ଓଡ଼ିଶା ବନ ଉନ୍ନୟନ ନିଗମ କର୍ମଚାରୀ ସଂଘର ଚେତାବନୀ : ୬ରୁ କଳାବ୍ୟାଜ୍‌ ପରିଧାନ, ୧୪ରୁ ଧାରଣା

ଭୁବନେଶ୍ବର : ବନ ଉନ୍ନୟନ ନିଗମ କର୍ମଚାରୀଙ୍କ କ୍ଷେତ୍ରରେ ସପ୍ତମ ବେତନ(ଓଆର୍‌ଏସ୍‌ପି-୨୦୧୭) ଲାଗୁ କରିବା, ନିଗମରେ ମାନବ ସମ୍ବଳର ପୁନଃ ନିର୍ଦ୍ଧାରଣ ଏବଂ ଚାକିରିରେ ଥାଇ ଅକାଳ ବିୟୋଗ ହୋଇଥିବା କର୍ମଚାରୀଙ୍କ ପରିବାରରୁ ଜଣେ ନ୍ୟାୟିକ ଉତ୍ତରାଧିକାରୀଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ ଆଦି ୩ ଦଫା ଦାବି ନେଇ ଓଡ଼ିଶା ବନ ଉନ୍ନୟନ ନିଗମ କର୍ମଚାରୀ ସଂଘ ସରକାରଙ୍କୁ ଚେତାବନୀ ଦେଇଛି। ଆଜି ସତ୍ୟନଗର ସ୍ଥିତ ଯାନ୍ତ୍ରୀକ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘ ପକ୍ଷରୁ କୁହାଯାଇଛି ଯେ ୭ମ ବେତନ କମିସନଙ୍କ ସୁପାରିସ କେନ୍ଦ୍ର ସରକାର ଲାଗୁ କରିବା ପରେ ଓଡ଼ିଶା ସରକାର ଓଆରଏସ୍‌ପି-୨୦୧୭ ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଲାଗୁ କଲେ। ମୁଖ୍ୟମନ୍ତ୍ରୀ ନିଗମ ଓ ସମବାୟ ସଂସ୍ଥା ଆଦିରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଏହା ଘୋଷଣା କରିଥିଲେ। ତେବେ ନୂତନ ନିୟମ ଲାଗୁରେ ବିଳମ୍ବ ହେବାରୁ ସଂଘ ପକ୍ଷରୁ ବିଭିନ୍ନ ସମୟରେ ଦାବି ହୋଇ ଆସୁଛି। ବାରମ୍ବାର ଦାବି ସତ୍ତ୍ବେ ମଧ୍ୟ ଏପର୍ଯ୍ୟନ୍ତ ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି। ଯାହାକୁ ନେଇ ସଂଘ କ୍ଷୋଭ ପ୍ରକାଶ କରିଛି। ପ୍ରତିବାଦରେ ବନ ଉନ୍ନୟନ ନିଗମ କର୍ମଚାରୀ ଆସନ୍ତା ୬ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ କଳାବ୍ୟାଜ୍‌ ପରିଧାନ କରିବେ। ସେହିପରି ୧୧ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ମଧ୍ୟାହ୍ନ ବିରତିରେ କଳାବ୍ୟାଜ୍‌ ପିନ୍ଧି ବିକ୍ଷୋଭ କରିବେ। ୧୪ ତାରିଖଠାରୁ ମୁଖ୍ୟଦପ୍ତରରେ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ସଂଘ କାର୍ଯ୍ୟକାରୀ ସଭାପତି ସନ୍ତୋଷ ଦାସ, ସାଧାରଣ ସମ୍ପାଦକ ଜଗନ୍ନାଥ ମିଶ୍ର, ମହାସଂଘ ସଭାପତି ନଟବର ଆଚାର୍ଯ୍ୟ, ରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଏଭଳି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର