ରାଜଧାନୀରେ ଚାଞ୍ଚଲ୍ୟ : ୪ ଶିଶୁଙ୍କୁ ବିକ୍ରି କରି ଦମ୍ପତି ଫେରାର

ସାଲିଆସାହିରେ ଚାଇଲ୍ଡ ଲାଇନ୍‌ର ଚଢ଼ଉ

ଜଣେ ଶିଶୁପୁତ୍ର ଉଦ୍ଧାର, ପୁଲିସର ଛାନଭିନ୍‌

ଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟ। ଗୋଟିଏ ଦମ୍ପତି ନିଜର ୪ ଜଣ ଶିଶୁପୁତ୍ରଙ୍କୁ ରାଜଧାନୀର ବିଭିନ୍ନ ସ୍ଥାନରେ ବିକ୍ରି କରିଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ଚାଇଲ୍ଡ ଲାଇନ୍‌ କର୍ତୃପକ୍ଷ ନୂଆପଲ୍ଲୀ ଥାନା ପୁଲିସ ସହଯୋଗରେ ସାଲିଆସାହି ଜନତା ନଗରରେ ଚଢ଼ଉ କରି ଜଣେ ୩ ବର୍ଷର ଶିଶୁପୁତ୍ରକୁ ଉଦ୍ଧାର କରିଛି। ଥାନାରେ ମାମଲା ରୁଜୁ ହେବା ପରେ ନିଜ ଛୁଆଙ୍କୁ ବିକ୍ରି କରିଥିବା ଦମ୍ପତି ଏବେ କେଉଁ ଆଡେ ଫେରାର ହୋଇ ଯାଇଛନ୍ତି। ଦୁହିଁଙ୍କୁ ଗିରଫ କରିବା ଲାଗି ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି। ଦୁହେଁ ଗିରଫ ହେବା ପରେ ଅନ୍ୟ ଶିଶୁପୁତ୍ରଙ୍କୁ ସେମାନେ କେଉଁଠି ବିକ୍ରି କରିଛନ୍ତି ତାହା ଜଣାପଡ଼ିବା ସହିତ ଉଦ୍ଧାର କରାଯାଇ ପାରିବ ବୋଲି ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି।

ଶିଶୁକଲ୍ୟାଣ ସମିତି କର୍ତୃପକ୍ଷଙ୍କୁ ଦୁଇ ଦିନ ତଳେ ସୂଚନା ମିଳିଥିଲା କି, ସାଲିଆସାହିରେ ରହୁଥିବା ଏହି ଦମ୍ପତି ନିଜର ୪ଟି ଶିଶୁପୁତ୍ରଙ୍କୁ ବିକ୍ରି କରି ସାରିଛନ୍ତି। ଏ ନେଇ ଆଜି ସକାଳୁ ଶିଶୁ କଲ୍ୟାଣ ସମିତି ଚାଇଲ୍ଡ ଲାଇନ୍‌ କର୍ତୃପକ୍ଷଙ୍କୁ ନିର୍ଦେଶ ଦେଇଥିଲେ ଘଟଣାର ତଦନ୍ତ କରିବା ସହିତ ଶିଶୁପୁତ୍ରଙ୍କୁ ଉଦ୍ଧାର କରିବାକୁ। ଚାଇଲ୍ଡ ଲାଇନ୍‌ କର୍ତୃପକ୍ଷ ସାଲିଆସାହିରେ ପହଞ୍ଚିଥିଲେ। ସେଠାରେ ଶିଶୁପୁତ୍ରଟି କନ୍ଧମାଳ ଟିକାବାଲି ଅଞ୍ଚଳର ଆରତୀ ଦିଗାଲ ଓ ଲିଙ୍ଗରାଜ ଦିଗାଲଙ୍କ ଘରେ ଥିଲା। ଚାଇଲ୍ଡ ଲାଇନ୍‌ କର୍ତୃପକ୍ଷ ଶିଶୁପୁତ୍ରଙ୍କୁ ଉଦ୍ଧାର କରିବା ବେଳେ ସ୍ଥାନୀୟ ଲୋକ ଏହାର ଜୋରଦାର ବିରୋଧ କରିଥିଲେ। ଲୋକେ ଅଭିଯୋଗ କରିଥିଲେ ଶିଶୁପୁତ୍ରଟିକୁ ସେମାନେ(ଦମ୍ପତି) ପୋଷ୍ୟପୁତ୍ର ଭାବେ ଗ୍ରହଣ କରିଛନ୍ତି। ଏହାକୁ ନେଇ କିଛି ସମୟ ଲାଗି ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ନୂଆପଲ୍ଲୀ ଥାନା ପୁଲିସ ବସ୍ତିରେ ପହଞ୍ଚି ଶିଶୁପୁତ୍ରଟିକୁ ଉଦ୍ଧାର କରିଥିଲେ। ବର୍ତମାନ ଶିଶୁପୁତ୍ରକୁ କୋଳଥିଆଠାରେ ଥିବା ସୁଭଦ୍ରା ମହତାବ ଶିଶୁ ଯତ୍ନ ସେବା ସଦନରେ ରଖାଯାଇଛି।

