ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ : ସିଜ୍‌ ଗାଡ଼ିକୁ ଅଣ୍ଡର୍‌ଟେକିଂ ଲେଖି ଛାଡ଼ିବାକୁ ନିର୍ଦ୍ଦେଶ

କଟକ : ଲକ୍‌ଡାଉନବେଳେ ଚାଲିବା ଦୂରତାରେ ଅତ୍ୟାବଶ୍ୟକ ସାମଗ୍ରୀ ନ ମିଳିବା ପରିସ୍ଥିତିରେ ଦୁଇ ଚକିଆ ଯାନ ଚଳାଚଳ ଉପରେ ସଂପୂର୍ଣ୍ଣ କଟକଣା ଜାରି କରାଯାଇ ପାରିବନାହିଁ। ତେଣୁ ଯଦି କୌଣସି ଲୋକ ଗାଡ଼ି ଚଲାଇ ଯିବାବେଳେ ଧରାପଡନ୍ତି, ତେବେ ତାଙ୍କଠାରୁ ପ୍ରଥମ ୩ ଥର ପର୍ଯ୍ୟନ୍ତ କୌଣସି ଜରିମାନା ଆଦାୟ ହେବନାହିଁ। କେବଳ ଅଣ୍ଡରଟେକିଂ ନେଇ ଛଡ଼ା ଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଆଜି ହାଇକୋର୍ଟ ବାର୍ ଆସୋସିଏସନର ପୂର୍ବତନ ସଂପାଦକ ବିଜୟ କୁମାର ରଗଡଙ୍କ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣି ହୋଇଥିଲା। ଲକ୍‌ଡାଉନ ବେଳେ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ବହୁ ଗାଡ଼ି ପୁଲିସ ଜବତ କରିଥିବା ପ୍ରସଂଗରେ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏଥିସହିତ ଲୋକମାନେ ଘର ନିକଟରେ ଅତ୍ୟାବଶ୍ୟକ ପଦାର୍ଥ ନ ପାଇ ହଇରାଣ ହେଉଛନ୍ତି ବୋଲି ଦର୍ଶାଯାଇଥିଲା। କରୋନା ସଂକ୍ରମଣ ଆଶଙ୍କାରେ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଥିବାବେଳେ ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଲୋକମାନଙ୍କ ଘର ନିକଟରେ ଚାଲିବା ଦୂରତାରେ ମିଳିବା ପାଇଁ ବ୍ୟବସ୍ଥା କରିବା ପର୍ଯ୍ୟନ୍ତ ଦୁଇ ଚକିଆ ଯାନବାହାନ ଚଳାଚଳ ଉପରେ ସଂପୂର୍ଣ୍ଣ ଭାବେ କଟକଣା ଜାରି କରାଯାଇ ପାରିବ ନାହିଁ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ।

ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଦୁଇ ଚକିଆ ଯାନରେ ଯାଉଥିବା ବ୍ୟକ୍ତି ଯଦି ପୁଲିସ ନିକଟରେ ସନ୍ତୋଷଜନକ ଉତ୍ତର/ତଥ୍ୟ ଏ ନେଇ ରଖିବେ, ତାଙ୍କ ପାଇଁ କଟକଣା କୋହଳ କରାଯିବ। ସଂପୂର୍ଣ୍ଣ ଲକ୍‌ଡାଉନ ପରିସ୍ଥିତିରେ ରାଜ୍ୟର ଲୋକମାନେ ଦୁର୍ଦ୍ଦଶାରେ ରହିଥିବାବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଚାଲିବା ଦୂରତାରେ ଉପଲବ୍ଧ କରିବା ପାଇଁ ଏଯାଏ କିଛି ବ୍ୟବସ୍ଥା ହୋଇନାହିଁ। ଏପରି ପରିସ୍ଥିତିରେ ଦୁଇ ଚକିଆ ଯାନ ଚଳାଚଳ ଉପରେ ସଂପୂର୍ଣ୍ଣ କଟକଣା ଲୋକଙ୍କ ଦୁର୍ଦ୍ଦଶାକୁ ଅଧିକ ବଢାଇବ। ଲକ୍‌ଡାଉନ ବେଳେ ଲୋକମାନେ ଘର ନିକଟବର୍ତ୍ତୀ ଅଞ୍ଚଳରେ ପନିପରିବା, ‌ଔଷଧ ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥ ପାଇ ପାରୁନାହାନ୍ତି। ଏହିସବୁ ସାମଗ୍ରୀ ସଂଗ୍ରହ କରିବାରେ ବରିଷ୍ଠ ନାଗରିକ, ମହିଳା ଓ ସାଇକେଲ ଚଳାଇ ପାରୁ ନଥିବା ବ୍ୟକ୍ତିବିଶେଷ ହଇରାଣ ହେଉଛନ୍ତି। ଏଥିପାଇଁ ଲୋକମାନେ ଦୂରକୁ ଯିବାକୁ ବାଧ୍ୟ ହେଉଛନ୍ତି। ଯେତେବେଳ ପର୍ଯ୍ୟନ୍ତ ଏଥିପାଇଁ ନିର୍ଦ୍ଦିଷ୍ଟ ନିୟମାବଳୀ ଓ ଉପଯୁକ୍ତ ବ୍ୟବସ୍ଥା ନ କରାଯାଇଛି, ସେପର୍ଯ୍ୟନ୍ତ ଦୁଇ ଚକିଆ ଗାଡି ଚଳାଚଳ ଉପରେ ସଂପୂର୍ଣ୍ଣ କଟକଣା ଉଚିତ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି।

