ଆଇ କୋର ଇ-ସର୍ଭିସେସ ନିର୍ଦ୍ଦେଶିକାଙ୍କୁ ଜାମିନ

କଟକ : ସିବିଆଇ ଦ୍ୱାରା ଗିରଫ ହୋଇଥିବା ଆଇ କୋର ଇ-ସର୍ଭିସେସ୍‌ ଲିମିଟେଡ୍‌ କମ୍ପାନିର ନିର୍ଦ୍ଦେଶିକା କନିକା ମାଇତିଙ୍କୁ ହାଇକୋର୍ଟ ଜାମିନ ମଞ୍ଜୁର କରିଛନ୍ତି। ଜଷ୍ଟିସ ଜେ.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ୨୦୧୮, ଫେବ୍ରୁଆରି ୮ରେ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଆଜି ମାମଲାର ରାୟ ପ୍ରକାଶ ପାଇଛି। ତାଙ୍କୁ ସର୍ତ୍ତମୂଳକ ଜାମିନରେ ଛାଡିବା ପାଇଁ ଖଣ୍ଡପୀଠ ନିମ୍ନ ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜାମିନରେ ଛାଡ ପାଇବା ପାଇଁ ସେ ନିମ୍ନ ଅଦାଲତରେ ପାର୍ସପୋର୍ଟ ଦାଖଲ କରିବେ। ଜାମିନରେ ଛାଡ ପାଇବା ପରେ ସେ ତଦନ୍ତରେ ସହଯୋଗ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଆବେଦନକାରିଣୀଙ୍କ ପକ୍ଷରୁ ସୁପ୍ରିମକୋର୍ଟର ଆଇନଜୀବୀ ସୁରେଶ ତ୍ରିପାଠୀ ମାମଲା ପରିଚାଳନା କରୁଥିଲେ।

ସୂଚନାଯୋଗ୍ୟ ଯେ ଆଇ କୋର୍‌ ଇ-ସର୍ଭିସେସ୍‌ କମ୍ପାନି ବିରୋଧରେ ପ୍ରଥମେ ୨୦୧୪, ଜାନୁଆରି ୧୫ରେ ପ୍ରଥମେ ଖଣ୍ଡଗିରି ଥାନାରେ ଏତଲା ରୁଜୁ ହୋଇଥିଲା। ଏହାପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ସିବିଆଇ ତଦନ୍ତ ଭାର ନେଇଥିଲା। କନିକା ମାଇତି ଓ ତାଙ୍କ ସ୍ୱାମୀ ଅନୁକୁଳ ମାଇତିଙ୍କୁ ସିବିଆଇ ୨୦୧୭, ଏପ୍ରିଲ ୧୧ରେ ଗିରଫ କରିଥିଲା। ୨୦୧୮,ଅଗଷ୍ଟ ୫ରେ ଏହି ମାମଲାରେ ସିବିଆଇ ଅଦାଲତରେ ପ୍ରାଥମିକ ଚାର୍ଜସିଟ ଦାଖଲ କରିଥିଲା। ଏହି ସଂସ୍ଥାର କାର୍ଯ୍ୟାଳୟ କୋଲକାତା ଓ ଦେଶର ବିଭିନ୍ନ ସ୍ଥାନରେ ଖୋଲା ଯାଇଥିଲା। ଶତାଧିକ କୋଟିର ଏହି ଠକେଇ ନେଇ ସିବିଆଇ କରିଥିବା ତଦନ୍ତରୁ ଆଇ କୋର୍‌ ଚେର ୧୦ରୁ ଅଧିକ ରାଜ୍ୟରେ ବ୍ୟାପିଥିବା ଜଣା ପଡିଥିଲା।

ସମ୍ବନ୍ଧିତ ଖବର