ଅନ୍ୟ ଶିଶୁପୁତ୍ରମାନଙ୍କୁ କେଉଁଠି ବିକ୍ରି କରାଯାଇଛି ସେହି ତଥ୍ୟ ପାଇବା ପାଇଁ ପୁଲିସ ସାଲିଆସାହିରେ ରହୁଥିବା ଶିଶୁପୁତ୍ରର ପ୍ରକୃତ ବାପାମା’ଙ୍କ ଘର ନିକଟକୁ ଯାଇଥିଲା। କିନ୍ତୁ ଘରେ ତାଲା ପଡ଼ିଥିଲା। ସେମାନଙ୍କ ଘର ମୟୂରଭଞ୍ଜ ଜିଲ୍ଲା ଉଦଳାରେ ବୋଲି ପୁଲିସ ଜାଣିବାକୁ ପାଇଛି। ତେଣୁ ପୁଲିସର ଏକ ଟିମ୍‌ ଦମ୍ପତିଙ୍କୁ ଗିରଫ କରିବାକୁ ଉଦଳା ଯାଇଛି।
ଚାଇଲ୍ଡ ଲାଇନ କର୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଉକ୍ତ ଦମ୍ପତି ୭ ବର୍ଷର ଦୁଇଟି ଯାଁଳା ଶିଶୁପୁତ୍ର ଓ ଏବେ ଗୋଟିଏ ଶିଶୁପୁତ୍ରଙ୍କୁ ସେମାନେ ଅନ୍ୟ କେଉଁଠି ବିକ୍ରି କରିଛନ୍ତି। ଏ ନେଇ ସାଲିଆସାହିରେ ଏକ ର‍୍ୟାକେଟ କାମ କରୁଛି। ଏହି ର‍୍ୟାକେଟର ପର୍ଦାଫାସ କରିବାକୁ ଥାନାରେ ଅଭିଯୋଗ କରାଯାଇଛି। ତେବେ କେଉଁ କାରଣରୁ ଦମ୍ପତି ସେମାନଙ୍କ ୪ ଜଣ ଶିଶୁପୁତ୍ରଙ୍କୁ ବିକ୍ରି କଲେ ତାହା ଏଯାଏ ସ୍ପଷ୍ଟ ହୋଇ ପାରି ନାହିଁ।

ରାଜଧାନୀ ଭୁବନେଶ୍ୱର ଶିଶୁ ବିକ୍ରି ହେବା ଘଟଣା ନୂଆ ନୁହେଁ ପୂର୍ବରୁ ଖାରବେଳନଗର, ମଞ୍ଚେଶ୍ୱର, ଖଣ୍ଡଗିରି ଭଳି ଥାନାରେ ଏକାଧିକ ଶିଶୁ ବିକ୍ରି ନେଇ ଅଭିଯୋଗ ହୋଇଛି। ପୁଲିସ ଓ ଚାଇଲ୍ଡ ଲାଇନ୍‌ ଶିଶୁପୁତ୍ର ମଧ୍ୟ ଉଦ୍ଧାର କରିଛି।

ସମ୍ବନ୍ଧିତ ଖବର