ଅନ୍ୟପକ୍ଷରେ, ଏହାକୁ ସଂପୂର୍ଣ୍ଣ ଭାବେ କଟକଣା ଉଠି ଯାଇଛି ବୋଲି ଗ୍ରହଣ କରାଯିବ ନାହିଁ ବୋଲି ହାଇକୋର୍ଟଙ୍କ ରାୟରେ ସ୍ପଷ୍ଟ କରାଯାଇଛି। ଏହି ପ୍ରସଂଗକୁ ମାନବିକତା ଦୃଷ୍ଟି କୋଣରୁ ସରକାରଙ୍କ ଉପଯୁକ୍ତ ବିଭାଗ ଓ ପୁଲିସ ଡିଜି ବିଚାରକୁ ନେବେ। ଏଥିସହିତ ସ୍ଥାନୀୟ ଅଞ୍ଚଳରେ ଯେପରି ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ ପାଇପାର‌ିବେ, ସେଥିପାଇଁ ସରକାର ସବିଶେଷ ଯୋଜନା ଆଣିବେ। ଯାହାଦ୍ବାରା ଦୁଇ ଚକିଆ ଯାନ ବ୍ୟବହାର ଦରକାର ପଡିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ଏଥିସହିତ ଲକ୍‌ଡାଉନ ବେଳେ ଜବତ କରାଯାଇଥିବା ଗାଡ଼ି ଗୁଡିକ ତୁରନ୍ତ ଛାଡିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସଂପୃକ୍ତ ବ୍ୟକ୍ତିଙ୍କ ନିକଟରୁ ଅଣ୍ଡରଟେକିଂ ରଖି ଗାଡି ଛଡ଼ାଯିବ। ଯେଉଁ ବ୍ୟକ୍ତିଙ୍କ ନିକଟରୁ ଗାଡି ଜବତ କରାଯାଇଥିଲା ସେ ଏଭଳି ଭାବେ ଆଉ ଗାଡ଼ି ବ୍ୟବହାର କରିବେ ନାହିଁ ବୋଲି ଅଣ୍ଡରଟେକିଂ ‌ଦେବେ। ଏଥିସହିତ ଏଭଳି ଗାଡିକୁ ତିନି ଥର ବିନା ଜରିମାନାରେ ତଥା ଅଣ୍ଡରଟେକିଂ ରଖି ଛଡାଯିବ। ଯେପର୍ଯ୍ୟନ୍ତ ଚାଲିବା ଦୂରତାରେ ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧ ସଂପର୍କିତ ଉପଯୁକ୍ତ ନିୟମାବଳୀ ଓ ବ୍ୟବସ୍ଥା ସରକାର ନ କରିଛନ୍ତି, ସେ ପର୍ଯ୍ୟନ୍ତ ଏଭଳି ବ୍ୟବସ୍ଥା ବଳବତ୍ତର ରହିବ ବୋଲି ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି।

ଏଥିସହିତ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ରାଜ୍ୟ ସରକାର ମାଗଣା କୋଭିଡ-୧୯ ଟେଷ୍ଟ ପାଇଁ ସୁବିଧା ସୁନିଶ୍ଚିତ କରିବେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରି ଏଥିପାଇଁ ସରକାର ବିଜ୍ଞପ୍ତି ଜାରି କରିବେ ବୋଲି ହାଇକୋର୍ଟ କହିଛନ୍ତି। ଆଜି ମାମଲାର ଶୁଣାଣି ସମୟରେ ପୂର୍ବ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଡାକ୍ତର, ନର୍ସ ଓ ପାରାମେଡିକାଲ ଷ୍ଟାଫଙ୍କୁ ମାସ୍କ, ଡ୍ରେସ୍ ଓ ସୁରକ୍ଷା ସରଞ୍ଜାମ ପ୍ରଦାନ ପ୍ରସଂଗରେ ତଥ୍ୟ ଉପସ୍ଥାପନ କରାଯାଇଥିଲା। କୋଭିଡ ହସ୍ପିଟାଲ ଓ ନୟୋଜିତ କରାଯାଇଥିବା ଡାକ୍ତର, ନର୍ସ ଓ ପାରାମେଡିକାଲ ଷ୍ଟାଫଙ୍କ ପ୍ରସଂଗରେ ମଧ୍ୟ ସରକାରଙ୍କ ପକ୍ଷରୁ ଖଣ୍ଡପୀଠଙ୍କୁ ଅବଗତ କରାଯାଇଥିଲା।

ସମ୍ବନ୍ଧିତ ଖବର