ଦଶମ ଦିନରେ ଆଇନଜୀବୀଙ୍କ ଆନ୍ଦୋଳନ : ରିଲେ ଅନଶନ ଜାରି

ହାଇକୋର୍ଟ ସମେତ ସମସ୍ତ ନିମ୍ନ ଅଦାଲତରେ ଅଚଳାବସ୍ଥା

କଟକ : ଓଡିଶା ହାଇକୋର୍ଟରେ ଖାଲି ପଡିଥିବା ବିଚାରପତି ପଦ ପୂରଣ ଦାବିରେ ଆରମ୍ଭ ହୋଇଥିବା ଆଇନଜୀବୀ ଆନ୍ଦୋଳନ ଆଜି ଦଶମ ଦିନରେ ପହଞ୍ଚିଥିବା ବେଳେ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଅନଶନ ଜାରି ରହିଛି। ଫେବ୍ରୁଆରି ୧୯ରେ ହାଇକୋର୍ଟ ବାର୍‌ ଆସୋସିଏସନ୍‌ ସାଧାରଣ ପରିଷଦ ଗ୍ରହଣ କରିଥିବା ନିଷ୍ପତ୍ତି ଅନୁସାରେ ଆଇନଜୀବୀମାନେ ରିଲେ ଅନଶନରେ ବସିଛନ୍ତି। ଅନ୍ୟପକ୍ଷରେ ଏହି ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆସୋସିଏସନ୍‌ ସଭାପତି ବରିଷ୍ଠ ଆଇନଜୀବୀ ଶ୍ରୀକାନ୍ତ କୁମାର ନାୟକ ସୂଚନା ଦେଇଛନ୍ତି। ହାଇକୋର୍ଟରେ ଖାଲି ପଡ଼ିଥିବା ବିଚାରପତି ପଦ ଯୋଗୁ ସୃଷ୍ଟି ହୋଇଥିବା ସମସ୍ୟା ସାରା ରାଜ୍ୟବାସୀଙ୍କର। ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି ଆନ୍ଦୋଳନ ଜାରି ରହିଥିବା ବେଳେ ଏଥି ପାଇଁ ସାରା ରାଜ୍ୟବାସୀ ସମର୍ଥନ ଦେବାକୁ ବାର୍‌ ପକ୍ଷରୁ ନିବେଦନ କରାଯାଇଛି।

ଗୁରୁବାର ଦିନ ରାଜ୍ୟର ସମସ୍ତ ଆଇନଜୀବୀ ସଂଘ ଆନ୍ଦୋଳନରେ ସାମିଲ ହୋଇ ଅଦାଲତ କାର୍ଯ୍ୟ ବର୍ଜନ କରିବା ପାଇଁ ଆସୋସିଏସନ୍‌ ପକ୍ଷରୁ ଅନୁରୋଧ କରାଯାଇଛି ବୋଲି ସୂଚନା ଦିଆଯାଇଛି। ହାଇକୋର୍ଟ ବାର୍‌ ଆସୋସିଏସନ୍‌ ନିଷ୍ପତ୍ତିକୁ ସମର୍ଥନ ଜଣାଇ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନରେ କଟକର ଅନ୍ୟ ସମସ୍ତ ଆଇନଜୀବୀ ସଂଘ ସାମିଲ ହୋଇଛନ୍ତି। ହାଇକୋର୍ଟ ସମେତ ଜିଲ୍ଲା ଅଦାଲତ, ସ୍ୟାଟ୍‌, କ୍ୟାଟ୍‌, ଖାଉଟି ଆଦାଲତ, ଡିଆରଟି ଓ ଅନ୍ୟାନ୍ୟ ଅଦାଲତରେ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନର ସଂପୂର୍ଣ୍ଣ ଭାବେ ପ୍ରଭାବ ପଡିଛି। ପୂର୍ବ ନିଷ୍ପତ୍ତି ଅନୁସାରେ ହାଇକୋର୍ଟରେ ଆଇନଜୀବୀମାନେ କୌଣସି ମାମଲା ରୁଜୁ କରୁ ନଥିବା ବେଳେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ମାମଲା ପରିଚାଳନା ପାଇଁ କୌଣସି ବ୍ୟକ୍ତିଙ୍କୁୁ କୋର୍ଟ ଭିତରକୁ ଛଡା ଯାଉ ନାହିଁ। ଫଳରେ ଅଦାଲତି କାର୍ଯ୍ୟ ଏକ ପ୍ରକାର ଠପ୍‌ ହୋଇ ଯାଇଛି।

ସମ୍ବନ୍ଧିତ ଖବର