ଆଇନଜୀବୀଙ୍କୁ ମାଡ଼ ବିବାଦ : ପୁଣି ୧୦ ଯାଏ ଘୁଞ୍ଚିଲା କାର୍ଯ୍ୟବନ୍ଦ ଆନ୍ଦୋଳନ

୮ରେ ସମସ୍ତ ଆଇନଜୀବୀ ସଂଘ କର୍ମକର୍ତ୍ତାଙ୍କ ମିଳିତ ବୈଠକ

କଟକ : ସେପ୍ଟେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ଆଇନଜୀବୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ। ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ରାସ୍ତାରେ ପୁଲିସର ମାଡ଼ ପ୍ରତିବାଦରେ ଅଗଷ୍ଟ ୨୯ରୁ ଆରମ୍ଭ ହୋଇଛି ଏହି ଆନ୍ଦୋଳନ। ଆଇନଜୀବୀଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ଗିରଫ ଦାବିରେ ଆନ୍ଦୋଳନ ଚାଲିଛି। ଏହି ଘଟଣାରେ ୩ ଜଣ ପୁଲିସ କର୍ମଚାରୀ ନିଲମ୍ବିତ ହୋଇଥିବା ବେଳେ ଗତକାଲି ହାଇକୋର୍ଟ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଆଜି ହାଇକୋର୍ଟ ବାର୍‌ ଆସୋସିଏସନ୍‌ ପରିସରରେ ଅନୁଷ୍ଠିତ ବୈଠକରେ ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଗ୍ରହଣ କରାଯାଇଛି। ସେପ୍ଟେମ୍ବର ୮ ତାରିଖ ଦିନ ରାଜ୍ୟର ସମସ୍ତ ଆଇନଜୀବୀ ସଂଘର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଏହି ପ୍ରସଂଗରେ ମିଳିତ ବୈଠକରେ ଆଲୋଚନା କରାଯାଇ ଆନ୍ଦୋଳନକୁ ବ୍ୟାପକ କରିବା ଲାଗି ପଦକ୍ଷେପ ଗହଣ ଲାଗି ଆଜି ପ୍ରସ୍ତାବ ଗୃହୀତ ହୋଇଛି। ରାଜ୍ୟର ପ୍ରାୟ ୧୬୦ରୁ ଅଧିକ ଆଇନଜୀବୀ ସଂଘର କର୍ମକର୍ତ୍ତାଙ୍କୁ ଶନିବାର ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଯୋଗ ଦେବା ପାଇଁ ଅବଗତ କରାଯାଇଛି। ଏଥି ସହିତ ଆସନ୍ତା ସୋମବାର ଦିନ ୧ଟା ବେଳେ ହାଇକୋର୍ଟ ବାର୍‌ ଆସୋସିଏସନ୍‌ ସାଧାରଣ ପରିଷଦ ବୈଠକରେ ଆଲୋଚନା କରାଯାଇ ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।

ଆଜି ହାଇକୋର୍ଟ ବାର୍‌ ଆସୋସିଏସନ୍‌ ସଭାପତି ଶ୍ରୀକାନ୍ତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପସଭାପତି ବଂଶୀଧର ଶତପଥୀ, ସଂପାଦକ ସତ୍ୟବ୍ରତ ମହାନ୍ତି, ଯୁଗ୍ମସଂପାଦକ ରଂଜନ କୁମାର ନାୟକ, ପ୍ରଦୀପ କୁମାର ମହାନ୍ତି, ସୁରେଶ କୁମାର ଜେନା, କଟକ ବାର ଆସୋସିଏସନ ସଭାପତି ଉମାକାନ୍ତ ନନ୍ଦ, ଉପ ସଭାପତି କୃପାସିନ୍ଧୁ ସାହୁ, ସଂପାଦକ ନରେଶ ଚନ୍ଦ୍ର ଜେନା, କ୍ରିମିନାଲ କୋର୍ଟ୍ସ ବାର ଆସୋସିଏସନ ସଭାପତି ଅକ୍ଷୟ କୁମାର ପତି, ସଂପାଦକ ପ୍ରଦୀପ କୁମାର ପରିଡ଼ାଙ୍କ ସହିତ ଶତାଧିକ ଆଇନଜୀବୀ ଉପସ୍ଥିତ ଥିଲେ।

ଆଇନଜୀବୀ ଶ୍ରୀ ପଟ୍ଟନାୟକଙ୍କୁ ପୁଲିସ ମାଡ ପ୍ରସଂଗରେ ଦୁଇଟି ପୃଥକ ଜନସ୍ୱାର୍ଥ ମାମଲା ଦାୟର ହୋଇଥବା ବେଳେ ଏହାର ପରବର୍ତ୍ତୀ ଶୁଣାଣି ମଧ୍ୟ ସେପ୍ଟେମ୍ବର ୧୦ ତାରିଖକୁ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧିତ ଖବର