କଟକ : ଓଡିଶା ହାଇକୋର୍ଟରେ ଖାଲି ପଡ଼ିଥିବା ବିଚାରପତି ପଦ ପୂରଣ ଦାବିରେ ଫେବ୍ରୁଆରି ୧୨ ତାରିଖରୁ ଆରମ୍ଭ ହୋଇଥିବା ଆଇନଜୀବୀଙ୍କ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି। ଆସନ୍ତାକାଲି ଅର୍ଥାତ ମାର୍ଚ୍ଚ ୬ ତାରିଖରୁ ଆଇନଜୀବୀମାନେ କାର୍ଯ୍ୟରେ ଯୋଗ ଦେବେ ବୋଲି ଘୋଷଣା କରାଯାଇଛି। ଆଜି ହାଇକୋର୍ଟ ବାର୍ ଆସୋସିଏସନ୍ ସାଧାରଣ ପରିଷଦ ବୈଠକରେ ଆଲୋଚନା କରାଯାଇ ଏପରି ନିଷ୍ପତ୍ତି ନିଆଯାଇଛି। ଆସୋସିଏସନ୍ ସଭାପତି ବରିଷ୍ଠ ଆଇନଜୀବୀ ଶ୍ରୀକାନ୍ତ କୁମାର ନାୟକ ସୂଚନା ଦେଇ କହିଛନ୍ତି ଯେ ଆସୋସିଏସନର ପ୍ରତିନିଧିମାନେ ମୁଖ୍ୟ ବିଚାରପତିଙ୍କ ସହିତ ଏ ପ୍ରସଂଗରେ ଆଲୋଚନା କରିଥିଲେ। ଖାଲି ପଡ଼ିଥିବା ପଦରେ ବିଚାରପତି ନିଯୁକ୍ତି ପ୍ରଦାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ବିଚାରପତି ପଦ ପାଇଁ ମାର୍ଚ୍ଚ ଶେଷ ସୁଦ୍ଧା ନାଁ ସୁପାରିଶ କରାଯିବ ବୋଲି ମୁଖ୍ୟ ବିଚାରପତି ପ୍ରତିଶ୍ରୁତି ଦେଇଥିଲେ। ଆଲୋଚନା ସଂପର୍କରେ ସବିଶେଷ ତଥ୍ୟ ସାଧାରଣ ପରିଷଦ ବୈଠକରେ ଉପସ୍ଥାପନ କରାଯାଇଥିଲା। ଏହା ପରେ ଜାରି ରହିଥିବା କାର୍ଯବନ୍ଦ ଆନ୍ଦୋଳନ ଓ ଅନଶନ ବର୍ତ୍ତମାନ ପାଇଁ ସ୍ଥଗିତ ରଖିବାକୁ ସର୍ବ ସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏଥି ସହିତ ମାର୍ଚ୍ଚ ୬ ତାରିଖରୁ ଆଇନଜୀବୀମାନେ ସ୍ୱାଭାବିକ ଭାବେ କୋର୍ଟ କାର୍ଯ୍ୟରେ ଯୋଗ ଦେବେ ବୋଲି ଶ୍ରୀ ନାୟକ କହିଛନ୍ତି। ହାଇକୋର୍ଟ ବାର୍ ଆସୋସିଏସନର ଏପରି ନିଷ୍ପତ୍ତି ପରେ କଟକ ବାର୍ ଆସୋସିଏସନ୍, କ୍ରିମିନାଲ କୋର୍ଟସ୍ ବାର୍ ଆସୋସିଏସନ୍ର ମିଳିତ ବୈଠକରେ ମଙ୍ଗଳବାରଠାରୁ କାର୍ଯ୍ୟରେ ଯୋଗ ଦେବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ଦୁଇ ଆସୋସିଏସନର ସଂପାଦକ ନିତ୍ୟାନନ୍ଦ ବେଉରିଆ ଓ ପ୍ରଦୀପ କୁମାର ପରିଡା ସୂଚନା ଦେଇଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp