କଟକ: ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଚୌମୁଖ-ଡଗରା ବେଳାଭୂମି ବିକାଶ ପ୍ରସଂଗକୁ ନେଇ ଦାୟର ଜନସ୍ବାର୍ଥ ମାମଲାର ହାଇକୋର୍ଟ ଶୁଣାଣି କରି ରାଜ୍ୟ ସରକାରଙ୍କ ନିକଟରୁ ଜବାବ ତଲବ କରିଛନ୍ତି। ନଭେମ୍ବର ୧୧କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ସମାଜିକ କର୍ମୀ ଅନୋଜ କୁମାର ମହାପାତ୍ର ଓ ବାଲିଆପାଳ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ରାଜେଶ ଚୌଧୁରୀଙ୍କ ତରଫରୁ ଦାୟର ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ବଙ୍ଗୋପସାଗର ଉପକୂଳରେ ବାଲିଆପାଳ ବ୍ଲକର ଦୁଇ ଗାଁ ଚୌମୁଖ ଓ ଡଗରା ରହିଛି। ଏହି ଦୁଇ ଗାଁକୁ ଲାଗି ସୁବର୍ଣ୍ଣରେଖା ନଦୀ ମୁହାଣରେ ବିସ୍ତୀର୍ଣ୍ଣ ବେଳାଭୂମି ରହିଛି। ରାଜ୍ୟ ସରକାର ୧୯୮୮ରେ ଏହି ସ୍ଥାନକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ କରିଥିଲେ। କିନ୍ତୁ ଏହି ସ୍ଥାନର ବିକାଶ କରି ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ କରାଯାଇ ନଥିଲା ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।
ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗର ସରକାର ଦୀଘାକୁ ବିକାଶ କରାଇଥିବାରୁ ଦୈନିକ ସେଠାକୁ ହଜାର ହଜାର ପର୍ଯ୍ୟଟକ ଯାଉଛନ୍ତି। ସେଠାରେ ସ୍ଥାନୀୟ ଲୋକଙ୍କ ଆତ୍ମନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି ହୋଇଛି। କିନ୍ତୁ ବ୍ୟାପକ ଝାଉଁଗଛ, ନାଲି ରଙ୍ଗ କଙ୍କଡ଼ା ଦେଖିବାକୁ ମିଳୁଥିବା ଚୌମୁଖ-ଡଗରା ବେଳାଭୂମିକୁ ଭଲ ରାସ୍ତା ଓ ପର୍ଯ୍ୟଟକଙ୍କ ରହଣୀ ପାଇଁ ଉତ୍ତମ ରହଣୀ ବ୍ୟବସ୍ଥାର ଅଭାବ ରହିଥିବାରୁ ପର୍ଯ୍ୟଟକମାନେ ନିରାଶ ହୋଇ ଫେରୁଛନ୍ତି। ବିଭିନ୍ନ ସମୟରେ ଉତ୍ତର ବାଲେଶ୍ବରର ବେଳାଭୂମି ଗୁଡ଼ିକର ବିକାଶ ଲାଗି ରାଜ୍ୟ ସରକାରଙ୍କ ତରଫରୁ କିଛି ଅର୍ଥ ବରାଦ ହୋଇଥିଲେ ମଧ୍ୟ ଏ ସଂପର୍କିତ ପ୍ରକଳ୍ପ ଗୁଡ଼ିକ ପାଇଁ ଟେଣ୍ଡର ହୋଇ ନ ପାରିବାରୁ କାମ ଅଗେଇ ପାରୁ ନାହିଁ। ଫଳରେ ଚୌମୁଖ-ଡଗରା ଭଳି ଆକର୍ଷଣୀୟ ସ୍ଥାନକୁ ଅଧିକ ସଂଖ୍ୟକ ପର୍ଯ୍ୟଟକ ଆସୁ ନାହାନ୍ତି।
ସ୍ଥାନୀୟ ଯୁବ ବର୍ଗଙ୍କ ପାଇଁ ପର୍ଯ୍ୟଟନ ଶିଳ୍ପ ମାଧ୍ୟମରେ ଆତ୍ମନିର୍ଭର ହେବା ସମ୍ଭବ ହେଉ ନାହିଁ। ଚୌମୁଖ-ଡଗରା ବେଳାଭୂମିର ବିକାଶ ପ୍ରସଂଗରେ ସ୍ଥାନୀୟ କର୍ତ୍ତୃପକ୍ଷ ଓ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନକାରୀ ଓ ସ୍ଥାନୀୟ ସ୍ବେଚ୍ଛାସେବୀମାନେ ବାରମ୍ବାର ଦାବି କରିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଛି। ମାମଲାରେ ରାଜ୍ୟ ପର୍ଯ୍ୟଟନ ବିଭାଗ ସଚିବ, ନିର୍ଦ୍ଦେଶକ, ବାଲେଶ୍ବର ଜିଲ୍ଲାପାଳ ଓ ବାଲିଆପାଳ ତହସିଲଦାରଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ସମୀକ୍ଷା ସ୍ଥିତପ୍ରଜ୍ଞା ମାମଲା ପରିଚାଳନା କରୁଥିବା ବେଳେ ସ୍ମୃତିରେଖା ସାହୁ ସହାୟତା କରୁଛନ୍ତି।
Orissa High Court