ଅଧାବାଟରେ ଓହ୍ଲାଇଗଲେ ହାଇକୋର୍ଟ ବିଚାରପତି

କୋଣାର୍କ ଏକ୍ସପ୍ରେସ୍‌ରେ ମଲା ମୂଷାର ଉତ୍କଟ ଗନ୍ଧ

ଡ୍ୟୁଟିରେ ଥିବା ରେଳ କର୍ମଚାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ଚନ୍ଦ୍ରଶେଖରପୁର : ସମ୍ପୂର୍ଣ୍ଣ ଅତ୍ୟାଧୁନିକ ହେବ ରେଳ ବିଭାଗ। ରେଳଯାତ୍ରୀଙ୍କୁ ସବୁପ୍ରକାର ଆରାମ ଓ ସୁବିଧା ସୁଯୋଗ ମିଳିବ। ମାତ୍ର ଏଭଳି ସ୍ୱପ୍ନ ଦେଖାଉଥିବା ରେଳ ବିଭାଗ ରେଳଯାତ୍ରୀଙ୍କୁ ସର୍ବନିମ୍ନ ସୁବିଧା ମଧ୍ୟ ଦେଇ ପାରୁନାହାନ୍ତି। ନିକଟରେ କୋଣାର୍କ ଏକ୍ସପ୍ରେସ୍‌ରେ ଘଟିଥିବା ଏକ ଘଟଣାରୁ ଏହାର ପ୍ରମାଣ ମିଳିଛି। ଆଜି ଅପରାହ୍ଣରେ ଓଡ଼ିଶା ହାଇକୋର୍ଟର ବିଚାରପତି ବିଶ୍ୱନାଥ ରଥ କୋରାପୁଟରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କୋଣାର୍କ ଏକ୍ସପ୍ରେସ୍‌ରେ ଭୁବନେଶ୍ୱରରୁ ବିଶାଖାପାଟଣା ଯାଉଥିଲେ। ମାତ୍ର ସେ ଯାତ୍ରା କରୁଥିବା ଏସି ବଗି ଏ-୧ରେ ଏକ ମଲା ମୂଷା ଯୋଗୁଁ ଏମିତି ଉତ୍କଟ ଗନ୍ଧ ହେଉଥିଲା ଯେ ଶ୍ରୀ ରଥ ବାଧ୍ୟ ହୋଇ ବ୍ରହ୍ମପୁର ଷ୍ଟେସନରେ ଟ୍ରେନ୍‌ରୁ ଓହ୍ଲାଇ ଯାଇଥିଲେ। ସବୁଠୁ ବିଳାସପୂର୍ଣ୍ଣ ବଗିରେ ଯଦି ଏହି ଅବସ୍ଥା ତେବେ ତୃତୀୟ ଶ୍ରେଣୀରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଅବସ୍ଥା ଯେ କଣ ହେଉଥିବ ତାହା ବେଶ୍‌ ଅନୁମେୟ। ।

ମଲାମୂଷା ଜନିତ ଦୁର୍ଗନ୍ଧ କାରଣରୁ ସେ ଠିକ୍‌ରେ ନିଶ୍ୱାସ ପ୍ରଶ୍ୱାସ ନେଇପାରୁନଥିବା ଓ ବଗି ଭିତରେ ମୂଷାଙ୍କ ଚଳପ୍ରଚଳକୁ ନେଇ ଶ୍ରୀ ରଥ ରେଲବାଇର ଉଚ୍ଚ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ପରେ ଏନେଇ ପୂର୍ବତଟ ରେଳପଥ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଏହି ଘଟଣାକୁ ବିଭାଗ ଗୁରୁତ୍ୱର ସହିତ ନେବା ସହିତ କର୍ତ୍ତବ୍ୟରେ ଅବହେଳା କରିଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ସୂଚନା ଦିଆଯାଇଛି। ମୁମ୍ବାଇ ଡିପୋରେ ଟ୍ରେନ୍‌ଟିର ରକ୍ଷଣାବେକ୍ଷଣ କରାହେଉଥିବାରୁ ଏନେଇ ମୁମ୍ବାଇର ବରିଷ୍ଠ ରେଳ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି। ବଗିଟିକୁ ବ୍ରହ୍ମପୁରରେ କେମିକାଲ୍‌ରେ ସଫା କରିବା ସହିତ ପଲାସା ଓ ବିଶାଖାପାଟଣାରେ ପୁନର୍ବାର ସଫା କରାଯାଇଥିବା ପୂର୍ବତଟ ରେଳ ପକ୍ଷରୁ କୁହାଯାଇଛି।

ଏଭଳି ଘଟଣା ଯାତ୍ରୀ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ରେଳ ବିଭାଗ ଘୋଷଣା ସର୍ବସ୍ୱ ନହୋଇ ଯାତ୍ରୀ ସୁରକ୍ଷା ଉପରେ ଧ୍ୟାନ ଦେବା ଜରୁରୀ ବୋଲି ମତପ୍ରକାଶ ପାଇଛି। ଦୂରଯାତ୍ରା କରୁଥିବା ଟ୍ରେନ୍‌ରେ ଏଭଳି ଘଟଣା ପ୍ରଥମ ନୁହେଁ। ପୂର୍ବରୁ ମଧ୍ୟ ଏପରି ଘଟଣା ଘଟିଥିବା ସୂଚନା ମିଳିଛି। ନିକଟରେ ବର୍ଷା ଦିନେ ଦୁଇଜଣ ଲୋକୋ ପାଇଲଟ୍‌ କିପରି ଛତା ଧରି ଟ୍ରେନ୍‌ ଚଲାଉଥିଲେ ତାହାର ଭିଡିଓ ସାମ୍ନାକୁ ଆସିଥିଲା। ଏହି ଘଟଣା ପରେ ରେଳ ବିଭାଗ ସଚେତନ ହେବା ଆବଶ୍ୟକ ବୋଲି ଦୈନିକ ରେଳଯାତ୍ରା କରୁଥିବା ଯାତ୍ରୀମାନେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର