ଆଇନଜୀବୀଙ୍କୁ ପୁଲିସ ମାଡ଼ ମାମଲା : ହାଇକୋର୍ଟରେ ଶୁଣାଣି ଘୁଞ୍ଚିଲା, ଅଧିକ ସମୟ ମାଗିଲା କ୍ରାଇମ୍‌ବ୍ରାଞ୍ଚ

ଆଇନଜୀବୀ-ପୁଲିସ୍‌ର ପଲିଗ୍ରାଫ୍‌ ଟେଷ୍ଟ ହେବ, ନିଲମ୍ବନ ଆଦେଶ ପ୍ରତ୍ୟାହାର ଉପରେ ସ୍ପଷ୍ଟୀକରଣ ଲୋଡିଲେ କୋର୍ଟ

କଟକ : ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ପୁଲିସ ମାଡ ପ୍ରସଂଗକୁ ନେଇ ବିଚାରାଧୀନ ମାମଲାର ହାଇକୋର୍ଟରେ ଶୁଣାଣି ସମୟରେ ଆଜି କ୍ରାଇମବ୍ରାଞ୍ଚ ପକ୍ଷରୁ ଚାର୍ଜସିଟ ଦାଖଲ ପାଇଁ ଅଧିକ ସମୟ ଲୋଡାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍.ଜାଭେରୀ ଓ ଜଷ୍ଟିସ କେ.ଆର୍.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ତଦନ୍ତକାରୀ ଅଧିକାରୀ ତଥା କ୍ରାଇମବ୍ରାଞ୍ଚ ଆଇଜି ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ତଦନ୍ତ ସାରିବାକୁ ଆଉ ୬ ସପ୍ତାହ ସମୟ ଲୋଡା ବୋଲି ଦର୍ଶାଇଥିଲେ। ଏଥିସହିତ ସେ ତଦନ୍ତର ଅଗ୍ରଗତି ସଂପର୍କରେ ଅଦାଲତଙ୍କୁ ଅବଗତ କରିଥିଲେ। ଫଳରେ ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୨ ତାରିଖକୁ ଧାର୍ଯ୍ୟ କରିଥିଲେ। ଆଇନଜୀବୀଙ୍କୁ ମାଡ଼ ମାମଲାରେ ନିଲମ୍ବିତ କରାଯାଇଥିବା ପୁଲିସ କର୍ମଚାରୀଙ୍କ ଉପରୁ ନିଲମ୍ବନ ଆଦେଶ ଇତିମଧ୍ୟରେ ଉଠାଇ ନିଆଯାଇଥିବା ଘଟଣା ସଂପର୍କରେ ଆଜି ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ମାମଲା ବିଚାରାଧୀନ ଥିବା ସହିତ ତଦନ୍ତ ସରି ନଥିବା ବେଳେ କେମିତି ନିଲମ୍ବନ ଆଦେଶ ପ୍ରତ୍ୟାହାର କରାଯାଇଛି ତାହାକୁ ନେଇ ସାମାନ୍ୟ ଅସନ୍ତୋଷ ପ୍ରକାଶ କରିବା ସହ ଏ ସଂପର୍କରେ ଖଣ୍ଡପୀଠ ଜାଣିବାକୁ ଚାହିଁଥିଲେ। କେଉଁ ପରିସ୍ଥିତିରେ ଏପରି ନିଲମ୍ବନ ଆଦେଶ ଉଠାଇ ଦିଆଯାଇଛି ତାହା ପରବର୍ତ୍ତୀ ଶୁଣାଣି ସମୟ‌େର ସ୍ପଷ୍ଟ କରିବାକୁ ସରକାରଙ୍କୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ ଅକ୍ଟୋବର ୩୦ ତାରିଖ ଦିନ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ନଭେମ୍ବର ୯ ତାରିଖ ସୁଦ୍ଧା ତଦନ୍ତ ଶେଷ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ଘଟଣାର ତଦନ୍ତ ତଦାରଖ ହାଇକୋର୍ଟର କାର୍ଯ୍ୟରତ ବିଚାରପତି ଜଷ୍ଟିସ ସି.ଆର୍.ଦାଶ କରିବେ। ପ୍ରତିଦିନ ତଦନ୍ତର ଅଗ୍ରଗତି ସଂପର୍କରେ ତଦନ୍ତକାରୀ ଅଧିକାରୀ ଜଷ୍ଟିସ ଦାଶଙ୍କୁ ଅବଗତ କରିବେ ବୋଲି ହାଇକୋର୍ଟଙ୍କ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଥିଲା। ଆଇନଜୀବୀ ଶ୍ରୀ ପଟ୍ଟନାୟକଙ୍କୁ ପୁଲିସ ମାଡ ପ୍ରସଂଗକୁ ନେଇ ନ୍ୟାସନାଲିଷ୍ଟ ଲୟର୍ସ ଫୋରମ, କଟକ ବାର୍ ଆସୋସିଏସନ୍ ଓ ଆଇନଜୀବୀ ଅନ୍ତର୍ଯ୍ୟାମୀ ସ୍ବାଇଁଙ୍କ ପକ୍ଷରୁ ତିନୋଟି ପୃଥକ ଜନସ୍ବାର୍ଥ ମାମଲା ହାଇକୋର୍ଟରେ ରୁଜୁ କରାଯାଇଛି।

ଅନ୍ୟପଟେ ମିଳିଥିବା ସୂଚନା ଅନୁଯାୟୀ ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକ ଏବଂ ତାଙ୍କୁ ମାଡ଼ ମାରିଥିବା ୪ ଜଣ ପୁଲିସ କର୍ମଚାରୀଙ୍କ ପଲିଗ୍ରାଫି ଟେଷ୍ଟ ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଅଦାଲତରେ ଆବେଦନ କରାଯାଇଛି। ଏହି ଘଟଣାରେ ଅନ୍ୟତମ ପକ୍ଷ ଥିବା ଦିଲ୍ଲୀପ ସିଂହଙ୍କର ପଲିଗ୍ରାଫି କରାଯାଇଛି ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର