ୍କୁ ଘର ନିର୍ମାଣ କଲାବେଳେ ନିୟମ ଉଲ୍ଲଂଘନ କରିବାକୁ ପଡ଼ିବନି। ଲୋକ ଯେମିତି ଘର କରିବାକୁ ଚାହୁଁଛନ୍ତି, ଯେତେ ପର୍ଯ୍ୟନ୍ତ ଘର କରିପାରିବେ ତାହାକୁ ନଜରରେ ରଖି ନୂଆ ନିୟମ ପ୍ରସ୍ତୁତ କରାଯାଇଛି। ଗୋଟିଏ ୧୨ଫୁଟ ଜମିରେ ଯଦି ତିନି ମହଲା କୋଠା ହୋଇପାରିବ ତେବେ ଜଣେ ଲୋକ ଦୁଇଟି ମହଲା ଭଡ଼ା ‌ଲଗାଇ ଭଡ଼ା ଅର୍ଥରେ ଚଳିପାରିବ। ଆପାର୍ଟମେଣ୍ଟଗୁଡ଼ିକୁ ଯଦି ଅଧିକ ଉଚ୍ଚତାର କୋଠା ନିର୍ମାଣ କରିବାକୁ ଅନୁମତି ମିଳିବ ତେବେ ଘର ଦାମ୍‌ ଶସ୍ତା ହୋଇଯିବ। କମ୍‌ ଜାଗାରେ ଅଧିକ ଘର ନିର୍ମାଣ କରିପାରିଲେ ବିଲର୍ଡମାନେ ଲୋକଙ୍କୁ ଶସ୍ତାରେ ଘର ଯୋଗାଇପାରିବେ। ଏହି ନିୟମ ଦ୍ବାରା ଆଗାମୀ ଦିନରେ ସର୍ବକ୍ଷମା ଭଳି ଯୋଜନା ଆଣିବା ଆବଶ୍ୟକ ପଡ଼ିବନି। ଲୋକଙ୍କୁ ବି ନିଜର ପୁରୁଣା ଘରର ମରାମତି କି ସାମାନ୍ୟ ବଢ଼ାଇବାକୁ ହେଲେ ବିଡିଏ କାର୍ଯ୍ୟାଳୟକୁ ଦଉଡ଼ିବାକୁ ପଡ଼ିବନି।

ଆଗରୁ କ’ଣ ଥିଲା- ୪ରୁ ଅଧିକ ଘର (୪ଟି ପରିବାର ରହିବା ପାଇଁ ଘର) ଥିଲେ ଆପାର୍ଟମେଣ୍ଟ କୁହାଯାଉଥିଲା। ବହୁତଳ କୋଠା ପାଇଁ ପ୍ଲଟ୍‌ ସାଇଜ୍‌ ଅତି କମରେ ୫୦୦ ବର୍ଗମିଟର ରହିବା ଆବଶ୍ୟକ ଥିଲା। ସ୍ବଳ୍ପ ବିପଦ କୋଠା ନିର୍ମାଣ ପାଇଁ କୌଣସି ସ୍ବତନ୍ତ୍ର ବ୍ୟବସ୍ଥା ନଥିଲା। ପୁରୁଣା ଘରର ନବୀକରଣ ପାଇଁ କୌଣସି ବିଧିବଦ୍ଧ ବ୍ୟବସ୍ଥା ନଥିଲା। ଫଳରେ ଲୋକ ବହୁତ ହଇରାଣ ହେଉଥିଲେ। ଖର୍ଦ୍ଦିଯୋଗ୍ୟ ଏଫ୍‌ଏଆର୍ ପାଇଁ ଜମି ମୂଲ୍ୟର ୫୦% ଦେୟ ଥିଲା। ବିଭିନ୍ନ ଦେୟ କିସ୍ତିରେ ଦେବା ବ୍ୟବସ୍ଥା ନଥିଲା। ଫଳରେ ବହୁ ଗୃହ ପ୍ରକଳ୍ପ ଆରମ୍ଭ ହେବାରେ ବିଳମ୍ବ ହେଉଥିଲା। ସଂପୂର୍ଣ୍ଣ ପ୍ରକଳ୍ପର ଏକସଙ୍ଗେ ଅକୁପାନ୍ସି ସାର୍ଟିଫିକେଟ୍‌ ଦିଆଯାଉଥିଲା। ଉଚ୍ଚ ଅଟ୍ଟାଳିକା ତିଆରି ପାଇଁ କୌଣସି ଗ୍ରାଉଣ୍ଣ କଭରେଜ୍ ପ୍ରତିବନ୍ଧକ ନଥିଲା। ରାସ୍ତାର ଓସାର, ଜମିର ଆୟତନ ଏବଂ ଅଟ୍ଟାଳିକାର ଉଚ୍ଚତା ଅନୁସାରେ ଫିକ୍ସଡ ସେଟ୍‌ବ୍ୟାକ୍‌ ଥିଲା। ସମସ୍ତ ଆସେମ୍ବଲି ବିଲଡିଂ ପାଇଁ ସାମ୍ନାରେ ୧୨ମିଟର ଖୋଲା ସ୍ଥାନ ଏବଂ ପାର୍ଶ୍ବରେ ୬ମିଟର ଆବଶ୍ୟକ ଥିଲା। . ସପିଂ ମଲ୍‌, ମଲ୍ଟିପ୍ଲେକ୍ସ ପାଇଁ ୫୦%, ବ୍ୟବସାୟିକ କୋଠା ପାଇଁ ୪୦%, ବାସଗୃହ ପାଇଁ ୩୦% ପାର୍କିଂ ଅଞ୍ଚଳ ରଖିବା ନିୟମ ଥିଲା। ନୂଆ ନିୟମରେ କ’ଣ ହେଲା . ୮ଟି ପରିବାର ରହିବା ପାଇଁ ଘର ଅର୍ଥାତ୍ ଗୋଟିଏ କୋଠାରେ ୮ଟି ଘର ଥିଲେ ତାକୁ ଆପାର୍ଟମେଣ୍ଟ କୁହାଯିବ। ଉଚ୍ଚ ଅଟ୍ଟାଳିକା ପାଇଁ ପ୍ଲଟ୍‌ ସାଇଜ୍‌ ପ୍ରତିବନ୍ଧକ ରହିବ ନାହିଁ। .ସ୍ବଳ୍ପ ବିପଦ କୋଠା ନିର୍ମାଣ ପାଇଁ ମଡେଲ୍‌ ପ୍ଲାନ୍ ପ୍ରସ୍ତୁତ ହୋଇଛି। ଏହା ଅନୁଯାୟୀ ଘର ନିର୍ମାଣ କଲେ କେବଳ ଆବଶ୍ୟକ ଟଙ୍କା ଦାଖଲ କରି ଅଣ୍ଡରଟେକିଂ ଦେଇ ଘର କାମ ଆରମ୍ଭ କରିହେବ। . ପୁରୁଣା ଘର ନବୀକରଣ ବେଳେ କିଛି ଛୋଟ ବଡ଼ କାମ ପାଇଁ କୌଣସି ଅନୁମତି ଆବଶ୍ୟକ ନାହିଁ। .ଖର୍ଦ୍ଦି ଯୋଗ୍ୟ ଏଫ୍‌ଏଆର୍ ପାଇଁ ଏବେ ଜମି ମୂଲ୍ୟର ୨୫ ଭାଗ ଅଧା ମୂଲ୍ୟରେ ମିଳିବ। .ବାହ୍ୟ ଭିତ୍ତିଭୂମି ଉନ୍ନତୀକରଣ ଫି’ ଏବଂ ଖର୍ଦ୍ଦିଯୋଗ୍ୟ ଏଫ୍‌ଏଆର୍ ଦେୟ କିସ୍ତିରେ ଦେଇପାରିବେ। ଏହାଦ୍ବାରା ପ୍ରକଳ୍ପ ପ୍ଲାନ୍ ଅନୁମୋଦନ କରି ବିଲର୍ଡ କାମ ଆରମ୍ଭ କରିପାରିବେ। .ଓରେରା ପଞ୍ଜୀକରଣ ଆବଶ୍ୟକ ନଥିବା ପ୍ରକଳ୍ପ ପାଇଁ ଆଂଶିକ ଅକୁପାନ୍ସି ସାର୍ଟିଫିକେଟ୍‌ ଦେଇ ହେବ। ୧୫ରୁ ୧୮ମିଟର ଉଚ୍ଚତା ବିଶିଷ୍ଟ କୋଠା ତିଆରି କଲେ ୫୦% ଖାଲି ଜାଗା ଛାଡ଼ିବେ, ୧୮ମିଟରରୁ ଅଧିକ ଉଚ୍ଚତା କୋଠା ପାଇଁ ୪୦% ଖାଲି ଜାଗା ଛାଡ଼ିବାକୁ ବାଧ୍ୟତାମୂଳକ କରାଯାଇଛି। ବିପଦଆଶଙ୍କା ଏବଂ ପ୍ଲଟ୍‌ ସାଇଜ୍‌କୁ ଭିତ୍ତିକରି ସେଟ୍‌ବ୍ୟାକ୍‌ କୋହଳ କରାଯାଇଛି। ୧୦୦୦ ବର୍ଗମିଟର ଆସେମ୍ବଲି ଏରିଆ ବିଶିଷ୍ଠ କୋଠା ଘର ପାଇଁ ପାର୍କିଂ ସ୍ଥଳବିଶେଷରେ ସାମ୍ନାରେ ୬ମିଟର ଖୋଲାସ୍ଥାନ ଛାଡ଼ିବା ବ୍ୟବସ୍ଥା କରାଯାଇଛି। ଅନେକଗୁଡ଼ିଏ କୋଠାବାଡ଼ି ପାଇଁ ପାର୍କିଂ ଅଞ୍ଚଳ ରଖିବା ବ୍ୟବସ୍ଥା ସହ ଗୋଦାମ ଘର ପାଇଁ ୨୦% ପାର୍କିଂ ଅଞ୍ଚଳ ରହିବ।

ସମ୍ବନ୍ଧିତ ଖବର