ଅପହୃତା ପୀଡ଼ିତାଙ୍କ ସମ୍ପର୍କରେ ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ମହିଳାଙ୍କ ସହିତ ଦୁଷ୍କର୍ମ ପରେ ଜନ୍ମ ଗ୍ରହଣ କରିଥିବା ଝିଅକୁ ଅପହରଣ ଅଭିଯୋଗ ସଂପର୍କିତ ମାମଲାର ତଦାରଖ କଳାହାଣ୍ଡି ଏସପି କରିବେ। ଏଥି ସହିତ ହାଇକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ସମୟରେ କେଗାଁ ଆଇଆାଇସି ତଦନ୍ତର ଷ୍ଟାଟସ୍ ରିପୋର୍ଟ ଦାଖଲ କରିବେ। ଜଷ୍ଟିସ କେ.ଆ‌ର୍.ମହାପାତ୍ରଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ ଏ ସଂପର୍କତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ଜେ.ସାହୁଙ୍କ ପକ୍ଷରୁ ଆଇନଜୀବୀ ଅଭିମନ୍ୟୁ ପରିଡା ମାମଲା ପରିଚାଳନା କରୁଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ୨୦୧୯, ଜାନୁଆରି ୨୧ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀଙ୍କ ନାବାଳିକା ଝିଅ ସହିତ ବୋର୍ଡା ଥାନା ଅନ୍ତର୍ଗତ ସାଲେଗାଁର ଜଣେ ବ୍ୟକ୍ତି ବିବାହ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିଲା। ଏ ନେଇ ଏତଲା ରୁଜୁ ହେବା ପରେ ପୁଲିସ ସଂପୃକ୍ତ ଅଭିଯୁକ୍ତକୁ ଗିରଫ କରିଥିଲା। ଅନ୍ୟପକ୍ଷରେ ଦୁଷ୍କର୍ମର ଶିକାର ଝିଅ ପରବର୍ତ୍ତୀ ସମୟରେ ଏକ ଶିଶୁକନ୍ୟା ଜନ୍ମ ଦେଇଥିଲା। ଆବେଦନକାରୀଙ୍କ ଝିଅ ଭବାନୀପାଟଣା କୋର୍ଟରେ କନ୍ୟା ସନ୍ତାନର ଭରଣ ପୋଷଣ ପାଇଁ ମାମଲା ରୁଜୁ କରିଥିଲେ। ମାତ୍ର କନ୍ୟା ସନ୍ତାନକୁ ଭରଣ ପୋଷଣ ବାବଦ ଅର୍ଥ ଦେବା ବଦଳରେ ଅଭିଯୁକ୍ତ ବିଷ ଦେଇ ମାରି ଦେବାକୁ ଚେଷ୍ଟା କରିଥିଲା। ଏ ନେଇ ଆବେଦନକାରୀ କେଗାଁ ଥାନାରେ ୨୦୧୧, ଫେବ୍ରୁଆରି ୨ରେ ଏତଲା ରୁଜୁ କରିଥିଲେ। ୨୦୧୮, ଡିସେମ୍ବର ୪ରେ ସଂପୃକ୍ତ ଅଭିଯୁକ୍ତ ଅନ୍ୟ କେତେକ ବ୍ୟକ୍ତିଙ୍କ ସହିତ ମିଶି ଆବେଦନକାରୀଙ୍କ ନାତୁଣୀକୁ ଅପହରଣ କରି ନେଇଥିଲେ ବୋଲି ଅଭିଯୋଗ ହୋଇଥିଲା। କିନ୍ତୁ ପୁଲିସ କିଛି ଶୁଣି ନଥିଲା। ଏହା ପରେ ଡିସେମ୍ବର ୧୫ରେ ଆବେଦନକାରୀ କଳାହାଣ୍ଡି ଏସ୍‌ପିଙ୍କ କାର୍ଯ୍ୟାଳୟକୁ ଯାଇ ଲିଖିତ ଅଭିଯୋଗ ଦାଖଲ କରିଥିଲେ। କିନ୍ତୁ କିଛି ସୁଫଳ ମିଳି ପାରି ନଥିଲା। ଫଳରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲାରେ ଗୃହ ସଚିବ, କଳାହାଣ୍ଡି ଏସପି ଓ କେଗାଁ ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର