ଡାକ୍ତର ରବୀନ୍ଦ୍ର ଜେନାଙ୍କୁ ଜାମିନ

କଟକ : ରାଜ୍ୟ ଚିକିତ୍ସା ପାଣ୍ଠି(ଓଏସ୍‌ଟିଏଫ୍‌) ହେରଫେର ମାମଲାରେ ଭିଜିଲାନ୍ସ ଦ୍ୱରା ଗିରଫ ହୋଇ ଜେଲରେ ଥିବା ଏସ୍‌ସିବି ମେଡିକାଲ କଲେଜର କ୍ଲିନିକାଲ ହେମାଟୋଲୋଜି ବିଭାଗର ନିଲମ୍ବିତ ପ୍ରଫେସର ଡାକ୍ତର ରବୀନ୍ଦ୍ର କୁମାର ଜେନାଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ଜଷ୍ଟିସ ଜେ.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଡାକ୍ତର ଜେନାଙ୍କୁ ୫୦ ହଜାର ଟଙ୍କାର ଦୁଇ ଜଣ ଜାମିନଦାରଙ୍କ ବଦଳରେ ଜାମିନ ପ୍ରଦାନ ପାଇଁ କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିମ୍ନ ଅଦାଲତଙ୍କ ବିନା ଅନୁମତିରେ ସେ ରାଜ୍ୟ ବାହାରକୁ ଯାଇ ପାରିବେ ନାହିଁ। ଏଥି ସହିତ ସେ ଜାମିନରେ ଛାଡ ପାଇବା ପରେ ଆବଶ୍ୟକ ସ୍ଥଳେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେବେ ଓ ତଥ୍ୟ ପ୍ରମାଣକୁ ପ୍ରଭାବିତ କରିବା ଭଳି କୌଣସି କାର୍ଯ୍ୟ କରିବେ ନାହିଁ। ନିମ୍ନ ଅଦାଲତରେ ମାମଲାର ଶୁଣାଣି ସମୟରେ ପ୍ରତ୍ୟେକ ତାରିଖରେ ଉପସ୍ଥିତ ରହିବେ ବୋଲି ସର୍ତ୍ତାରୋପ କରାଯାଇଛି। ସୂଚନା ଯୋଗ୍ୟ ଯେ ୨୦୧୭, ଡିସେମ୍ବର ୨୧ରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଡାକ୍ତର ଜେନାଙ୍କ ନିୟମିତ ଜାମିନ ଆବେଦନ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଖାରଜ କରିବା ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ ଡାକ୍ତର ଜେନାଙ୍କ ବିରୋଧରେ ସରକାରୀ ପଦବିର ଅପବ୍ୟବହାର, ନିର୍ଦ୍ଦିଷ୍ଟ ଔଷଧ କମ୍ପାନି ପ୍ରତି ଅହେତୁକ ଅନୁକମ୍ପା ପ୍ରଦର୍ଶନ, ରାଜକୋଷକୁ ଆର୍ଥିକ କ୍ଷତି ପହଞ୍ଚାଇବା, ଠକେଇ, ଅର୍ଥ ତୋଷାରପାତ, ଅପରାଧିକ ଷଡଯନ୍ତ୍ର ଭଳି ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଦୁର୍ନୀତି ନିବାରଣ ଆଇନର ଧାରା ୧୩(୨) ସହ ୧୩(୧), (ସି)(ଡି), ଆଇପିସିର ଦଫା ୪୦୯, ୪୨୦, ୩୪, ୧୨୦(ବି)ରେ ମାମଲା ରୁଜୁ କରାଯାଇଥିଲା। ତାଙ୍କୁ ଏହି କାର୍ଯ୍ୟରେ ଡାକ୍ତର ସୁଧା ସେଠୀ ସହଯୋଗ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଏହି ମାମଲାରେ ଗିରଫ ଡାକ୍ତର ସୁଧା ସେଠୀଙ୍କୁ ପୂର୍ବରୁ ହାଇକୋର୍ଟ ମଞ୍ଜୁର କରି ସାରିଛନ୍ତି।

ସମ୍ବନ୍ଧିତ ଖବର