କଟକ: ଯାଜପୁର ଡିଏମଏଫ (ଜିଲ୍ଲା ଖଣିଜ ପ୍ରତିଷ୍ଠାନ) ଟ୍ରଷ୍ଟ ବୋର୍ଡ ଗଠନରେ ନିୟମ ଉଲ୍ଲଂଘନ କରାଯାଇ ଖଣି ନଥିବା ଅଞ୍ଚଳର ସରପଞ୍ଚଙ୍କୁ ସାମିଲ କରାଯାଇଥିବା ସ୍ପଷ୍ଟ ହୋଇଛି। ଖଣି ନଥିବା ପିମ୍ପୁଡ଼ିଆ, ହରିପୁର ଓ ଧଳିଗଡ଼ ସରପଞ୍ଚଙ୍କୁ ଟ୍ରଷ୍ଟ ବୋର୍ଡରେ ସାମିଲ କରାଯାଇ ପ୍ରକାଶ କରାଯାଇଥିବା ବିଜ୍ଞପ୍ତିକୁ ହାଇକୋର୍ଟ ଆଂଶିକ ରଦ୍ଦ କରିଛନ୍ତି। ଏ ସଂପର୍କିତ ୨୦୨୫, ଜୁଲାଇ ୨୪ର ବିଜ୍ଞପ୍ତିରେ ଉପରୋକ୍ତ ତିନି ସରପଞ୍ଚଙ୍କୁ ସଦସ୍ୟ ଭାବେ ଗ୍ରହଣ କରାଯିବା ନିଷ୍ପତ୍ତିକୁ ରଦ୍ଦ କରିବାକୁ ହାଇକୋର୍ଟ ରାୟ ଦେଇଛନ୍ତି। ଏଥି ସହିତ ଓଡ଼ିଶା ଜିଲ୍ଲା ଖଣିଜ ପ୍ରତିଷ୍ଠାନ ନିୟମାବଳୀ, ୨୦୧୫ର ନିୟମ ୪(୧)(୪) ପାଳନ କରି ଡିଏମଏଫ ପୁନର୍ଗଠନ ୪ ସପ୍ତାହ ଭିତରେ କରିବାକୁ ଉନ୍ନୟନ କମିସନର ତଥା ଯୋଜନା ଓ ସଂଯୋଜନା ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଖଣି ନଥିବା ନିକଟସ୍ଥ ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କୁ ଡିଏମଏଫରେ ଅନ୍ତର୍ଭୁକ୍ତ କରାଯିବା ନିୟମ ୪ର ଉଲ୍ଲଂଘନ କରୁଛି ବୋଲି ହାଇକୋର୍ଟ କହିଛନ୍ତି। ଯେଉଁ ଅଞ୍ଚଳରେ ଖଣି ଓ ଖଣିଜ କାର୍ଯ୍ୟ ହେଉ ନାହିଁ ସେହି ଅଞ୍ଚଳର ପଞ୍ଚାୟତ ପ୍ରତିନିଧିଙ୍କୁ ଡିଏମଏଫର ସଦସ୍ୟ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ। ଅନ୍ୟପକ୍ଷରେ ଯେଉଁ ଅଞ୍ଚଳରେ ଖଣି ଅଛି ଓ ଖଣିଜ କାର୍ଯ୍ୟ ପାଇଁ ସ୍ଥାନୀୟ ବାସିନ୍ଦା ପ୍ରଭାବିତ ହେଉଛନ୍ତି ସେହି ଅଞ୍ଚଳର ପଞ୍ଚାୟତର ପ୍ରତିନିଧିଙ୍କୁ ୨୦୧୫ର ନିୟମାବଳୀ ଅନୁସାରେ ଡିଏମଏଫରେ ସ୍ଥାନ ଦିଆଯିବା ଉଚିତ ବୋଲି ହାଇକୋର୍ଟ କହିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। କାଳିଆପାଣି ସରପଞ୍ଚ ବିକାଶ କୁମାର ପାତ୍ର, ଜିଲ୍ଲା ପରିଷଦ ସଦସ୍ୟା ଜେମା ଚାଖି, ରାଂସୋଳ ସରପଞ୍ଚ କନକଲତା ଶବର, କଂସ ଓ କାଳିଆପାଣି ଅଞ୍ଚଳର ଅନ୍ୟ ଦୁଇ ସମିତି ସଭ୍ୟଙ୍କ ତରଫରୁ ଏହି ଆବେଦନ ଦାୟର କରାଯାଇଥିଲା।

ଆହୁରି ପଢ଼ନ୍ତୁ: Air india flight issue:ଏୟାର ଇଣ୍ଡିଆ ଡ୍ରିମଲାଇନର ବିମାନରେ ଗୁରୁତର ଯାନ୍ତ୍ରିକ ତ୍ରୁଟି :ଇନ୍ଧନ ନିୟନ୍ତ୍ରଣରେ ସମସ୍ୟା, ଉଡ଼ାଣ ବାତିଲ

ମାମଲାର ବିବରଣୀରୁ ପ୍ରକାଶ ଯେ ରାଜ୍ୟ ସରକାର ୨୦୨୫, ଜୁଲାଇ ୨୪ରେ ଏକ ବିଜ୍ଞପ୍ତି ଜାରି କରି ଯାଜପୁର ଡିଏମଏଫ ବୋର୍ଡ ଅଫ ଟ୍ରଷ୍ଟିଜ୍‌ ଗଠନ କରିଥିଲେ। ଏଥିରେ ପିମ୍ପୁଡ଼ିଆ, ହରିପୁର ଓ ଧୂଳିଗଡ଼ ପଞ୍ଚାୟତର ସରପଞ୍ଚଙ୍କୁ ସଦସ୍ୟ ଭାବେ ଅନ୍ତର୍ଭୁକ୍ତ କରାଯାଇଥିଲା। ଯାଜପୁର ଜିଲ୍ଲାପାଳ ମ୍ୟାନେଜିଂ ଟ୍ରଷ୍ଟି ରହିଥିବା ବେଳେ ସାଂସଦ, ବିଧାୟକ ଓ ଅନ୍ୟମାନେ ସଦସ୍ୟ ରହିଥିଲେ। ନିୟମ ଅନୁସାରେ ଖଣି ଥିବା ଅଞ୍ଚଳର ପଞ୍ଚାୟତିରାଜ ଅନୁଷ୍ଠାନର ତିନି ଜଣଙ୍କୁ ଡିଏମଏଫରେ ସ୍ଥାନ ମିଳିବା କଥା। ଏପରି ନିୟମ ଉଲ୍ଲଂଘନ କରି ଖଣି ନଥିବା ତିନି ପଞ୍ଚାୟତର ସରପଞ୍ଚଙ୍କୁ ଡିଏମଏଫ ସଦସ୍ୟ ଭାବେ ନିଆଯାଇଥିବା ଅଭିଯୋଗ ହୋଇଥିଲା। ଅନ୍ୟପକ୍ଷରେ ଖଣି ଥିବା କାଳିଆପାଣି, କଂସ ଓ ରାଂସୋଲ ପଞ୍ଚାୟତର ପ୍ରତିନିଧିଙ୍କୁ ଡିଏମଏଫ ସଦସ୍ୟ ପଦରୁ ବଞ୍ଚିତ କରାଯାଇବୋ ନେଇ ଅଭିଯୋଗ ହୋଇଥିଲା। ନିୟମ ଉଲ୍ଲଂଘନ କରି ଡିଏମଏଫ ପୁନର୍ଗଠନ ସଂପର୍କିତ ୨୦୨୫, ଜୁଲାଇ ୨୪ର ବିଜ୍ଞପ୍ତି ପ୍ରକାଶ କରାଯାଇଥିବାରୁ ଏହାକୁ ରଦ୍ଦ କରାଯାଉ ବୋଲି ଦର୍ଶାଇ ଆବେଦନକାରୀଙ୍କ ତରଫରୁ ଏହି ମାମଲା ହାଇକୋର୍ଟରେ ଦାୟର କରାଯାଇଥିଲା। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଉପେନ୍ଦ୍ର କୁମାର ସାମଲ ମାମଲା ପରିଚାଳନା କରୁଥିଲେ।